ଗୁଜୁରାଟ : କୁହାଯାଏ ବିବାହ ସ୍ବର୍ଗରେ ହିଁ ସ୍ଥିର ହୋଇଥାଏ । କିଏ କାହାର ଯୋଡି ହେବ ତାହା ପୂର୍ବରୁ ସ୍ଥିରୀକୃତ । ମର୍ତ୍ତ୍ୟରେ କେବେ ମିଳନ ହୋଇଥାଏ । ଏବେ ଚାରିଆଡେ ବିବାହର ମାହୋଲ୍ । ଗୁଜୁରାଟରେ ଏକ ନିଆରା ଯୋଡିକୁ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି । ଜୁନାଗଡରେ ହୋଇଥିବା ଏହି ବିବାହରେ କନ୍ୟାର ଉଚ୍ଚତା 5.5 ଫୁଟ୍ ହୋଇଥିବାବେଳେ ବରର ଉଚ୍ଚତା ମାତ୍ର ତିନିଫୁଟ୍ । କନ୍ୟା ଜଣକ ନେତ୍ରହୀନ ହୋଇଥିବାବେଳେ ବରଜଣକ ଜଣେ ସରକାରୀ ସ୍କୁଲ ଶିକ୍ଷକ ରୂପେ କାର୍ଯ୍ୟରତ । ଏହି ବିବାହଟି ସତ୍ୟମ ସେବା ଯୁବକ ମଣ୍ଡଳ ଦ୍ବାରା ସମ୍ପନ୍ନ ହୋଇଛି । ତେବେ ଏହି ଯୋଡିର ଅନ୍ୟ ଏକ ଖାସ୍ କଥା ହେଉଛି ଯେ କନ୍ୟାଟିର ବୟସ 29 ବର୍ଷ ହୋଇଥିବାବେଳେ ବରର ବୟସ 42 ବର୍ଷ ।
ମିଳିଥିବା ସୂଚନା ଅନୁସାରେ ବରଜଣକ ହେଉଛନ୍ତି ଗ୍ରାମର ଏକ ସରକାରୀ ସ୍କୁଲରେ ଶିକ୍ଷକ ଥିବା 42 ବର୍ଷୀୟ ରମେଶ ଭାଇ । ସେହିପରି କନ୍ୟାଜଣକ ହେଉଛନ୍ତି ସତ୍ୟମ୍ ସେବା ଯୁବକ ମଣ୍ଡଳର କନ୍ୟା ଛାତ୍ରାଳୟରେ ବିଏଡ୍ ପର୍ଯ୍ୟନ୍ତ ପାଠ ପଢିଥିବା ଶାନ୍ତା ମକଓ୍ବାଣା । ଶାନ୍ତା ଜନ୍ମରୁ ନେତ୍ରହୀନ । ସେ ଛାତ୍ରାଳୟରେ ରହି ପାଠ ପଢିଛନ୍ତି। ଜାମଯୋଧପୁରରେ ରହୁଥିବା ରମେଶ ଭାଇ ଶାନ୍ତାଙ୍କ ସହ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହାପରେ ଦୁହିଁଙ୍କ ବିବାହ କରିଥିଲେ ସତ୍ୟମ୍ ସେବା ଯୁବକ ମଣ୍ଡଳ । ଦୁହିଁଙ୍କ ନିଆରା ଯୋଡି ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । (ଏଜେନ୍ସି)