ଭୁବନେଶ୍ୱର : ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ନିର୍ମଳଝରଠାରେ ଏକ ଅଘଟଣ ଘଟିଛି । ଦୁଇଜଣ ଯୁବକ ବାଇକ୍ରେ ବୋମା ଧରି ଯାଉଥିବାସମୟରେ ବାଇକର ଚକା ସ୍ଲିପ୍ କରିବାର ତଳେ ପଡିଗଲେ । ବୋମା ତଳେ ପଡି ସେଠାରେ ହିଁ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ତେବେ ଦୁଇ ଯୁବକ କ’ଣ ପାଇଁ ଓ କାହିଁକି ବୋମା ନେଇ ଯାଉଥିଲେ, ତାହା ଜଣା ପଡିନାହିଁ । ଏହି ବିସ୍ଫୋରଣରେ ଅନ୍ୟ ଏକ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନା ଅନୁସାରେ ବାଇକ୍ରେ ଯାଉଥିବା ସମୟରେ ବାଟରେ ବାଇକଟି ସ୍ଲିପ କରିଗଲା । ବାଇକ ସହ ଦୁଇ ଯୁବକ ଓ ବୋମା ବି ତଳେ ପଡ଼ିଗଲା । ଫଳରେ ବୋମାଟି ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା । ପଛ ସିଟରେ ଯେଉଁ ଯୁବକ ବୋମା ଧରି ବସିଥିଲେ ତାଙ୍କ ହାତ ଉଡ଼ିଯିବା ସହ ଘଟଣା ସ୍ଥଳରେ ହିଁ ମୃତୁ୍ୟ ଘଟିଥିଲା । ଅପରପକ୍ଷରେ ବାଇକ ଚଳାଉଥିବା ଯୁବକ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଏହି ଘଟଣାକୁ ନେଇ ପୋଲିସ୍ ଛାନ୍ଭିନ୍ ଆରମ୍ଭ କରିଛି ।