କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନାର ଘୋଷଣା କରିବା ପରେ ଫୁଟ୍ବଲରରୁ ରାଜନେତା ହୋଇଥିବା ବାଇଚୁଙ୍ଗ ଭୂତିଆ ଏହି ଯୋଜନା ସହ ସମାନ ଏକ ଯୋଜନାକୁ ସିକିମ୍ରେ ପ୍ରଣୟନ କରିବାକୁ ଘୋଷଣା କରିଛନ୍ତି । ପ୍ରତି ୫ ଜଣିଆ ପରିବାରକୁ ୯୦ ହଜାରର ଆୟ ପ୍ରଦାନ କରିବା ନିମେନ୍ତ ଘୋଷଣା କରିଛନ୍ତି ଭୂତିଆ । ଭୂତିଆଙ୍କ ହମ୍ରୋ ସିକିମ୍ ପାର୍ଟି(ଏଚ୍ଏସ୍ପି) ପକ୍ଷରୁ ଘୋଷଣା କରାଯାଇଛି ଯେ, ଦଳ କ୍ଷମତାକୁ ଆସିବାର ୨୫ ଦିନ ମଧ୍ୟରେ ଏହି ପ୍ରତିଜ୍ଞାକୁ ପୂରଣ କରାଯିବ । ତୃଣମୂଳ କଂଗ୍ରେସ ଛାଡି ନିଜର ରାଜନୈତିକ ଦଳ ଗଠନ କରିଥିବା ଏହି ଫୁଟବଲ ଖେଳାଳୀ କହିଛନ୍ତି, କ୍ଷମତାକୁ ଆସିବାର ୨୫ ଦିନ ମଧ୍ୟରେ ‘ସିକ୍କିମ୍ ସମ୍ମାନ ଯୋଜନା’ ଜରିଆରେ ଏହାକୁ ରୂପରେଖ ଦିଆଯିବ । ପଓ୍ବନ୍ ଚାମ୍ଲିଙ୍ଗଙ୍କ ସରକାର ୨୫ ବର୍ଷ କ୍ଷମତାରେ ରହି ସିକିମ୍ର ବିକାଶ କରିପାରିନଥିବା ବେଳେ ଦଳ ମାତ୍ର ୨୫ ଦିନରେ ଏହା କରି ଦେଖାଇବ । ଏହା କୌଣସି ନିର୍ବାଚନୀ ଇସ୍ତାହାର କିମ୍ବା ଉପହାର ଘୋଷଣା ନୁହେଁ, ସିକିମ୍ ବାସୀଙ୍କ ଅର୍ଥକୁ ସିକିମ୍ ବାସୀଙ୍କ ମଧ୍ୟରେ ବାଣ୍ଟିବା ଏହି ଘୋଷଣାର ଲକ୍ଷ୍ୟ ବୋଲି ଭୂତିଆ କହିଛନ୍ତି । ଏହି ଘୋଷଣା ପରେ ସିକିମ୍ ଉପରେ ୯୦୦କୋଟିର ଆର୍ଥିକ ବୋଝ ପଡିବ ଯାହାକି ରାଜ୍ୟ ବଜେଟ୍ର ୧୨.୭୬ ପ୍ରତିଶତ । ଦଳ ସାଧାରଣ ବର୍ଗଙ୍କୁ ଅଧିକ ପ୍ରାଧାନ୍ୟ ଦେଉଛି ଏବଂ ସେଥିପାଇଁ ଡ୍ରାଇଭର, ମେକାନିକ୍, ଚାଷୀ ଏବଂ ବେକାର ଯୁବକଙ୍କୁ ଟିକଟ ଦିଆଯାଇଛି ବୋଲି ଏଚ୍ଏସ୍ପି ସଭାପତି ବୀନା ବାସନେଟ୍ ଏକ ବିବୃତ୍ତିରେ କହିଛନ୍ତି ।
ରାହୁଲ୍ଙ୍କ ରାସ୍ତାରେ ଭୂତିଆ: ପ୍ରତି ପରିବାରକୁ ୯୦ ହଜାର
Published:
Mar 28, 2019, 3:28 pm IST
Tags: