
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ମହୁଡ଼ା ପଞ୍ଚାୟତର କୁମାରପୁର ଗ୍ରାମରେ ଏକ ନାବାଳିକାର ବାହାଘର ଉପରେ ରୋକ ଲଗାଇଛି ପ୍ରଶାସନ। ମିଳିଥିବା ସୂଚନା ମୁତାବକ ଆଜି ରାତିରେ ଉକ୍ତ ଗ୍ରାମର ଜଣେ ୧୩ ବର୍ଷର ନାବାଳିକାର ବାହାଘର ଉକ୍ତ ଗ୍ରାମର ଜଣେ ଯୁବକ ସହିତ ଆୟୋଜିତ ହେବାର କାର୍ଯ୍ୟକ୍ରମ ଥିଲା। ପାଖାପାଖି ୧୦୦୦ ଲୋକଙ୍କ ନିମନ୍ତେ ଏକ ନୈଶ ଭୋଜିର ମଧ୍ୟ ଆୟୋଜନ କରିଥିଲେ।
କୌଣସି ସୂତ୍ରରୁ ଖବର ପାଇଁ ସଦରଥାନା ପୋଲିସ ସହାୟତାରେ କୁକୁଡାଖଣ୍ଡି ସମନ୍ୱିତ ଶିଶୁ ବିକାଶ ଯୋଜନା ଅତିରିକ୍ତ ଦାୟିତ୍ୱରେ ଥିବା କୁକୁଡାଖଣ୍ଡି ତହସିଲଦାର ଡ଼ଃ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ସ୍ଥାନୀୟ ଅଙ୍ଗନବାଡି ସୁପରଭାଇଜର ଓ ଅଙ୍ଗନବାଡି କର୍ମୀଙ୍କୁ ନେଇ ଉକ୍ତ ବାସଗୃହ ଉପରେ ଚଢ଼ାଉ କରିଥିଲେ।
ନାବାଳିକା ଜଣଙ୍କୁ ଉକ୍ତ ସ୍ଥାନରୁ ଉଦ୍ଧାର କରିଥିଲେ ଓ କରୋନା କଟକଣାକୁ ଅବମାନନା କରି ଭୋଜି ଆୟୋଜନ କରାଯାଇଥିବା କାରଣରୁ ଭୋଜି ବନ୍ଦ କରାଯାଇଥିଲା। ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଦେଖି ଘଟଣା ସ୍ଥଳରୁ ବର ସମେତ ବରର ପରିବାର ବର୍ଗ ଫେରାର ହୋଇଥିବା ସୂଚନା ମିଳିଛି।