ସତାନା : ମଧ୍ୟପ୍ରଦେଶର ସତାନାରେ ବାହାଘରର ବିଦାୟୀ ପର୍ବ ପୂର୍ବରୁ ଜଣେ କନ୍ୟାର କରୋନା ରିପୋର୍ଟ ପଜିଟିଭ୍ ଆସିଲା । ଏହାପରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା ।ଏହାପରେ ବରଜଣକ ନିଜ ବରଯାତ୍ରୀ ନେଇ ବିଦା ହୋଇଥିଲେ । ମାତ୍ର ବଧୂ ଜଣକ ବାପଘରେ କ୍ବାରେଣ୍ଟାଇନ୍ରେ ରହିଥିଲେ । ଏହିପରି ଏକ ଘଟଣା ସତନା ଜିଲ୍ଲାର 55 କିଲୋମିଟର ଦୂର ରାମନଗରରେ ଘଟିଛି।
ସତନା ଜିଲ୍ଲା ବାବ୍ରୁପର ଗ୍ରାମରେ ରହୁଥିବା ପଟେଲ ପରିବାରରେ ବିବାହ ଥିଲା । ବିବାହ ପୂର୍ବରୁ କନ୍ୟାର କରୋନା ନମୁନା ପରୀକ୍ଷା ପାଇଁ ଯାଇଥିଲା । ତେବେ ବିବାହ କରୋନା କଟକଣା ଭିତରେ ଆୟୋଜନ କରାଯାଇଥିଲା । ରବିବାର ରାତ୍ରିରେ ବରଯାତ୍ରୀ ଓ ବର ଆସିବା ପରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସକାଳୁ ସକାଳୁ ବିଦାୟୀ ପର୍ବ ଅନୁଷ୍ଠିତ ହେବା ପୂର୍ବରୁ ସ୍ବାସ୍ଥ୍ୟ କର୍ମୀମାନେ କନ୍ୟାର କରୋନା ରିପୋର୍ଟ ପଜିଟିଭ୍ ଥିବା ନେଇ କହିଥିଲେ । ଏହା ପରେ ଉପସ୍ଥିତ ସମସ୍ତ ବରଯାତ୍ରୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ବଧୂଙ୍କ ନିଜ ବାପଘରେ କ୍ବାରେଣ୍ଟାଇନ୍ କରାଯାଇଛି । ସେହିପରି କନ୍ୟାର ଜଣେ ଭାଇ ଓ ଅନ୍ୟ ଦୁଇ ସମ୍ପର୍କୀୟ ମଧ୍ୟ କରୋନା ସଂକ୍ରମିତ ହୋଇଥିବାର ସୂଚନା ରହିଛି । ତେବେ ଅନ୍ୟ ସମସ୍ତଙ୍କର କରୋନା ଟେଷ୍ଟ କରାଯାଉଛି । ରିପୋର୍ଟ ପଜିଟିଭ୍ ସଂଖ୍ୟା ବୃଦ୍ଧି ହେବା ନେଇ ମଧ୍ୟ ସୂଚନା ରହିଛି ।(ଏଜେନ୍ସି)