ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହେଲେ ନୟାଗଡ଼ ଜିଲ୍ଲାପାଳ ଓ ଏସ୍ପି। ଉଭୟ ଭିଡିଓ କନ୍ଫରେନ୍ସିଂ ଜରିଆରେ ହାଜର ହୋଇ ଏନ୍ସିପିସିଆର୍ ଙ୍କଠାରେ ନିଜ ପକ୍ଷ ରଖିଲେ। ଉଭୟ ଅଧିକାରୀଙ୍କୁ ହାଜର ପାଇଁ ନୋଟିସ କରିଥିଲେ ଏନ୍ସିପିସିଆର୍।
ସୂଚନାରୁ ପ୍ରକାଶ, ଚାରି ମାସ ତଳେ 5 ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରୁଥିଲା। ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁନଥିଲା। ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ ଭୁବନେଶ୍ୱର ଚାଲି ଆସିଥିଲେ। ସେମାନେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଇଥିଲେ। ତମ୍ୱି ତୋଫାନ୍ ପରେ ରାଜ୍ୟ ସରକାର ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହି ମାମଲାର ଏସ୍ଆଇଟି ତଦନ୍ତ ଚାଲିଛି।