ନୂଆଦିଲ୍ଲୀ: ନୂଆ ସଂସଦ ଭବନର ଭୂମିପୂଜନ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଭିମିପୂଜନ କରିଛନ୍ତି । 2022 ସୁଦ୍ଧା ନୂଆ ଭବନ ନିର୍ମାଣ ଶେଷ ହେବା ନେଇ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି । ପୁରୁଣା କୋଠାର ମାତ୍ର କିଛି ମିଟର୍ ଦୂରରେ ହୋଇଛି ଭବ୍ୟ କାର୍ଯ୍ୟକ୍ରମ । ପୂରା ରୀତି ନୀତି ଅନୁସାରେ ଆଜି ଭୂମିପୂଜନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ନଜର ଦେଖାଦେଇଥିଲା ଭାରତର ଏକତା, ଭାତୃତ୍ବ ଓ ଧର୍ମ ନିରପେକ୍ଷତାର ଝଲକ । ଭୂମି ପୂଜନ କାର୍ଯ୍ୟକ୍ରମ ପରେ ଏଠାରେ ସର୍ବଧର୍ମ ପୂଜା ବି ସମ୍ପନ୍ନ ହୋଇଥିଲା । ଏଠାରେ ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ମୁସଲମାନ୍, ଖ୍ରୀଷ୍ଟ ଭଳି ଧର୍ମ ଗୁରୁ ଉପସ୍ଥିତ ଥିଲେ। ସବୁ ଧର୍ମର ଶ୍ଲୋକ, ପାଠରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ । ଆଜିର ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ପ୍ରକାଶ ଯେ, ଚାରି ମହଲା ବିଶିଷ୍ଟ ନୂତନ ସଂସଦ ଭବନ 64ହଜାର 50ବର୍ଗ ମିଟର ଅଞ୍ଚଳରେ ନିର୍ମିତ ହେବ। ଯାହାର ଆନୁମାନିକ ମୂଲ୍ୟ 971କୋଟି ଟଙ୍କା ହେବ। ତେବେ ନୂଆ ସଂସଦ ଭବନକୁ ପେପରଲେସ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ପ୍ରତ୍ୟେକ ସାଂସଦଙ୍କୁ ଡିଜିଟାଲ ସୁବିଧା ଯୋଗାଇ ଦିଆଯିବ। ଏହି ସଂସଦ ଭବନର ନିର୍ମାଣ କାର୍ଯ୍ୟ ଟାଟା ଗ୍ରୁପ୍ କରିବ।