Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଜି-୭ ର ଖାଇବା ଟେବୁଲରୁ ଛୋଟ ଟୁକୁଡ଼ାଏ ରୁଟି
ଅନ୍ତରାଷ୍ଟ୍ରୀୟ

ଜି-୭ ର ଖାଇବା ଟେବୁଲରୁ ଛୋଟ ଟୁକୁଡ଼ାଏ ରୁଟି

June 20, 2021No Comments7 Mins Read
Share Facebook Twitter LinkedIn Email WhatsApp Copy Link
ଜି-୭ ର ଖାଇବା ଟେବୁଲରୁ ଛୋଟ ଟୁକୁଡ଼ାଏ ରୁଟି

ମୂଳଲେଖା : ପ୍ରଭାତ ପଟ୍ଟନାୟକ, ଭାଷାନ୍ତର : ଲଳାଟେନ୍ଦୁ ସାମନ୍ତରାୟ

ଭୁବନେଶ୍ବର, ଆମେରିକା, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ ,ଇଟାଲୀ, ଜାପାନ, ଏବଂ କାନାଡାକୁ ନେଇ ଗଠିତ ଗ୍ରୁପ-୭ ବା ଜି-୭ ର ସଦ୍ୟ ସମାପ୍ତ ବୈଠକରେ ବିଶ୍ୱର ଅବଶିଷ୍ଟ ଦେଶକୁ ଅର୍ଥାତ ତଥାକଥିତ “ବିକାଶଶୀଳ” ଦେଶଗୁଡ଼ିକୁ ଏକ ବିଲିୟନ (୧୦୦ କୋଟି) ଡୋଜ ଆଣ୍ଟି-କୋଭିଡ ଟିକା ଦାନ କରିବାକୁ ପ୍ରତିଶୃତି ଦିଆଯାଇଛି। ଆମେରିକା ୫୦ କୋଟି ଡୋଜ ଓ ବ୍ରିଟେନ ୧୦ କୋଟି ଡୋଜ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି; ଅନ୍ୟ ଜି-୭ ଦେଶ, ଇଟାଲୀ, ଜାପାନ, ଫ୍ରାନ୍ସ, ଜର୍ମାନୀ ଏବଂ କାନାଡା ଅବଶିଷ୍ଟାଂଶ ଟୀକା ଡୋଜ ଦେବେ ବୋଲି ଅନୁମାନ କରାଯାଏ ।

“ଏକ ବିଲିୟନ ଡ଼ୋଜ” ବହୁତ ବଡ଼ ବୋଲି ଶୁଣା ଯାଉଛି, କିନ୍ତୁ ବିଶ୍ବର ଅନ୍ୟାନ୍ୟ ଅଂଚଳର ଆବଶ୍ୟକତା ଆଗରେ ଏହି “ଏକ ବିଲିୟନ ଡ଼ୋଜ” ଅତ୍ୟନ୍ତ ନଗଣ୍ୟ । ସେହିପରି ଉନ୍ନତ ପୁଞ୍ଜିବାଦୀ ଦେଶଗୁଡ଼ିକରେ, ସେହି ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଦୁଇଟି ଡୋଜକୁ ହିସାବକୁ ନେଇ ନିଜ ନିଜର ଜନସଂଖ୍ୟା ପାଇଁ ଯାହା ଆବଶ୍ୟକ, ତାହା ଠାରୁ ବହୁ ବହୁ ଗୁଣରେ ସେମାନେ ମହଜୁଦ କରି ରଖିଥିବା ଟିକାଗୁଡ଼ିକର ବିପୁଳ ପରିମାଣର ଭଣ୍ଡାର, ଆଗରେ ଏହି “ଏକ ବିଲିୟନ ଡ଼ୋଜ” ମଧ୍ୟ ଅତ୍ୟନ୍ତ ନଗଣ୍ୟ / ତୁଚ୍ଛ ଅଟେ। ଏହି କାରଣରୁ ଅନେକ ‘ଅନ୍ତର୍ଜାତୀୟ ନାଗରିକ ସମାଜ ସଂଗଠନ’ ଜି-୭ର୍ ଏହି ଘୋଷଣାକୁ କେବଳ ଏକ “ଜନସମ୍ପର୍କର ପ୍ରତାରଣପୁର୍ଣ୍ଣ କୌଶଳ” ବୋଲି ଖାରଜ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ବିଶ୍ୱର ମୋଟ ଟୀକା ନେଇ ନଥିବା ଜନସଂଖ୍ୟା ୬.୮ ବିଲିୟନ (୬୮୦ କୋଟି) ଅଟେ। ଏହି ଜନସଂଖ୍ୟାକୁ ଦୁଇଥର ଟିକା ଦେବା ପାଇଁ ଆବଶ୍ୟକ ହେଉଥିବା ମୋଟ ଟୀକା ଡୋଜ ସଂଖ୍ୟା ୧୩.୬ ବିଲିୟନ (୧୩୬୦ କୋଟି) ରେ ପହଞ୍ଚିବ। ଜି-୭ ଦ୍ୱାରା ପ୍ରତିଶ୍ରୁତି ଦିଆଯାଇଥିବା ଏକ ବିଲିୟନ (୧୦୦ କୋଟି) ଡୋଜ ଏହି ଆବଶ୍ୟକତାର କେବଳ ୭.୪ ପ୍ରତିଶତ ଅଟେ। ଯଦି ଟୀକାର ଉପରୋକ୍ତ ମୋଟ ଚାହିଦାରୁ ଆମେ ତଥାକଥିତ “ବିକାଶଶୀଳ” ଦେଶଗୁଡ଼ିକର ଚାହିଦାକୁ ମାତ୍ର ୧୦ ବିଲିୟନ (୧୦୦୦ କୋଟି) ବୋଲି ଗ୍ରହଣ କରିବା, ଜି-୭ ଦ୍ୱାରା ଯାହା ପ୍ରତିଶ୍ରୁତି ଦିଆଯାଇଛି ତାହା ଏହି ଚାହିଦାର ମାତ୍ର ୧୦ ପ୍ରତିଶତ ହେବ।

ଏଥି ସହିତ, ଉନ୍ନତ ପୁଞ୍ଜିବାଦୀ ଦେଶଗୁଡିକ ବହୁ ପରିମାଣର ଟୀକା କ୍ରୟ କରି ସେଗୁଡିକୁ ମହଜୁଦ କରି ରଖିଛନ୍ତି। ଏପରିକି ଏହି ମହଜୁଦ ପରିମାଣ ତୁଳନାରେ ପ୍ରସ୍ତାବିତ ଦାନର ପରିମାଣର ଅନୁପାତ ବହୁତ କମ୍ । ଉଦାହରଣ ସ୍ୱରୂପ ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ୱେଲ୍ସ ଏବଂ ଉତ୍ତର ଆୟର୍ଲାଣ୍ଡକୁ ନେଇ ଗଠିତ ଗ୍ରେଟ୍ ବ୍ରିଟେନ୍ (United Kingdom) କଥା ବିଚାର କରାଯାଉ। ଏହାର ଜନସଂଖ୍ୟା ୬କୋଟି ୮୦ ଲକ୍ଷ କିନ୍ତୁ ଏହି ଦେଶ ୫୦ କୋଟି ଡୋଜ ଟିକା କିଣିଛି। ଯଦି ଏହି ସମୁଦାୟ ଜନସଂଖ୍ୟାର ଟୀକା ଆବଶ୍ୟକତାକୁ, ଯାହା କିଣାଯାଇ ରଖାଯାଇଛି ସେଥିରୁ ପୂରଣ କରିବାକୁ ହୁଏ ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଦୁଇ ଡୋଜ ହିସାବରେ ୧୩.୬୦ କୋଟି ଡୋଜର ଟୀକା ବ୍ୟବହାର ହୋଇ , ତଥାପି ୩୬.୪୦ କୋଟି ଡୋଜର ଅତିରିକ୍ତ ଷ୍ଟକ୍ ରହିଯିବ।

ଏହି ବଳକା ମହଜୁଦରୁ ଇଂଲଣ୍ଡ କେବଳ ୧୦ କୋଟି ଡୋଜ ଦାନ କରିବାକୁ ପ୍ରସ୍ତାବ ଦେଉଛି, ଯାହା ଅତିରିକ୍ତ ଷ୍ଟକ୍ ର କେବଳ ୨୭ ପ୍ରତିଶତ । ଏହି ଦେଶ ଅବଶିଷ୍ଟ ୭୩ ପ୍ରତିଶତ କାହିଁକି ରଖିବାକୁ ଚାହୁଁଛି ତାହା ସ୍ପଷ୍ଟ ହୋଇନାହିଁ। ନିଃସନ୍ଦେହରେ ମହାମାରୀ ଜାରି ରହିଲେ ଟୀକାକରଣର ନୂତନ ରାଉଣ୍ଡ ଆବଶ୍ୟକ ହୋଇପାରେ; କିନ୍ତୁ ବର୍ତ୍ତମାନର ଗଚ୍ଛିତ ଟୀକା ଆଗାମୀ ଦିନର ଭୂତାଣୁ ବିରୁଦ୍ଧରେ ପ୍ରଭାବଶାଳୀ ହୋଇ ରହିବ ବୋଲି ମାନିନେଲେ ମଧ୍ୟ , ଏବଂ ନୂତନ ଧରଣର ଟୀକାକରଣ ପୂର୍ବରୁ ମଧ୍ୟବର୍ତ୍ତୀ କାଳରେ ଉତ୍ପାଦିତ ହେବାକୁ ଥିବା ନୂତନ ଟୀକାର ଉତ୍ପାଦନରୁ କିଛି ବି କ୍ରୟ କରାଯିବ ନାହିଁ ବୋଲି ଅନୁମାନ କଲେ ମଧ୍ୟ, ୧୦ କୋଟି ଡୋଜ ଦାନ କରି ଗ୍ରେଟ୍ ବ୍ରିଟେନ୍ ନିଜ ପାଖରେ ଯେଉଁ ଅତିରିକ୍ତ ଷ୍ଟକ୍ ରଖିବା ପାଇଁ ଯୋଜନା କରୁଛି, ଏହାର ସମୁଦାୟ ଜନସଂଖ୍ୟାକୁ ଦୁଇଥର ଟୀକାକରଣ ପାଇଁ ଯଥେଷ୍ଟ ! ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଅନ୍ୟାନ୍ୟ ଉନ୍ନତ ପୁଞ୍ଜିବାଦୀ ଦେଶମାନଙ୍କ କ୍ଷେତ୍ରରେ ମଧ୍ୟ ସେହି ସମାନ ଅବସ୍ଥା।

ଏପରିକି, ଜି-୭ ଦ୍ବାରା ଏହି ପ୍ରତିଶ୍ରୁତିବଦ୍ଧ ଡୋଜଗୁଡିକ ଆସନ୍ତା ବର୍ଷର ମଧ୍ୟଭାଗ ପର୍ଯ୍ୟନ୍ତ ପ୍ରସାରିତ ସମୟ ଅବଧି ମଧ୍ୟରେ ମିଳିପାରେ। ଏହା ନୁହେଁ ଯେ ଏସିଆ, ଆଫ୍ରିକା ଏବଂ ଲାଟିନ୍ ଆମେରିକାରେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ମହାମାରୀର ସବୁଠାରୁ ଖରାପ ପ୍ରଭାବର ସମ୍ମୁଖୀନ ହେଉଥିବା ଲୋକମାନଙ୍କ ପାଇଁ ଏହି ଷ୍ଟକ୍ ହଠାତ୍ ଉପଲବ୍ଧ ହେବାକୁ ଯାଉଛି ; ଏହି ପ୍ରତିଶ୍ରୁତିବଦ୍ଧ ଟିକା ଉପଲବ୍ଧ ହେବା ବେଳକୁ ମହାମାରୀ ହେତୁ ଆହୁରି ଲକ୍ଷ ଲକ୍ଷ ଲୋକ ମରିଯାଇଥିବେ।

ଏହା ଚିନ୍ତା କରାଯାଇପାରେ ଯେ ଜି-୭ର ଟୀକା ଅନୁଦାନର ପ୍ରସ୍ତାବିତ ଆକାର ବିଶ୍ବର ଅନ୍ୟାନ୍ୟ ଦେଶର ଚାହିଦା ତୁଳନାରେ ସାମାନ୍ୟ ହୋଇଥିଲେ ମଧ୍ୟ ଏହାର ଆର୍ଥିକ ମୂଲ୍ୟ ଯଥେଷ୍ଟ ହେବ। ଏପରିକି, ଏହି ଦାବି ମଧ୍ୟ ଭିତ୍ତିହୀନ ବୋଲି ପ୍ରମାଣିତ ହୋଇଥାଏ। ଭିନ୍ନ ଭିନ୍ନ ମୂଲ୍ୟର ବିଭିନ୍ନ ଟିକା ରହିଛି ଏବଂ ଜି-୭ ଦ୍ବାରା କେଉଁ ଟିକା ଦାନ କରାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ୟୁରୋପୀୟ ୟୁନିୟନର ଦେଶଗୁଡିକ ଠାରୁ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ଟିକା ପାଇଁ କମ୍ପାନୀ ଦ୍ବାରା ଡୋଜ ପିଛା ୩ ଡଲାର ଆଦାୟ କରାଯାଉଥିବାବେଳେ ଅନ୍ୟ ଟିକାଗୁଡିକ ବହୁ ମହଙ୍ଗା ଅଟେ।

ଖବର ଅନୁଯାୟୀ ଆମେରିକା ୫୦ କୋଟି ଡୋଜ ଫାଇଜର ଟିକା ଦାନ କରିବାକୁ ଯୋଜନା କରୁଛି। ଯେହେତୁ ଏହା ପୂର୍ବରୁ, ନିଜ ଦେଶବାସୀଙ୍କ ପାଇଁ ଏହି ଟିକାକୁ ଡୋଜ ପିଛା ୧୯.୫ ଡଲାରରେ କିଣିଛି, ଆସନ୍ତୁ ଧରିନେବା ଯେ ଏହା ଦାନ କରିବାକୁ ଚାହୁଁଥିବା ଟିକାକୁ ଡୋଜ ପିଛା ପୂର୍ଣ୍ଣ ସଂଖ୍ୟାରେ ୨୦ ଡଲାର୍ ଦେବ। ତେବେ, ଏହାର ସମୁଦାୟ ଅବଦାନ ପ୍ରାୟ ୧୦ ବିଲିୟନ (୧୦୦୦ କୋଟି) ଡ଼ଲାର ହେବ ଯାହା ତା’ର ଜିଡିପିର ୦.୦୫ ପ୍ରତିଶତ ହୋଇପାରେ। ଏହିପରି, ଆମେ ଯେକୌଣସି ଦିଗରୁ ଏହାକୁ ବିଚାର କଲେ ଦେଖିବା ଯେ, ଜି-୭ର ଦାନ ହେଉଛି ଏହାର ଖାଇବା ଟେବୁଲରୁ ଛୋଟ ଟୁକୁଡ଼ାଏ ରୁଟି ସହ ସମାନ।

ଏଥି ସହିତ, ଏହି ଦାନକୁ ଘେରି ରହିଥିବା ମାମୁଲି ମନ୍ତବ୍ୟଗୁଡିକ ଏହି ତଥ୍ୟକୁ ଲୁଚାଇଥାଏ ଯେ ଜି-୭ ଏହି ଟିକା ଉପରେ ଅସ୍ଥାୟୀ ପେଟେଣ୍ଟ-ଛାଡ ପ୍ରଶ୍ନ ଉପରେ ଆଲୋଚନା କରି ନାହିଁ। ସେମାନଙ୍କ ମଧ୍ୟରେ କେବଳ ଆମେରିକା ଏବଂ ଫ୍ରାନ୍ସ ‘ଅସ୍ଥାୟୀ ପେଟେଣ୍ଟ-ଛାଡ’ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଯଦି ଜି-୭ ଏଭଳି ଛାଡ଼ର ପ୍ରସ୍ତାବ ଉପରେ ଆଲୋଚନା ଏବଂ ଅନୁମୋଦନ କରିଥାଆନ୍ତା, ତେବେ ଏହା ଟୀକା ଉତ୍ପାଦନକୁ ବହୁଗୁଣିତ କରିଥାନ୍ତା ଏବଂ ଏହା ଶହେ କୋଟି ଡ଼ୋଜର ଦାନ ଅପେକ୍ଷା ଗରିବ ଦେଶମାନଙ୍କ ପାଇଁ ଅଧିକ ଉପଯୋଗୀ ହୋଇଥାନ୍ତା।

ବାସ୍ତବରେ, ଅନ୍ୟ ଦେଶମାନଙ୍କ କଥା ବାଦ ଦିଅନ୍ତୁ, ବ୍ରିଟେନ୍, ଯିଏକି ଏହି ଜି-୭ ଶିଖର ସମ୍ମିଳନୀ ପାଇଁ ଆୟୋଜକ ଦେଶ ଥିଲା ଏବଂ ଯାହାର ପ୍ରଧାନମନ୍ତ୍ରୀ ସାର୍ବଜନୀନ ଟୀକାକରଣର ଆବଶ୍ୟକତା ବିଷୟରେ ତାର ସ୍ୱରରେ ଚିତ୍କାର କରୁଛନ୍ତି, ସେ ଟୀକା ଉପରେ ଏକ ଅସ୍ଥାୟୀ ପେଟେଣ୍ଟ ଛାଡ଼ ପାଇଁ ରାଜି ହୋଇନାହାଁନ୍ତି, ଯାହା କେବଳ ବୁର୍ଜୁୟା ସ୍ୱାର୍ଥର ପ୍ରୋତ୍ସାହନ ତଥା ପ୍ରତିରକ୍ଷା ପାଇଁ ବୁର୍ଜୁୟା ସରକାରଙ୍କ ପ୍ରତିବଦ୍ଧତାର ଶକ୍ତିକୁ ସୂଚିତ କରେ। ଏବଂ ବର୍ତ୍ତମାନର ବୁର୍ଜୁୟା ସ୍ୱାର୍ଥ ବିଶ୍ୱସ୍ତରୀୟ ଟୀକା ଅଭାବକୁ ଦୀର୍ଘସ୍ଥାୟୀ କରିବା ମଧ୍ୟରେ ନିହିତ ରହିଛି ଯାହା ମୁନାଫାଖୋରୀ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଛି।

ଆମେରିକୀୟ ଫାର୍ମାସ୍ୟୁଟିକାଲ୍ ଏବଂ ବାୟୋଟେକ୍ନୋଲୋଜି କମ୍ପାନୀ – “ମୋଡର୍ନା” ର କଥା ବିଚାର କରାଯାଉ। କୋଭିଡ ଟିକାର ଅନୁସନ୍ଧାନ ଏବଂ ବିକାଶ ପାଇଁ ଏହି କମ୍ପାନୀ ଆମେରିକା ସରକାରଙ୍କ ଠାରୁ ୬ ବିଲିୟନ (୬୦୦ କୋଟି) ଡଲାର ପାଇଲା। ଏହାର ପ୍ରତିବଦଳରେ ଏହା ଆମେରିକା ସରକାରଙ୍କ ପାଇଁ ତା’ର ଟୀକା ଡୋଜ ପିଛା ୧୫ ଡ଼ଲାର ଧାର୍ଯ୍ୟ କରିଥିଲା, ଯଦିଓ ଆଷ୍ଟ୍ରାଜେନେକା ଦ୍ବାରା ଚାର୍ଜ କରାଯାଇଥିବା ୩-୪ ଡଲାର ତୁଳନାରେ ଏହା ଅଧିକ ମହଙ୍ଗା ଥିଲା, ଫାଇଜର କମ୍ପାନୀ ଦ୍ବାରା ଚାର୍ଜ କରାଯାଉଥିବା ୧୯.୫୦ ଡ଼ଲାର ଠାରୁ ଶସ୍ତା ଥିଲା।

କେବଳ ଯୁକ୍ତି ପାଇଁ ଧରାଯାଉ, ଏହି ୧୫ ଡ଼ଲାର ଉତ୍ପାଦନର ୟୁନିଟ୍ ମୂଲ୍ୟ ଏବଂଏଥିସହ ଏକ ଯୁକ୍ତିଯୁକ୍ତ ଲାଭର ମାର୍ଜିନକୁ ବୁଝାଉଛି, ଯେଉଁଥିରେ ସରକାରଙ୍କ ଦ୍ଵାରା ଅନୁସନ୍ଧାନ ପାଇଁ କରାଯାଇଥିବା ଖର୍ଚ୍ଚର ପରିଶୋଧର କୌଣସି ଅଂଶକୁ ଯୁକ୍ତ କରାଯାଇନାହିଁ। ତେବେ ଅନ୍ୟ କ୍ରେତାଙ୍କ ଠାରୁ ମଧ୍ୟ ମୋଡର୍ନା ୧୫ ଡଲାରରୁ ଅଧିକ ଦାମ୍ ଆଦାୟ କରିବାର କୌଣସି କାରଣ ନାହିଁ ( ହୁଏତ ଲାଭ ମାର୍ଜିନ ଦ୍ବାରା ଏହି ଦାମ୍ ଅଳ୍ପ ଟିକେ ଅଧିକ ହୋଇପାରେ), କାରଣ ଆମେରିକା ସରକାର ଏହି କମ୍ପାନୀ ତରଫରୁ ଗବେଷଣା ନିମନ୍ତେ ଯାହା ଖର୍ଚ୍ଚ କରିଛନ୍ତି, ତାହା ଉପରେ “ମୋଡର୍ନା” ଲାଭ ଉଠାଇବାର କୌଣସି ଯଥାର୍ଥତା ନାହିଁ। କିନ୍ତୁ “ମୋଡର୍ନା”ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଷ୍ଟିଫେନ୍ ବାନସେଲ କହିଛନ୍ତି ଯେ ଯୋଗାଣ ଅର୍ଡରର ଆକାର ଉପରେ ନିର୍ଭର କରି, ଏହାର ପ୍ରତି ଡୋଜ ଟିକା ପାଇଁ ଏକ ଉଚିତ ମୂଲ୍ୟ ୨୫ ଡ଼ଲାର ରୁ ୩୭ ଡ଼ଲାର ମଧ୍ୟରେ ଯେକୌଣସି ଏକ ମୂଲ୍ୟ ଅଟେ !

ଏଭଳି ଲାଭଜନକ ପରିସ୍ଥିତିର ପରିଣାମ ସ୍ୱରୂପ, ଗତ ବର୍ଷ ମାର୍ଚ୍ଚ ପହିଲାରୁ ଚଳିତ ବର୍ଷ ଏପ୍ରିଲ ମଧ୍ୟରେ “ମଡର୍ନା”ର ସେୟାର ମୂଲ୍ୟ ଛଅଗୁଣ ବୃଦ୍ଧି ପାଇଛି ଏବଂ ଏହାର ସିଇଓ ପ୍ରାୟ ତୁଳନାତ୍ମକ ସମୟ ମଧ୍ୟରେ ୫.୫ ବିଲିୟନ (୫୫୦ କୋଟି) ଡ଼ଲାରର ସମ୍ପତ୍ତି ନିର୍ମାଣ କରିଛନ୍ତି। କହିବା ବାହୁଲ୍ୟ ମାତ୍ର, ସାମ୍ପ୍ରତିକ ଟିକା ଅଭାବରୁ କେବଳ “ମୋଡର୍ନା” ଯେ ଉପକୃତ, ତା ନୁହଁ; ଅନ୍ୟମାନେ ମଧ୍ୟ ଏହି ଖେଳରେ ଅଛନ୍ତି ଏବଂ ସୁନ୍ଦର ଭାବରେ ଖେଳ ପ୍ରଦର୍ଶନ କରୁଛନ୍ତି ।

ଦୁର୍ଭିକ୍ଷରୁ ତ୍ରାଣ ପାଇଁ ଗଠିତ ଅକ୍ସଫୋର୍ଡ କମିଟି (ଅକ୍ସଫାମ) ଦ୍ୱାରା ନିର୍ମିତ ଏକ ସରଳ ପରିସଂଖ୍ୟାନ ଲାଭଖୋରୀର ପରିମାଣ ଦର୍ଶାଉଛି। ଅକ୍ସଫାମ ମତରେ, ଯଦି ପେଟେଣ୍ଟ ଛାଡ ହୁଏ ତେବେ “ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶଗୁଡିକ”ର ସମୁଦାୟ ଜନସଂଖ୍ୟାକୁ ୬.୫ ବିଲିୟନ (୬୫୦ କୋଟି) ଡ଼ଲାର ଖର୍ଚ୍ଚରେ ଟୀକାକରଣ କରାଯାଇପାରେ।

ଅନ୍ୟପକ୍ଷରେ, ପେଟେଣ୍ଟ ଛାଡ ଅନୁପସ୍ଥିତିରେ ଏହାର ମୂଲ୍ୟ ୮୦ ବିଲିୟନ (୮୦୦୦ କୋଟି) ଡଲାର ହେବ। ଅର୍ଥାତ ଯଦି ଏହି ଦେଶମାନଙ୍କର ସମଗ୍ର ଜନସଂଖ୍ୟାକୁ ଟୀକାକରଣ କରାଯାଏ ତେବେ ୮୦ ବିଲିୟନ (୮୦୦୦ କୋଟି) ଡଲାର ଖର୍ଚ୍ଚ ହେବ ଏବଂ ଏଥିରୁ ପ୍ରାୟ ୭୪ ବିଲିୟନ (୭୪୦୦ କୋଟି) ଡଲାର ଟିକା ଉତ୍ପାଦନକାରୀ କମ୍ପାନୀଗୁଡିକର ପକେଟକୁ ଯିବ। ଭିନ୍ନ ଭାବରେ କହିବାକୁ ଗଲେ, ପେଟେଣ୍ଟ-ସଂରକ୍ଷଣ ସହିତ ଧାର୍ଯ୍ୟ ମୂଲ୍ୟରେ ଏହି ଦେଶମାନଙ୍କର ଜନସଂଖ୍ୟାକୁ ଟୀକାକରଣ ପାଇଁ ମୋଟ ଖର୍ଚ୍ଚର ୯୦ ପ୍ରତିଶତରୁ ଅଧିକ ପେଟେଣ୍ଟ ଧରିଥିବା ବ୍ୟକ୍ତିଙ୍କ ପକେଟକୁ ଯିବ।

ଏହିପରି ଆପଦ କାଳର ସୁଯୋଗରେ ଅତ୍ୟଧିକ ମୁନାଫାଖୋରୀକୁ ସୁରକ୍ଷା ଦେବା ପାଇଁ ବୁର୍ଜୁୟା ସରକାରମାନେ ଆଗ୍ରହୀ। ଏକ ଅସ୍ଥାୟୀ ପେଟେଣ୍ଟ-ଛାଡ ପାଇଁ ସହମତ ହୋଇଥିବା ସରକାରଗୁଡିକ ଚାହୁଁଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WTO)ରେ ଏକ ଚୁକ୍ତିନାମା କରିବାକୁ ଯେତିକି ସମୟ ଆବଶ୍ୟକ ସେତିକି ସମୟ ପରେ ପରେ ଏହି ଲାଭଖୋରୀର ସମାପ୍ତି ଘଟୁ ; ଯେଉଁମାନେ ଏହିପରି ଛାଡକୁ ବିରୋଧ କରନ୍ତି, ସେମାନେ ଏହି ଲାଭ ପାଇବାକୁ ଚାହାଁନ୍ତି। ଜି-୭ ବୈଠକରେ ଏହି ଦୁଇଟି ଅବସ୍ଥାନ ଉପରେ ଆଲୋଚନା କରିବା ପାଇଁ ଏବଂ ଏହିପରି ଲାଭଖୋରୀକୁ କିପରି ଶୀଘ୍ର ସମାପ୍ତ କରାଯିବ ସେ ସମ୍ବନ୍ଧରେ କିଛି ଚୁକ୍ତି କରିବାକୁ କୌଣସି ପ୍ରୟାସ କରାଯାଇ ନାହିଁ। ଏପରିକି ଆମେରିକା ଏବଂ ଫ୍ରାନ୍ସ ମଧ୍ୟ ଜି-୭ ମଧ୍ୟରେ ଥିବା ଅବାଧ୍ୟ ଜିଦ୍ଖୋର ସହକର୍ମୀଙ୍କୁ ଅସ୍ଥାୟୀ ପେଟେଣ୍ଟ-ଛାଡକୁ ବିରୋଧ ନ କରିବାକୁ ମନାଇବା ପାଇଁ କୌଣସି ବିଶେଷ ଉଦ୍ୟମ କରିଥିବାର ସୂଚନା ଦେଇ ନାହାନ୍ତି।

‘ପେଟେଣ୍ଟ-ଛାଡ’ କେବଳ ମୂଲ୍ୟ ହ୍ରାସ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଟୀକା ଉତ୍ପାଦନ ବୃଦ୍ଧି ପାଇଁ ଏହାର ମହତ୍ତ୍ୱ ସବୁଠାରୁ ଉର୍ଦ୍ଧ୍ବରେ । କିନ୍ତୁ ଏହି ଦିଗରେ କୌଣସି ଅଗ୍ରଗତିର ସାମାନ୍ୟ ପ୍ରମାଣ ନାହିଁ। ନିକଟରେ ଯାହା ଘଟିଛି ତାହା ହେଉଛି ଯେ ଜୁନ୍ ୯ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଏକ ବୈଠକରେ ଦେଶମାନେ “ଚୁକ୍ତିନାମା ପ୍ରସ୍ତୁତ କରିବା ଦିଗରେ ଏକ ପ୍ରକ୍ରିୟା ଆରମ୍ଭ କରିବା” ପ୍ରସ୍ତାବକୁ ସମର୍ଥନ କରିଥିଲେ ଏବଂ “ଏହି ଆଲୋଚନାର ତତ୍ପରତା ଉପରେ ସହମତ ହୋଇଥିଲେ”!

ଜି-୭
Share. Facebook Twitter LinkedIn Email WhatsApp Copy Link

Related Posts

ଯୌତୁକ ପାଇଁ ପତ୍ନୀଙ୍କୁ ହତ୍ୟା: ଅଭିଯୁକ୍ତ ସ୍ୱାମୀକୁ ଏନକାଉଣ୍ଟର କଲା ପୋଲିସ

August 24, 2025

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଗୃହବନ୍ଦୀ: ଜାଣନ୍ତୁ କାରଣ

August 24, 2025

ଭାରତର ‘ସୁଦର୍ଶନ ଚକ୍ର’ ପ୍ରସ୍ତୁତ: ୨୫୦୦ କିମି ଦୂରରୁ ଧ୍ଵଂସ ହେବ ଶତ୍ରୁ କ୍ଷେପଣାସ୍ତ୍ର

August 24, 2025

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଚେତେଶ୍ୱର ପୂଜାରା

August 24, 2025
Latest News

ପୁରୀ ଜଗନ୍ନାଥବଲ୍ଲଭ ପାର୍କିଂ ଉପରୁ ଖସିପଡିଲା ବୋଲେରୋ, ତାପରେ..

August 24, 2025

ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

August 24, 2025

ଯୌତୁକ ପାଇଁ ପତ୍ନୀଙ୍କୁ ହତ୍ୟା: ଅଭିଯୁକ୍ତ ସ୍ୱାମୀକୁ ଏନକାଉଣ୍ଟର କଲା ପୋଲିସ

August 24, 2025

ବାଣପୁର ବରିଷ୍ଠ ନାଗରିକ ସଂଘର ପ୍ରଥମ ବାର୍ଷିକ ଉତ୍ସବ: ଯୋଗ ଦେଲେ ଆଇନ ମନ୍ତ୍ରୀ

August 24, 2025

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଗୃହବନ୍ଦୀ: ଜାଣନ୍ତୁ କାରଣ

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.