
ନୂଆଦିଲ୍ଲୀ: ଭାରତ ଏବଂ ସ୍ବିଡେନ୍ ପକ୍ଷରୁ ଆଜି ମିଳିତ ଭାବେ ଶିଳ୍ପ ପରିବର୍ତ୍ତନ ଆଲୋଚନା ଆୟୋଜିତ ହୋଇଯାଇଛି। ଇଣ୍ଡଷ୍ଟ୍ରୀ ଟ୍ରାଞ୍ଜିସନ ଫର ଲିଡରଶିପ୍ (ଶିଳ୍ପ ପରିବର୍ତ୍ତନ ପାଇଁ ନେତୃତ୍ବ) ବା ଲିଡ୍ ଆଇଟିର ଅଂଶବିଶେଷ ଭାବେ ସେମାନଙ୍କର ଯୌଥ ଉଦ୍ୟୋଗର ଅଂଶବିଶେଷ ସ୍ବରୂପ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଶ୍ବ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟାନୁଷ୍ଠାନରେ ପ୍ରମୁଖ ଅଂଶୀଦାର ତଥା ନିର୍ଦ୍ଦିଷ୍ଟ ହସ୍ତକ୍ଷେପ ଆବଶ୍ୟକ କରୁଥିବା ସେହିସବୁ କ୍ଷେତ୍ର ଉପରେ ‘ଲିଡ୍ ଆଇଟି ପ୍ରୟାସ’ ଗୁରୁତ୍ବାରୋପ କରିଥାଏ ଯେଉଁ କ୍ଷେତ୍ରରେ ପ୍ରଶମନକାରୀ ପଦକ୍ଷେପ ଗ୍ରହଣ କରିବା ବେଶ କଷ୍ଟକର।
ଏହି ଉଚ୍ଚସ୍ତରୀୟ ଆଲୋଚନା ୨ ଏବଂ ୩ ଜୁନ, ୨୦୨୨ରେ ଆୟୋଜିତ ହେବାକୁ ଥିବା ମିଳିତ ଜାତିସଂଘ ସମ୍ମିଳନୀ ‘‘ଷ୍ଟକହୋମ+୫୦ : ସମସ୍ତଙ୍କ ସମୃଦ୍ଧି ପାଇଁ ଏକ ସୁସ୍ଥ ପୃଥିବୀ – ଆମର ଉତ୍ତରଦାୟିତ୍ବ, ଆମ ସୁଯୋଗ’’ କ୍ଷେତ୍ରରେ ଯୋଗଦାନ ଦେଇଛି ଏବଂ ସିଓପି ୨୭ ପାଇଁ ଏଜେଣ୍ଡା ନିର୍ଦ୍ଧାରଣ କରିଛି।
କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଉଦଘାଟନୀ ଅଭିଭାଷଣ ରଖିଥିଲେ। ସେହିପରି ସ୍ବୀଡେନ ପକ୍ଷରୁ ଜଳବାୟୁ ଓ ପରିବେଶ ମନ୍ତ୍ରୀ ଆନିକା ଷ୍ଟାନ୍ଧାଲ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ ଯେ, ୧୯୭୨ରେ ମାନବୀୟ ପରିବେଶ ଉପରେ ମିଳିତ ଜାତିସଂଘ ସମ୍ମିଳନୀ ଆୟୋଜନ କରାଯାଇଥିଲା ଏବଂ ପରିବେଶ ପ୍ରସଙ୍ଗକୁ ଅନ୍ତର୍ଜାତୀୟ ଚିନ୍ତାର ବିଷୟ ଭାବେ କେନ୍ଦ୍ରରେ ରଖିବା ପାଇଁ ଏଥିରେ ନିଷ୍ପତ୍ତି ନିଆଯାଇଥିଲା। ଆଗାମୀ ଦିନରେ ଏହି ସମ୍ମିଳନୀର ୫୦ ବର୍ଷ ପୂର୍ତ୍ତି ସମାରୋହ ଆୟୋଜନ କରାଯାଉଥିବାରୁ ଶ୍ରୀ ଯାଦବ ବିଶ୍ବବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଜୋର ଦେଇ କହିଥିଲେ ଯେ, ୫୦ ବର୍ଷର ସହଭାଗୀ କାର୍ଯ୍ୟାନୁଷ୍ଠାନକୁ ପାଳନ କରିବା ଲାଗି ବର୍ତ୍ତମାନ ସମୟ ଆସିଛି । ସେହିପରି କ’ଣ ହାସଲ କରାଯାଇଛି ଏବଂ ଆଗକୁ କ’ଣ କରିବାର ଅଛି ସେ ସମ୍ପର୍କରେ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ‘‘ବିକଶିତ ବିଶ୍ବ କେବଳ ଏକ ଶିଳ୍ପ ‘ପରିବର୍ତ୍ତନ’ ନୁହେଁ, ବରଂ ଶିଳ୍ପ ନବଜାଗରଣ ଆବଶ୍ୟକ କରୁଛି – ନିଯୁକ୍ତି ଓ ସମୃଦ୍ଧି ସହିତ ସବୁଜ ପରିବେଶ ସୃଷ୍ଟି କରୁଥିବା ଶିଳ୍ପ ବିକାଶର ଆବଶ୍ୟକତା ରହିଛି। ବିକଶିତ ରାଷ୍ଟ୍ରମାନେ ନିଜ ଐତିହାସିକ ଅନୁଭୂତିରୁ, ନେଟ୍ ଜିରୋ (ଶୂନ୍ୟ ଅଙ୍ଗାରକାମ୍ଳ ଲକ୍ଷ୍ୟ ହାସଲ) ଏବଂ କମ୍ ଅଙ୍ଗାରକାମ୍ଳ ନିର୍ଗମନକାରୀ ଶିଳ୍ପ ସ୍ଥାପନ ଦିଗରେ ବୈଶ୍ବିକ ପରିବର୍ତ୍ତନର ନେତୃତ୍ବ ନେବା ଉଚିତ୍।
କାର୍ଯ୍ୟକ୍ରମ ଅବସରରେ ଲିଡ୍ ଆଇଟି ପ୍ରୟାସର ନୂଆ ସଦସ୍ୟ ଜାପାନ ଓ ଦକ୍ଷିଣ ଆଫ୍ରିକାକୁ ସ୍ବାଗତ କରାଯାଇଥିଲା। ଫଳରେ ରାଷ୍ଟ୍ର ଓ କମ୍ପାନୀମାନଙ୍କୁ ମିଶାଇ ଲିଡ୍ ଆଇଟିର ମୋଟ୍ ସଦସ୍ୟ ସଂଖ୍ୟା ୩୭କୁ ବୃଦ୍ଧି ପାଇଥିଲା। ଏହି ପ୍ରୟାସ ଅଧୀନରେ ବର୍ତ୍ତମାନ ସୁଦ୍ଧା ହୋଇଥିବା ଅଗ୍ରଗତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ ସୂଚନା ଦେଇଥିଲେ। ଏଥିରେ ଜ୍ଞାନର ଆଦାନପ୍ରଦାନ ଏବଂ ମିଳିତ ପ୍ରୟାସ ପାଇଁ କ୍ଷେତ୍ର ଆଧାରିତ ରୋଡ ମ୍ୟାପିଂ, କର୍ମଶାଳା, ଶିଳ୍ପାନୁଷ୍ଠାନ କ୍ଷେତ୍ର ପରିଦର୍ଶନ ଆଦି ସାମିଲ ରହିଛି।
ଏହି କାର୍ଯ୍ୟକ୍ରମ ଅବସରରେ, ୨୦୨୨-୨୩ରେ କାର୍ଯ୍ୟକାରୀ କରାଯିବାକୁ ଥିବା ପ୍ରାଥମିକ ପଦକ୍ଷେପଗୁଡ଼ିକ ଉପରେ ଆୟୋଜିତ ଏକ ଗୋଲଟେବୁଲ ବୈଠକରେ ଭାରତ ଅଧ୍ୟକ୍ଷତା କରିଥିଲା । ଜଳବାୟୁ ପରିବର୍ତ୍ତନ ପ୍ରଶମନ କାର୍ଯ୍ୟାନୁଷ୍ଠାନ ଦିଗରେ ଦ୍ରୁତ ଗତିରେ ଏବଂ ବ୍ୟାପକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ଏହି ଅବସରରେ ବକ୍ତାମାନେ ଏକସ୍ବରରେ ମତବ୍ୟକ୍ତ କରିଥିଲେ । ବିଭିନ୍ନ ଦେଶ ଓ କମ୍ପାନୀମାନେ ସେମାନଙ୍କର ପଦକ୍ଷେପ, ସଫଳତା କାହାଣୀ ଏବଂ ଭବିଷ୍ୟତର ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ଅଂଶଗ୍ରହଣକାରୀମାନେ କେତେକ ନିର୍ଦ୍ଦିଷ୍ଟ ଏବଂ ମୂଲ୍ୟବାନ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ । ସମସ୍ତେ ଏହା ହୃଦବୋଧ କରିଥିଲେ ଯେ, ଘରୋଇ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନକୁ ଭଲ ଭାବରେ କାର୍ଯ୍ୟକାରୀ ଏବଂ ପ୍ରସାରିତ କରାଗଲେ ଅନ୍ତର୍ଜାତୀୟ ସ୍ତରରେ ଏଥିପାଇଁ ମୂଲ୍ୟବାନ ପ୍ରେରଣା ମିଳିପାରିବ । ସମସ୍ତେ ଏଥିରେ ଏକମତ ହୋଇଥିଲେ ଯେ, ଏପରି ମଞ୍ଚ ଜରିଆରେ ହେଉଥିବା ପ୍ରୟାସ ଏବଂ ମତବିନିମୟ କାର୍ଯ୍ୟକ୍ରମ ଦ୍ବାରା ବିଶ୍ବ ଉଚିତ୍ ମାର୍ଗରେ ଆଗେଇ ଯିବାର ସମ୍ଭାବନା ରହିଛି । ଏବେ ପ୍ରତିବଦ୍ଧତା ଓ ସଂକଳ୍ପଗୁଡ଼ିକୁ ପ୍ରଶମନ କାର୍ଯ୍ୟାନୁଷ୍ଠାନ ଏବଂ ଗ୍ରହଣୀୟତା ଦିଗରେ ନେଇଯିବାର ଆବଶ୍ୟକତା ରହିଛି ଯାହାକି ଜଳବାୟୁ ପାଣ୍ଠି ଯୋଗାଣ ଏବଂ ପ୍ରଯୁକ୍ତି ହସ୍ତାନ୍ତର ଉପରେ ଆଧାରିତ ହୋଇଥିବ ।