Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»୨୦୧୯-୨୦ ବର୍ଷ ଲାଗି ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ସଂସଦରେ ଉପସ୍ଥାପିତ କଲେ ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ
ବ୍ୟବସାୟ

୨୦୧୯-୨୦ ବର୍ଷ ଲାଗି ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ସଂସଦରେ ଉପସ୍ଥାପିତ କଲେ ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ

February 1, 2019No Comments8 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଆଜି ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ଆଗତ କରିଛନ୍ତି । ନୂତନ ବଜେଟ୍‌ରେ ମୋଟ ବ୍ୟୟ ପରିମାଣ ୨୭, ୮୪,୨୦୦ କୋଟି ଟଙ୍କା ରଖାଯାଇଛି, ଯାହାକି ଚଳିତ ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୧୩.୩ ପ୍ରତିଶତ ଅଧିକ । ଏଥିରେ ମୂଳଧନ ବ୍ୟୟ ପରିମାଣ ୩,୩୬.୨୯୨ କୋଟି ଟଙ୍କା ନିର୍ଦ୍ଧାରିତ ହୋଇଛି । ଆଗାମୀ ଆର୍ଥିକ ବର୍ଷ ଲାଗି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାଗୁଡ଼ିକ ନିମେନ୍ତ ମୋଟ ବ୍ୟୟ ଅଟକଳ ୩,୨୭,୬୭୯ କୋଟି ଟଙ୍କା ସ୍ଥିର ହୋଇଛି । ରାଜକୋଷୀୟ ନିଅଣ୍ଟ ୨୦୨୦-୨୧ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ମୋଟ ଜିଡିପିର ୩.୪ ପ୍ରତିଶତ ରଖାଯିବାକୁ ବଜେଟ୍‌ରେ ସଂକଳ୍ପ ଘୋଷଣା କରାଯାଇଛି । ଚଳିତ ୨୦୧୮-୧୯ ଆର୍ଥିକ ବର୍ଷର ସଂଶୋଧିତ ବଜେଟ୍‌ ଅଟକଳ ଅନୁସାରେ ବିତ୍ତୀୟ ନିଅଣ୍ଟକୁ କେନ୍ଦ୍ର ସରକାର ୩.୪ ପ୍ରତିଶତକୁ ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି । ଏହା ୭ ବର୍ଷ ତଳେ ୬ ପ୍ରତିଶତରେ ପହଞ୍ଚିଥିଲା । ଗତ ୫ ବର୍ଷ ମଧ୍ୟରେ ଦେଶରେ ୨୩୯ ବିଲିୟନ ଡଲାର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ବିନିଯୋଗ ହୋଇଛି ।

ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ୍‌ ତାଙ୍କ ବଜେଟ୍‌ ଅଭିଭାଷଣ ପ୍ରଦାନବେଳେ ମଧ୍ୟମବର୍ଗ ଓ ଚାଷୀକୂଳ ପାଇଁ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏହା ଏକ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ହୋଇଥିଲେ ମଧ୍ୟ ଚାଷୀ ଓ ମଧ୍ୟବିତ୍ତବର୍ଗ ପୂର୍ଣ୍ଣାଙ୍ଗ ବଜେଟ୍‌କୁ ଅପେକ୍ଷା କରିପାରିବେ ନାହିଁ । ତେଣୁ ସେମାନଙ୍କ ପାଇଁ ଯୁଗାନ୍ତକାରୀ କଲ୍ୟାଣମୂଳକ ପଦକ୍ଷେପ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଚାଷୀମାନଙ୍କୁ ସର୍ବନିମ୍ନ ଆୟ ପ୍ରଦାନ ପାଇଁ ଏକ ଐତିହାସିକ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଛୋଟ ଚାଷୀଙ୍କୁ ସିଧାସଳଖ ଲାଭ ମିଳିବ ।

ଚାଷୀମାନଙ୍କ ଆୟ ଦ୍ବିଗୁଣିତ କରିବା ଲକ୍ଷ୍ୟରେ ଅର୍ଥମନ୍ତ୍ରୀ ଆଉ କେତେକ ବାସ୍ତବବାଦୀ ପଦକ୍ଷେପ ମଧ୍ୟ ଘୋଷଣା କରିଛନ୍ତି । ଶ୍ରୀ ଗୋଏଲ୍‌ କହିଛନ୍ତି ଯେ ଚାଷୀମାନଙ୍କ ପାଇଁ ରିହାତି ହସ୍ତକ୍ଷେପ ଯୋଜନା ଅଧୀନରେ ସୁଧ ରିହାତି ୨ଗୁଣ କରାଯିବ ।

ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳର ଚାଷୀମାନଙ୍କୁ ବଡ଼ ଧରଣର ସୁଧ ରିହାତି ମିଳିବ । ସୁଧ ହସ୍ତକ୍ଷେପ ଯୋଜନାରେ ଦୁଇ ପ୍ରତିଶତ ଏବଂ ଠିକ୍‌ ସମୟରେ ଋଣ ପରିଶୋଧ କରିଥିବା ଚାଷୀଙ୍କୁ ଆଉ ତିନି ପ୍ରତିଶତ ଏହିପରି ମୋଟ ୫ ପ୍ରତିଶତ ସୁଧ ରିହାତି ମିଳିବ । ଇତିମଧ୍ୟରେ କେନ୍ଦ୍ର ସରକାର ୨୨ଟି ପ୍ରମୁଖ ଫସଲ ଉପରେ ଉତ୍ପାଦନ ଖର୍ଚ୍ଚକୁ ସମର୍ଥନ ଯୋଗାଇ ଦେଇଛନ୍ତି । ୨୦୧୮-୧୯ ଆର୍ଥିକ ବର୍ଷରେ କୃଷିଋଣ ପରିମାଣ ଧାର୍ଯ୍ୟ ଲକ୍ଷ୍ୟଠାରୁ ବୃଦ୍ଧି ପାଇ ୧୧.୬୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ ।

ଚାଷୀମାନଙ୍କୁ ଆୟକୁ ଦ୍ବିଗୁଣିତ କରିବା ଉପାୟ ସ୍ବରୂପ ଚଳିତ ବଜେଟ୍‌ରେ ମତ୍ସ୍ୟ ଓ ପଶୁପାଳନ ଉଦ୍ୟୋଗକୁ ଅଧିକ ପ୍ରୋତ୍ସାହନ ଦିଆଯାଇଛି । ଦେଶରେ ପ୍ରଥମ ଥର ପାଇଁ ମତ୍ସ୍ୟଚାଷ ବିଭାଗ ଗଠନ ସକାଶେ ଅର୍ଥମନ୍ତ୍ରୀ ଏକ ପ୍ରସ୍ତାବ ଘୋଷଣା କରିଛନ୍ତି । ମତ୍ସ୍ୟ ଓ ପଶୁପାଳନ ଲାଗି ଚାଷୀଙ୍କୁ ୨ ପ୍ରତିଶତ ସୁଧ ରିହାତି ଦେବାକୁ ଘୋଷଣା କରାଯାଇଛି । ରାଷ୍ଟ୍ରୀୟ ଗୋକୁଳ ମିଶନ ଲାଗି ୨୦୧୯-୨୦ ଆର୍ଥିକ ବର୍ଷ ସକାଶେ ୭୫୦ କୋଟି ଟଙ୍କାର ବଜେଟ୍‌ ଘୋଷଣା କରାଯାଇଥିବାବେଳେ ଦେଶୀୟ ପ୍ରଜାତିର ଗାଈ ସଂରକ୍ଷଣ ଲାଗି ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗଠନର ପ୍ରସ୍ତାବ ରଖାଯାଇଛି ।

ମଧ୍ୟମ ବର୍ଗକୁ ଏକ ବଡ଼ ଉପହାର ସ୍ବରୂପ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ୟକ୍ତିଗତ ଆୟକର ଛାଡ଼ ସୀମା ବାର୍ଷିକ ଅଢେଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଷ୍ଟାଣ୍ଡାର୍ଡ ଡିଡକ୍ସନ ପରିମାଣ ୪୦ ହଜାରରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ବ୍ୟାଙ୍କ ଓ ପୋଷ୍ଟ ଅଫିସ ସଂଚୟ ଜମା ରାଶିରେ ମିଳୁଥିବା ସୁଧ ଉପରେ ଟିଡିଏସ୍‌ ରିହାତି ପରିମାଣ ୧୦ ହଜାରରୁ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଘରଭଡ଼ା ଉପରେ ଟିଡିଏସ୍‌ ପରିମାଣ ୧ ଲକ୍ଷ ୮୦ ହଜାରରୁ ୨ ଲକ୍ଷ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଅଧିକନ୍ତୁ, ନିଜ ଅଧୀନରେ ଥିବା ଦ୍ଵିତୀୟ ଘରର ନୋସନାଲ୍‌ ରେଣ୍ଟ ଉପରୁ ଟିକସ ଛାଡ଼ କରାଯିବା ବିଷୟ ଘୋଷଣା ହୋଇଛି ।  ଆୟକର ସେହିପରି ଅବସର ନେଉଥିବା କର୍ମଚାରୀମାନଙ୍କ ସକାଶେ ଗ୍ରାଚ୍ୟୁଇଟି ସୀମା ୧୦ ଲକ୍ଷରୁ ୩୦ ଲକ୍ଷଟଙ୍କା ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏହା ଦ୍ଵାରା ପ୍ରାୟ ୩ କୋଟି ମଧ୍ୟବିତ୍ତ କରଦାତା ଲାଭ ପାଇବେ ଏବଂ ଏଥିଲାଗି କେନ୍ଦ୍ର ସରକାରଙ୍କ ଉପରେ ୨୩ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ।

ନୂତନ ବଜେଟ୍‌ରେ ରେଳବାଇ ପାଇଁ ମୋଟ ବ୍ୟୟ ପରିମାଣ ୧ ଲକ୍ଷ ୫୮ ହଜାର କୋଟି ଟଙ୍କା ସ୍ଥିର କରାଯାଇଛି । ସେଥିମଧ୍ୟରୁ କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୬୪ ହଜାର ୫୮୭ କୋଟି ଟଙ୍କାର ବଜେଟ୍‌ ସହାୟତା ଦେବେ । ଦିଲ୍ଲୀରୁ ବାରଣାସୀ ମଧ୍ୟରେ ଦେଶର ଅତ୍ୟାଧୁନିକ ଦ୍ରୁତଗାମୀ ଟ୍ରେନ୍‌ – ୧୮ ଚଳାଚଳ କରିବ । ଏହି ଟ୍ରେନ୍‌ର ନାମ ଖରାଯାଇଛି ‘ବନ୍ଦେ ଭାରତ ଏକ୍ସପ୍ରେସ୍‌ ।’

ପ୍ରତିରକ୍ଷା ଲାଗି ୨୦୧୯-୨୦ ଆର୍ଥିକ ବର୍ଷରେ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟ ବରାଦ କରାଯାଇଛି । ମନରେଗା ପାଇଁ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାର ପ୍ରସ୍ତାବ ରହିଛି । ରାଷ୍ଟ୍ରୀୟ ଶିକ୍ଷା ମିଶନ ଅଧୀନରେ ୨୦୧୯-୨୦ ବର୍ଷ ଲାଗି ୩୮,୫୭୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଚଳିତ ବର୍ଷ ଅପେକ୍ଷା ୨୦ ପ୍ରତିଶତ ଅଧିକ । ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ବ୍ୟୟବରାଦ ଚଳିତ ବର୍ଷ ତୁଳନାରେ ୧୮ ପ୍ରତିଶତ ବୃଦ୍ଧି ପାଇ ୨୭, ୫୮୪ କୋଟି ଟଙ୍କାରେ ଧାର୍ଯ୍ୟ କରାଯାଇଛି ।

ତଫସିଲଭୁକ୍ତ ଜାତି ଉପଜାତିର କଲ୍ୟାଣ ନିମେନ୍ତ ଉଦ୍ଦିଷ୍‌ଟ ବଜେଟ୍‌ରେ ମଧ୍ୟ ବଡ଼ଧରଣର ବୃଦ୍ଧି ଘଟିଛି । ତଫସିଲଭୁକ୍ତ ଜାତିଙ୍କ କଲ୍ୟାଣ ସକାଶେ ଆଗାମୀ ଆର୍ଥିକ ବର୍ଷ ନିମେନ୍ତ ବ୍ୟୟ ଅଟକଳ ୭୬,୮୦୧ କୋଟି ଟଙ୍କା ଧାର୍ଯ୍ୟ ହୋଇଛି । ଯାହାକି, ଚଳିତ ବର୍ଷଠାରୁ ୩୫.୬ ପ୍ରତିଶତ ଅଧିକ । ସେହିପରି ତଫସିଲଭୁକ୍ତ ଉପଜାତି ବର୍ଗର କଲ୍ୟାଣ ଲାଗି ବଜେଟ୍‌ ପରିମାଣ ୫୦,୦୮୬ କୋଟି ଟଙ୍କା ଧାର୍ଯ୍ୟ ହୋଇଛି, ଯାହାକି  ଚଳିତ ୨୦୧୮-୧୯ ବର୍ଷର ବଜେଟ୍‌ଠାରୁ ୨୮ ପ୍ରତିଶତ ଅଧିକ ।

ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟକ୍ରମ ଜରିଆରେ କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ୮୦ ହଜାର କୋଟି ଟଙ୍କା ଆୟ କରିବେ ବୋଲି ବିଶ୍ବାସ ପ୍ରକଟ କରିଛନ୍ତି । ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ୍‌ କହିଛନ୍ତି ଯେ ବ୍ୟବସ୍ଥା ଓ ପ୍ରଶାସନରେ ସ୍ବଚ୍ଛତା ଆଣିବା ପାଇଁ ସରକାର ପଳାତକ ଆର୍ଥିକ ଅପରାଧୀ ବିଲ୍‌, ଦେବାଳିଆ ଓ ଦେବାଳିଆପଣ ସଂହିତା ଏବଂ ଜିଏସ୍‌ଟି ଭଳି ଐତିହାସିକ ଟିକସ ସଂସ୍କାରମାନ ଆଣିଛନ୍ତି । ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଏବେ ବିଶ୍ବର ସର୍ବବୃହତ୍‌ ବ୍ୟବହାର ସଂସ୍କାର କାର୍ଯ୍ୟକ୍ରମରେ ପରିଣତ ହୋଇଛି । ଦେଶର ଗ୍ରାମାଞ୍ଚଳରେ ୯୮ ପ୍ରତିଶତ ଏରିଆରେ ପରିମଳ ବ୍ୟବସ୍ଥା ପହଞ୍ଚିଛି । ୫.୪୫ ଲକ୍ଷ ଗ୍ରାମକୁ ଖୋଲା ଶୌଚମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି । ମୋଟ ୧୭ ଲକ୍ଷ ଜନବସତି ମଧ୍ୟରୁ ୧୫ ଲକ୍ଷ ବସତିକୁ ପକ୍କା ରାସ୍ତା ନିର୍ମାଣ ହୋଇଛି । ଗରିବର ଗ୍ରାମକୁ ଏବେ ବସ୍‌ ଯାତାୟତ କରିପାରୁଛି । ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା କାର୍ଯ୍ୟ ମଧ୍ୟ ବେଶ୍‌ ଅଗ୍ରଗତି କରିଛି । ଏଥିଲାଗି ୨୦୧୯-୨୦ ଆର୍ଥିକ ବର୍ଷ ସକାଶେ ୧୯ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଦେଶର ଦୈନିକ ୨୭ କିଲୋମିଟର ସଡ଼କ ନିର୍ମାଣ କରାଯାଇଛି, ଯାହାକି ପୂର୍ବ ବର୍ଷଗୁଡ଼ିକ ତୁଳନାରେ ୫ଗୁଣ ଅଧିକ । ଗତ ସାଢ ୪ ବର୍ଷରୁ ଅଧିକ ସମୟ ମଧ୍ୟରେ ଦେଶରେ ୧୪୩ କୋଟି ଏଲ୍‌ଇଡି ବଲବ ବିତରଣ କରାଯାଇଛି । ଏହାଦ୍ବାରା ୫୦ ହଜାର କୋଟି ଟଙ୍କା ବିଦ୍ୟୁତ ବିଲ୍‌ ବାବଦରେ ଲୋକମାନେ ସଂଚୟ କରିପାରିଛନ୍ତି । ଆସନ୍ତା ମାର୍ଚ୍ଚ ୨୦୧୯ ସୁଦ୍ଧା ସବୁ ଆଗ୍ରହୀ ଘରକୁ ବିଜୁଳି ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଭାରତ ଏବେ ବିଶ୍ଵର ଷଷ୍ଠ ବୃହତ୍‌ ଅର୍ଥବ୍ୟବସ୍ଥା ହୋଇଥିବାବେଳେ ଦେଶର ୫୦ କୋଟି ଲୋକଙ୍କ ପାଇଁ ବିଶ୍ଵର ସର୍ବବୃହତ୍‌ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଆରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା – ଆୟୁଷ୍ମାନ ଭାରତ ଅଧୀନରେ ଏପର୍ଯ୍ୟନ୍ତ ୧୦ ଲକ୍ଷ ଲୋକ ଆଧୁନିକ ଚିକିତ୍ସା ସୁବିଧା ପାଇଛନ୍ତି, ଯାହାଦ୍ଵାରା ସେମାନଙ୍କର ୩ ହଜାର କୋଟି ଟଙ୍କା ସଂଚୟ ହୋଇଛି ।

ବ୍ୟାଙ୍କଗୁଡ଼ିକର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ କରିବା ଲାଗି କେନ୍ଦ୍ର ସରକାର ଗତ ୫ବର୍ଷ ମଧ୍ୟରେ ୨.୬ ଲକ୍ଷ କୋଟି ଟଙ୍କାର ପୁନଃପୁଞ୍ଜିକରଣ ବ୍ୟବସ୍ଥା ଲାଗୁ କରିଛନ୍ତି । ନୂତନ ପେନ୍‌ସେନ୍‌ ସ୍କିମ୍‌ – ଏନ୍‌ପିଏସ୍‌ ଅଧୀନରେ ଆସୁଥିବା କର୍ମଚାରୀମାନଙ୍କ ଦେୟ ଉପରେ କେନ୍ଦ୍ର ସରକାର ତାଙ୍କ ଅବଦାନକୁ ୧୦ରୁ ୧୪ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଇପିଏଫ୍‌ଓ ପକ୍ଷରୁ କ୍ଷତିପୂରଣ ରାଶି ଶ୍ରମିକମାନଙ୍କ ସକାଶେ ଅଢେଇ ଲକ୍ଷରୁ ୬ ଲକ୍ଷକୁ ବୃଦ୍ଧି କରାଯାଇଛି । ଅଙ୍ଗନଓ୍ବାଡ଼ି ଓ ଆଶାକର୍ମୀମାନଙ୍କ ପାରିଶ୍ରମିକ ୫୦ ପ୍ରତିଶତ ବୃଦ୍ଧି କରିବା ଲାଗି ଅର୍ଥମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି ।

ଶ୍ରମିକମାନଙ୍କ ସକାଶେ ବିଶ୍ଵର ସର୍ବବୃହତ୍‌ ପେନ୍‌ସନ୍‌ ଯୋଜନା ଆରମ୍ଭ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଯୋଜନାର ନାମ ରଖାଯାଇଛି – ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନ୍‌ଧନ୍‌ ଯୋଜନା । ପ୍ରସ୍ତାବିତ ଯୋଜନା ଅଧୀନରେ ଜଣେ ଶ୍ରମିକ ମାସକୁ ୧୦୦ ଟଙ୍କାରେ ଜମା ଦେବେ ଏବଂ ୬୦ ବର୍ଷ ପରେ ତାଙ୍କୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ପେନ୍‌ସନ୍‌ ମିଳିବ । ଏହି ଯୋଜନା ଚଳିତ ୨୦୧୮-୧୯ ଆର୍ଥିକ ବର୍ଷରୁ ପାଇଲଟ୍‌ ଭିତ୍ତିରେ ଲାଗୁ କରାଯିବ । ବଜେଟ୍‌ରେ ଏଥିପାଇଁ ୫୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ଉଜ୍ଜ୍ବଳା ଯୋଜନା ସମ୍ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍‌ ଅଭିଭାଷଣରେ କହିଛନ୍ତି ଯେ ଆସନ୍ତା ବର୍ଷ ସୁଦ୍ଧା ଦେଶରେ ୮ କୋଟି ଗରିବ ମହିଳାଙ୍କୁ ଏଲ୍‌ପିଜି ସଂଯୋଗ ଯୋଗାଇ ଦିଆଯିବ । ପ୍ରତି ଗରିବ ଘରକୁ ସ୍ଵଚ୍ଛ ଇନ୍ଧନ ଯୋଗାଇବ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ଦ୍ଵାରା ବର୍ତ୍ତମାନ ସୁଦ୍ଧା ୬ କୋଟି ବିପିଏଲ୍‌ ମହିଳାଙ୍କୁ ଏଲ୍‌ପିଜି ସଂଯୋଗ ପ୍ରଦାନ କରାଯାଇଛି ।

ମୁଦ୍ରାଯୋଜନା ଅଧୀନରେ ୧୫.୫୬ କୋଟି ୟୁନିଟ୍‌ କ୍ଷୁଦ୍ର ଋଣ ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ୭୦ ପ୍ରତିଶତ ମହିଳା ଉଦ୍ୟୋଗୀ ରହିଛନ୍ତି । କେନ୍ଦ୍ର ସରକାର, ସୂକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ଦ୍ବାରା ଉତ୍ପାଦିତ ସାମଗ୍ରୀର ୨୫ ପ୍ରତିଶତ କ୍ରୟ ନିମେନ୍ତ ପ୍ରସ୍ତାବ ରଖିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ୧୦୦ରୁ ଅଧିକ ଛୋଟ ଓ ମଧ୍ୟମ ବିମାନ ବନ୍ଦର ଉଡ଼ାଣ ଯୋଜନାରେ ପ୍ରତିଷ୍ଠା କରାଯାଇଛି । ଫଳରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରମାନେ ମଧ୍ୟ ଟ୍ରେନ୍‌ ପରିବର୍ତ୍ତେ ଶସ୍ତାରେ ବିମାନ ଯାତ୍ରା କରିପାରୁଛନ୍ତି । ସେହିପରି ଆଭ୍ୟନ୍ତରୀଣ ଜଳପଥରେ ଉତ୍ସଗୀକୃତ ମାଲ୍‌ ପରିବହନ ସେବା ଆରମ୍ଭ କରାଯିବାର ପଦକ୍ଷେପ ନିଆଯାଉଛି ।

ଗତ ସାଢେ ଚାରିବର୍ଷ ମଧ୍ୟରେ ମୋବାଇଲ୍‌ ନିର୍ମାତାଙ୍କ ସଂଖ୍ୟା ୨ରୁ  ୨୬୮କୁ ବୃଦ୍ଧି ପାଇଛି । ଏବେ କେନ୍ଦ୍ର ସରକାର ୧ ଲକ୍ଷ ଡିଜିଟାଲ୍‌ ଗ୍ରାମ ନିର୍ମାଣର ପ୍ରସ୍ତାବ ରଖିଛନ୍ତି । କୃତ୍ରିମ ବୌଦ୍ଧିକତା କ୍ଷେତ୍ରର ବିକାଶ ଲାଗି ୯ଟି ପ୍ରମୁଖ କ୍ଷେତ୍ର ବଛାଯାଇଛି ଏବଂ ଏଥିଲାଗି ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଦେଶର ୧ କୋଟି ଯୁବକଙ୍କୁ କୌଶଳ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ସେମାନେ ଆତ୍ମନିଯୁକ୍ତିର ସୁବିଧା ପାଇବେ ଏବଂ ଅନ୍ୟ ଲାଗି ନିଯୁକ୍ତିର ସୁଯୋଜଗ ମଧ୍ୟ ସୃଷ୍ଟି କରିପାରିବେ ।

ଐତିହାସିକ ଟିକସ ସଂସ୍କାର ଜିଏସ୍‌ଟି ଆକଳନ ରଖି ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ୍‌ କହିଛନ୍ତି ଯେ ଜିଏସ୍‌ଟି ଏବଂ ବିମୁଦ୍ରୀକରଣ ପରେ ଆୟକର ରିଟର୍ଣ୍ଣ ଦାଖଲକାରୀଙ୍କ ସଂଖ୍ୟା ୩.୭୯ କୋଟିରୁ ୬.୮୫ କୋଟିକୁ ବୃଦ୍ଧି ପାଇଛି । ଟିକସ ପରିସର ୮୦ ପ୍ରତିଶତ ବୃଦ୍ଧି ଘଟିଛି । କମ୍ପୋଜିଟ୍‌ ସ୍କିମ୍‌ ଅଧୀନରେ ବ୍ୟବସାୟ ୟୁନିଟ୍‌ଗୁଡ଼ିକୁ ୧୮ ପ୍ରତିଶତ ବଦଳରେ ୬ ପ୍ରତିଶତ ଜିଏସ୍‌ଟି ବସାଯିବାକୁ ସ୍ଥିର କରାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ ମାସିକ ହାରାହାରି ୯୭,୧୦୦ କୋଟି ଟଙ୍କାର ରାଜସ୍ଵ ମିଳୁଛି । କିନ୍ତୁ ବର୍ତ୍ତମାନର ଟିକସ ଆଦାୟର ଧାରାକୁ ନେଇ ନଜର ରଖିଲେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଏହି ହାର ମାସିକ ୧ ଲକ୍ଷ କୋଟି ଟଙ୍କାରୁ ବଳିଯିବ । ଏଣୁ ଆଗାମୀ ବର୍ଷରେ ଜିଏସ୍‌ଟି ଆଦାୟ ହାର ଆହୁରି ବଢିବ ବୋଲି ଅର୍ଥମନ୍ତ୍ରୀ ଏକ ଉଜ୍ଜ୍ବଳ ଭବିଷ୍ୟତ ଆଶା କରୁଛନ୍ତି । ସେ କହିଛନ୍ତି ଯେ ଏବେ ଜିଏସ୍‌ଟି ରିଟର୍ଣ୍ଣ ଦାଖଲକୁ ସମ୍ପୂର୍ଣ୍ଣ ରୂପେ ଅନ୍‌ଲାଇନ୍‌ କରାଯାଇଛି । ଆୟକର ରିଟର୍ଣ୍ଣ ଦାଖଲ ପରେ ରିଫଣ୍ଡ୍‌ ଲାଗି ୨୪ ଘଣ୍ଟା ମଧ୍ୟରେ ଫେରସ୍ତ ପାଇବାର ବ୍ୟବସ୍ଥା କରାଯାଉଛି । କେନ୍ଦ୍ର ସରକାର ମଧ୍ୟବିତ୍ତ ପରିବାର ମାନଙ୍କ ଗୃହ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଏସ୍‌ଟି ପରିଷଧକୁ ଟିକସ ହାର କମ୍‌ ରଖିବା ସକାଶେ ପ୍ରସ୍ତାବ ଦେଇଛନ୍ତି ।

ବିମୁଦ୍ରୀକରଣ ପରେ ଦେଶରେ ୩.୩୮ ଲକ୍ଷ ଜାଲ୍‌ ଓ ନକଲି କମ୍ପାନୀର ପଞ୍ଜିକରଣ ରଦ୍ଦ କରାଯାଇଛି । ୧.୩ କୋଟି ଲୋକ ଆୟକର ନେଟ୍‌ଓ୍ବାର୍କ ମଧ୍ୟକୁ ଆସିଛନ୍ତି । ବିଭିନ୍ନ ଉପାୟରେ ୫୦ ହଜାର କୋଟି ଟଙ୍କାର କଳାଧନ ଜବତ ଅଥବା ବାଜ୍ୟାପ୍ତି କରାଯାଇଛି । ଭାରତ ଏବେ ୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଛି । ଅପରପକ୍ଷରେ ୩୬ଟି ମହତ୍ତ୍ବପୂର୍ଣ୍ଣ ସାମଗ୍ରୀ ଉପରେ ସୀମାଶୁଳ୍କ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରାଯାଇଛି । ଏହା ଅର୍ଥବ୍ୟବସ୍ଥାକୁ ଆହୁରି ମଜବୁତ୍‌ କରିବ । ଆଗାମୀ ୮ ବର୍ଷ ମଧ୍ୟରେ ଆମ ଦେଶ ୧୦ ଟ୍ରିଲିୟନ୍‌ ଡଲାରର ଅର୍ଥ ବ୍ୟବସ୍ଥା ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଦେଶକୁ ଏକ ନୂତନ ଶିଖରରେ ପହଞ୍ଚାଇବା ପାଇଁ ଏବଂ ନ୍ୟୁ ଇଣ୍ଡିଆ ନିର୍ମାଣ ଲକ୍ଷ୍ୟ ହାସଲ ପାଇଁ ୨୦୧୯-୨୦ ବଜେଟ୍‌ରେ ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ୍‌ ଏକ ଦଶସୂତ୍ରୀ ଆଭିମୁଖ୍ୟ ଘୋଷଣା କରିଛନ୍ତି  । ୧) ଭୌତିକ ଓ ସାମାଜିକ ଭିତ୍ତିଭୂମି ନିର୍ମାଣ, ୨) ଡିଜିଟାଲ୍‌ ଭାରତ ଓ ଅର୍ଥବ୍ୟବସ୍ଥାର ଭିତ୍ତିଭୂମିକୁ ସୁଦୃଢ କରିବା, ୩) ଏକ ପ୍ରଦୂଷଣ ମୁକ୍ତ ରାଷ୍ଟ୍ର ଗଠନ, ୪) ଗ୍ରାମ୍ୟ ଉଦ୍ୟୋଗୀକରଣର ସମ୍ପ୍ରସାରଣ, ୫) ସ୍ବଚ୍ଛ ନଦୀ  ଓ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ, ୬) ବେଳାଭୂମି ଓ ସମୁଦ୍ର ଜଳରୁ ଶକ୍ତିର ବିକାଶ, ୭) ୨୦୨୨ ସୁଦ୍ଧଶ ମହାକାଶରେ ଭାରତୀୟଙ୍କୁ ପଦାର୍ପଣ କରାଇବା ୮) ଖାଦ୍ୟ ଉତ୍ପାଦନରେ ଭାରତକୁ ସ୍ବାବଲମ୍ବୀ କରାଇବା, ୯) ସ୍ବାସ୍ଥ୍ୟପ୍ରଦ ଭାରତ ଏବଂ ୧୦) ଛୋଟ ସରକାର, ସର୍ବୋତ୍ତମ ପ୍ରଶାସନ ।

 

Budget2019 odishanews thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ଯୁକ୍ତରାଜ୍ୟ ବ୍ୟାପକ ବାଣିଜ୍ୟ ରାଜିନାମା ଯୋଗୁଁ ୩ ବର୍ଷରେ ୫୦% ବୃଦ୍ଧି ପାଇବ ଭାରତର କୃଷି ରପ୍ତାନି

July 28, 2025

ଭାରତର କେତେ ଯୁଦ୍ଧ ବିମାନ ଖସାଇ ଦିଆଯାଇଥିଲା?: ସଂସଦରେ ଉତ୍ତର ଦେଲେ ରାଜନାଥ ସିଂହ

July 28, 2025

ନିରନ୍ତର ହ୍ରାସ ପାଉଛି ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଆଜିର ଦର

July 28, 2025

ଉପରାଷ୍ଟ୍ରପତି ନିର୍ବାଚନ ଯେତିକି ନିକଟତର ହେଉଛି, ବିଜେଡିର ଚିନ୍ତା ସେତିକି ବଢୁଛି

July 28, 2025
Latest News

ରଣପୁର ବ୍ଲକ ଛାତ୍ର କଂଗ୍ରେସ ର କର୍ମୀ ସମ୍ମିଳନୀ

July 28, 2025

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ଡିଆରଏମ ଭାବରେ ଆଲୋକ ତ୍ରିପାଠୀଙ୍କ ଯୋଗଦାନ

July 28, 2025

ଭାରତ-ଯୁକ୍ତରାଜ୍ୟ ବ୍ୟାପକ ବାଣିଜ୍ୟ ରାଜିନାମା ଯୋଗୁଁ ୩ ବର୍ଷରେ ୫୦% ବୃଦ୍ଧି ପାଇବ ଭାରତର କୃଷି ରପ୍ତାନି

July 28, 2025

ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଯୋଗଦାନ କଲେ ଆଇଏଏସ ଅମ୍ରିତ୍ ଋତୁରାଜ

July 28, 2025

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଚାରି ରେଳ କର୍ମଚାରୀ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

July 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.