
ଭୁବନେଶ୍ବର, ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ 2020-21 ବର୍ଷ ପାଇଁ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନା କରିଛନ୍ତି। ଏଥର ରାଜ୍ୟ ବଜେଟ କଳେବର 1 ଲକ୍ଷ 50 ହଜାର କୋଟି ଟଙ୍କାରେ ପହଁଚିଛି। ଏହି ବଜେଟରୁ 65,655 କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ ପାଇଁ ରଖାଯାଇଥିବା ବେଳେ 74000 କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ପାଇଁ ବ୍ୟୟ କରିବା ପାଇଁ ବ୍ୟବସ୍ଥା କରାଯାଇଛି।
ସେହିପରି 3200 କୋଟି ଟଙ୍କା କେବଳ ବିପର୍ଯ୍ୟୟ ପରିଚାଳନା ପାଇଁ ବ୍ୟୟ ବରାଦ କରାଯାଇଛି। ଏହି ବଜେଟରେ 7145 କୋଟି ଟଙ୍କା ଉନ୍ନୟନ କର୍ତ୍ତୁପକ୍ଷ ଏବଂ ବିଜ୍ଞାପିତ ଅଞ୍ଚଳର ଉନ୍ନୟନ ପାଇଁ ବ୍ୟବସ୍ଥା କରାଯାଇଛି।ଏହା ବ୍ୟତିତ ପ୍ରାୟ 6500 କୋଟି ଟଙ୍କା OMBADC, DMF, State PSUs ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।
ପୁରୀକୁ ବିଶ୍ବ ଐତିହ୍ୟ ସ୍ଥଳ କରିବା ପାଇଁ ରାଜ୍ୟ ସରକାର ଏଥର ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏଥର ପୁରୀରେ ଅଭଢା ଯୋଜନା ପାଇଁ 695 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେହିପରି ଲିଙ୍ଗରାଜ ମନ୍ଦିର ଏବଂ ପୁରୁଣା ଭୁବନେଶ୍ବରର ଉନ୍ନୟନ ପାଇଁ 150 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।