ମୁମ୍ବାଇ : ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଅର୍ଥନୈତିକ ମୁଦ୍ରାନୀତି ସମ୍ପର୍କରେ ଘୋଷଣା କରିଛନ୍ତି । ଶୁକ୍ରବାର ଆରବିଆଇ ପକ୍ଷରୁ ଘୋଷିତ ମୁଦ୍ରାନୀତିରେ ରେପୋରେଟକୁ ଅପରିବର୍ତ୍ତିତ ରଖାଯାଇଛି । ରେପୋ ରେଟ୍ ପୂର୍ବବତ ୪ ପ୍ରତିଶତ ରହିଛି । ମାନ୍ଦାବସ୍ଥା ଲାଗିରହିଥିବା ବେଳେ ଉନ୍ନତ ମୌସୁମୀ କାରଣରୁ କୃଷି ବ୍ୟବସ୍ଥାରେ ସୁଧାର ଦେଖା ଦେବା ନେଇ ଆକଳନ କରିଛନ୍ତି ଶକ୍ତିକାନ୍ତ ଦାସ । ତେବେ ସମଗ୍ର ବିଶ୍ୱର ଅର୍ଥନୀତି ତଳୁଆ ରହିଥିବାରୁ ରେପୋରେଟ୍ ଅପରିବର୍ତ୍ତିତ ରଖିବାକୁ ଆରବିଆଇ ବାଧ୍ୟ ହୋଇଛି ବୋଲି ଗଭର୍ଣ୍ଣର କହିଛନ୍ତି । ରେପୋ ରେଟ ଅପରିବର୍ତ୍ତିତ ରହିବା ଦ୍ୱାରା ଗ୍ରାହକଙ୍କୁ ଋଣ ହାସଲରେ ସୁବିଧା ହେବ ବୋଲି ମଧ୍ୟ ପ୍ରେସ୍ ମିଟ୍ରେ ଉଲ୍ଲେଖ କରିଛନ୍ତି ଆରବିଆଇ ଗଭର୍ଣ୍ଣର। ସେହିପରି ଚଳିତ ଅଭିବୃଦ୍ଧି ବିଗତ ୬ ଦଶକ ମଧ୍ୟରେ ସର୍ବନିମ୍ନ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।
ତେବେ ଋଣକିସ୍ତି ଛାଡ (ମୋରାଟାରିୟମ୍ ଲୋନ୍) ବିଷୟରେ ଆରବିଆଇ ଗଭର୍ଣ୍ଣର କିଛି ସୂଚନା ଦେଇନାହାନ୍ତି । ସୂଚନାଯୋଗ୍ୟ ଅଗଷ୍ଟ 31 ତାରିଖରେ ଋଣ କିସ୍ତି ର ଅବଧି ଶେଷ ହେବାକୁ ଥିବାବେଳେ ଏହା ସମ୍ପର୍କରେ ଗର୍ଭର୍ଣ୍ଣର କୌଣସି ସୂଚନା ଦେଇନାହାନ୍ତି । ତେବେ ଏହାକୁ ନେଇ ଏକ ବଡ ଘୋଷଣା କରାଯାଇପାରେ ବୋଲି ସୂଚନା ରହିଛି । 2020-2021 ଆର୍ଥିକ ବର୍ଷରେ ଜିଡିପି ଗ୍ରୋଥ୍ ରେଟ୍ ନେଗେଟିଭ୍ ରହିବ ବୋଲି ଆରବିଆଇ ଗଭର୍ଣ୍ଣର ସୂଚନା ଦେଇଛନ୍ତି । (ଏଜେନ୍ସି)