ଟିକସ ବ୍ୟବସ୍ଥାରେ ସ୍ବଚ୍ଛତା ବୃଦ୍ଧି ପାଇଁ ନୂତନ ସ୍ବତନ୍ତ୍ର ପ୍ଲାଟଫର୍ମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Published: Aug 13, 2020, 12:09 pm IST

ନୂଆଦିଲ୍ଲୀ : ଦେଶରେ ନୂତନ ଆୟକର ବ୍ୟବସ୍ଥାର ଶୁଭାରମ୍ଭ ନିମନ୍ତେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦିନ 11ଟା ସମୟରେ ପ୍ରଧାନମନ୍ତ୍ରୀ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ସଚ୍ଚୋଟ ଟିକସଦାତାଙ୍କୁ ଉତ୍ସାହିତ କରିବା ଏବଂ ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି  ଏକ ନୂତନ ସ୍ୱତନ୍ତ୍ର ପ୍ଲାଟଫର୍ମ ଆରମ୍ଭ କରିଛନ୍ତି। ଏହାର ନାମ ହେଉଛି ‘ସ୍ୱଚ୍ଛ କର: ସଚ୍ଚୋଟଙ୍କୁ ସମ୍ମାନ’। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ଲାଟଫର୍ମ ହେଉଛି ଏକବିଂଶ ଶତାବ୍ଦୀର ଟିକସ ବ୍ୟବସ୍ଥାର ଆରମ୍ଭ, ଯେଉଁଥିରେ ଫେସଲେସ୍ ଆସେସମେଣ୍ଟ-ଅପିଲ୍ ଏବଂ ଟିକସଦାତା ଚାର୍ଟର୍ ଭଳି ପ୍ରମୁଖ ସଂସ୍କାର ରହିଛି।

ଏହି ନୂତନ ଆୟକର ବ୍ୟବସ୍ଥା ଅନୁଯାୟୀ କରଦାତାଙ୍କୁ ଫେସଲେସ୍‌ ଆସେସ୍‌ମେଣ୍ଟ, ଟ୍ୟାକ୍ସ ପେୟର୍ସ ଚାର୍ଟର୍‌ ଓ ଫେସଲେସ ଅପିଲ୍‌ର ସୁବିଧା ମିଳିବ । ଆଜିଠାରୁ ଏହି ସେବା ଆରମ୍ଭ ହୋଇଥିବା ବେଳେ ଫେସଲେସ୍ ଅପିଲ୍ ସେବା ସେପ୍ଟେମ୍ବର 25ରୁ ବିଧିବଦ୍ଧ ଭାବରେ ଲାଗୁ କରାଯିବ । ସେହିପରି5 ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କୌଣସି ଆୟକର ପ୍ରଦାନ କରିବାକୁ ପଡିବ ନାହିଁ। ସେହିପରି ଅନ୍ୟ ସମସ୍ତ ଆୟକର ସ୍ଲାବରେ ମଧ୍ୟ ଆୟକର ହ୍ରାସ କରାଯାଇଛି। ତେବେ ଫେସଲେସ୍‌ ଆସେସ୍‌ମେଣ୍ଟକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2019 ବଜେଟ୍‌ରେ ଏହାର ଅବଧାରଣା ଦେଇଥିଲେ ।

ଏହି ନୂତନ ବ୍ୟବସ୍ଥା ଲାଗୁ କରାଯିବା ପରେ ଭାରତ କର୍ପୋରେଟ୍ ଟିକସରେ ସର୍ବନିମ୍ନ ଟିକସ ଆଦାୟ କରୁଥିବା ଦେଶ ହୋଇଛି । ଜଟିଳ ବ୍ୟବସ୍ଥାରୁ ଜଟିଳ ପରସ୍ଥିତି ସୃଷ୍ଟି ହୋଇଥାଏ ତେଣୁ ସରକାର ଆଇନକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରିବାକୁ ଚାହୁଁଛନ୍ତି। ଏହାଦ୍ୱାରା କରଦାତା ଖୁସିରେ ରହିବେ ଏବଂ ପରୋକ୍ଷରେ ଦେଶ ମଧ୍ୟ ଅଗ୍ରଗତି କରିବ ।

ଏହି ଆଇନକୁ ପ୍ରଣୟନ କରିବା ପାଇଁ ଅନେକ ଦିନରୁ ପ୍ରୟାସ ଆରମ୍ଭ କରାଯାଇଛି ଫଳରେ ଏକାଧିକ କର ବ୍ୟବସ୍ଥାକୁ ହଟାଇ ଜିଏସଟି ଲାଗୁ କରାଯାଇଛି ଏଥିରେ ସମୟ ସମୟରେ ପରିବର୍ତ୍ତନ ହୋଇଛି ମାତ୍ର ତାହା ଯଥେଷ୍ଟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି । ଦେଶରେ 130 କୋଟି ଲୋକଙ୍କ ମଧ୍ୟରୁ କେବଳ ଦେଢ କୋଟି ଲୋକ ଟ୍ୟାକ୍ସ ଭରୁଛନ୍ତି, ଯାହା ବହୁତ କମ୍‌ ସଂଖ୍ୟା ଅଟେ । ସମସ୍ତଙ୍କୁ ଏହା ଉପରେ ଚିନ୍ତନ କରିବାର ଆବଶ୍ୟକତା ରହିଛି । ଏହା ଦ୍ବାରା ଦେଶ ଆତ୍ମନିର୍ଭର ଆଗକୁ ଆଗେଇବ। ଆଜିଠାରୁ ଆରମ୍ଭ ହୋଇଥିବା ଟିକସ ବ୍ୟବସ୍ଥାରେ ନୂତନ ବ୍ୟବସ୍ଥା ଗୁଡିକ ମିନିୟମ୍‌ ଗର୍ଭର୍ଣ୍ଣମେଣ୍ଟ – ମ୍ୟାକ୍ସିମମ୍‌ ଗର୍ଭେନସ୍‌କୁ ଆଗକୁ ବଢାଇବ ବୋଲି କହିଛନ୍ତି ମୋଦି ।

Related posts