Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତ ଜୈବିକ ପଦ୍ଧତିରେ ଉତ୍ପାଦିତ ଅଳସୀ, ସିସମ, ସୋୟାବିନ, ଚା’, ଔଷଧୀୟ ଗୁଳ୍ମ, ଚାଉଳ ଓ ଡାଲି ସର୍ବାଧିକ ରପ୍ତାନୀ କରୁଛି
ଅନ୍ତରାଷ୍ଟ୍ରୀୟ

ଭାରତ ଜୈବିକ ପଦ୍ଧତିରେ ଉତ୍ପାଦିତ ଅଳସୀ, ସିସମ, ସୋୟାବିନ, ଚା’, ଔଷଧୀୟ ଗୁଳ୍ମ, ଚାଉଳ ଓ ଡାଲି ସର୍ବାଧିକ ରପ୍ତାନୀ କରୁଛି

August 14, 2020No Comments6 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଜୈବିକ କୃଷି କ୍ରମଶଃ ଅଧିକରୁ ଅଧିକ ସଫଳତା ଓ ଲୋକପ୍ରିୟତା ଅର୍ଜନ କରୁଛି। କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଜୈବିକ କୃଷିଜାତ ସାମଗ୍ରୀର ଚାହିଦା ବଢିବାରେ ଲାଗିଛି । କରୋନା ଦ୍ୱାରା ଗୁରୁତରଭାବେ ପ୍ରଭାବିତ ବିଶ୍ୱ ଏବେ ଅଧିକରୁ ଅଧିକ ପୁଷ୍ଟିକର, ସ୍ୱାସ୍ଥ୍ୟକର ଓ ନିରାପଦ ଖାଦ୍ୟ ଲୋଡୁଛି। ଫଳରେ ଜୈବିକ କୃଷିଜାତ ସାମଗ୍ରୀ ଚାହିଦା ବଢୁଛି; ଫଳରେ ଚାଷୀ, ଖାଉଟି ଓ ପରିବେଶ ସମସ୍ତଙ୍କୁ ଏହି ଚାଷଦ୍ୱାରା ଲାଭ ମିଳୁଛି।

ଭାରତରେ ବିଶ୍ୱର ସର୍ବାଧିକ ଜୈବିକ ଚାଷୀ ଅଛନ୍ତି। ସେହିଭଳି ଭାରତରେ ବିଶ୍ୱରେ ନବମ ସର୍ବାଧିକ ଜମିରେ ଜୈବିକ ଚାଷ କରାଯାଉଛି। ସିକ୍କିମ୍ ରାଜ୍ୟ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ପ୍ରଥମକରି ସଂପୂର୍ଣ୍ଣ ଜୈବିକ କୃଷି ମାନ୍ୟତା ହାସଲ କରିଛି । ଏଠାରେ ଜୈବିକ କୃଷି ଛଡା ଅନ୍ୟ କୌଣସି ପ୍ରକାରର ଚାଷ କରାଯାଉନାହିଁ । ତ୍ରିପୁରା ଏବଂ ଉତ୍ତରାଖଣ୍ଡ ମଧ୍ୟ ସମାନ ଲକ୍ଷ୍ୟରଖି ଆଗେଇ ଚାଲିଛନ୍ତି। ପାରମ୍ପରିକ ଦୃଷ୍ଟିରୁ ଭାରତର ଉତ୍ତର ପୂର୍ବାଞ୍ଚଳରେ ଜୈବିକ ପଦ୍ଧତିରେ କୃଷି କାର‌୍ୟ୍ୟ ହୋଇଥାଏ। ଏସବୁ ରାଜ୍ୟରେ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ ଖୁବ୍ କମ୍ ରାସାୟନିକ ସାର ବ୍ୟବହାର କରାଯାଇଥାଏ। ଦେଶର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ଦ୍ୱୀପାଞ୍ଚଳଗୁଡିକରେ ଏବେ ଜୈବିକ ଚାଷକୁ ଗୁରୁତ୍ୱ ଦିଆଯାଉଛି ।

ଜୈବିକ କୃଷି ପଦ୍ଧତି ଅବଲମ୍ବନ କରି ନିଜର ଆୟ ବୃଦ୍ଧି କରିବାକୁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ଜୈବିକ କୃଷି ପଦ୍ଧତିରେ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ଓ ବଜାର ଚାହିଦା ମଧ୍ୟ ଭଲ ରହୁଛି। ଏହି କାର‌୍ୟ୍ୟରେ ଚାଷୀଙ୍କୁ ସହାୟତା ଦେବାପାଇଁ ସରକାର ଦୁଇଟି ଉତ୍ସର୍ଗୀକୃତ କାର‌୍ୟ୍ୟକ୍ରମ ହାତକୁ ନେଇଛନ୍ତି । ସେଥିରୁ ଗୋଟିଏ ହେଲା ଉତ୍ତର ପୂର୍ବାଞ୍ଚଳ ଅର୍ଗାନିକ ଭ୍ୟାଲୁଚେନ ମିଶନ ବା ଏମ୍‌ଓଭିସିଡି ଏବଂ ଅନ୍ୟଟି ହେଲା ପରମ୍ପରାଗତ କୃଷି ବିକାଶ ଯୋଜନା ବା ପିକେଭିୱାଇ।

୨୦୧୫ରୁ ଆରମ୍ଭ ହୋଇଥିବା ଏହି ଦୁଇ ଯୋଜନାରେ ରାସାୟନିକ ସାର ମୁକ୍ତ ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରାଯାଉଛି। ୨୦୧୮ର କୃଷି ରପ୍ତାନୀ ନୀତିରେ ଜୈବିକ ଚାଷକୁ ମଧ୍ୟ ଅଗ୍ରାଧିକାର ଦିଆଯାଇଛି । ଏହା ଫଳରେ ଆନ୍ତର୍ଜାତିକ ଜୈବିକ ବଜାରରେ ଭାରତ ଏକ ପ୍ରମୁଖ ରାଷ୍ଟ୍ରଭାବେ ଉଭା ହୋଇପାରିବ। ଭାରତରୁ ମୁଖ୍ୟତଃ ଜୈବିକ ଉପାୟରେ ଉତ୍ପାଦିତ ଅଳସୀ, ସିସମ ବା ରୋଜଉଡ୍‌, ସୋୟାବିନ୍‌, ଚା, ଔଷଧୀୟ ଗୁଳ୍ମ, ଚାଉଳ ଓ ଡାଲି ଆଦି ରପ୍ତାନୀ ହୋଇଥାଏ। ୨୦୧୮-୧୯ ବର୍ଷରେ ଭାରତ ଯେତେ ଜୈବିକ କୃଷିଜାତ ସାମଗ୍ରୀ ରପ୍ତାନୀ କରିଥିଲା ଏସବୁ ସାମଗ୍ରୀର ଅଂଶ ସେଥିରେ ଥିଲା ୫୦ ଶତାଂଶ ଏବଂ ମୂଲ୍ୟ ହିସାବରେ ଏହା ଥିଲା ୫୧୫୧ କୋଟି ଟଙ୍କା।

ଆସାମ, ମିଜୋରାମ, ମଣିପୁର ଓ ନାଗାଲାଣ୍ଡରୁ ପ୍ରଥମକରି ଏହିସବୁ ସାମଗ୍ରୀ ଆମେରିକା, ବ୍ରିଟେନ, ସୁଇଜରଲାଣ୍ଡ ଏବଂ ଇଟାଲୀ ଆଦି ଦେଶକୁ ରପ୍ତାନୀ କରାଯାଇଥିଲା । ଏବେ ଏସବୁ ସାମଗ୍ରୀର ଚାହିଦା ବୃଦ୍ଧି ପାଉଛି। ଫଳରେ ଭାରତ ପାଇଁ ଏସବୁ ଦେଶ ବ୍ୟତୀତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଏହି ସାମଗ୍ରୀ ଅଧିକରୁ ଅଧିକ ରପ୍ତାନୀ କରିବାରେ ସୁଯୋଗ ସୃଷ୍ଟି ହୋଇଛି।

ଜୈବିକ କୃଷିରେ ପ୍ରମାଣନ ବ୍ୟବସ୍ଥାର ଗୁରୁତ୍ୱ ଅଧିକ। ଜୈବିକ ଉପାୟରେ ଉତ୍ପାଦିତ କୃଷିଜାତ ସାମଗ୍ରୀକୁ ବୈଧାନିକ ପ୍ରମାଣପତ୍ର ବା ସାର୍ଟିଫିକେଟ ମିଳିଲେ ତାହାକୁ ଭିତ୍ତିକରି କ୍ରେତା ଏସବୁ ସାମଗ୍ରୀ କିଣିବାକୁ ଆଗ୍ରହୀ ହୋଇଥାନ୍ତି । ଏହାଦ୍ୱାରା ସେମାନଙ୍କର ସାମଗ୍ରୀର ଗୁଣ ଓ ମାନ ପ୍ରତି ବିଶ୍ୱାସ ବଢିଥାଏ। ଉଭୟ ପିକେଭିୱାଇ ଏବଂ ଏମ୍‌ଓଭିସିଡି ଦ୍ୱାରା ସହଯୋଗଭିତ୍ତିକ ଗ୍ୟାରେଣ୍ଟି ବ୍ୟବସ୍ଥାରେ ଏହି ସାର୍ଟିଫିକେଟ ପ୍ରଦାନ କାର‌୍ୟ୍ୟ କରାଯାଉଛି।

ସେହିଭଳି ଜାତୀୟ ଜୈବିକ ଉତ୍ପାଦନ କାର‌୍ୟ୍ୟକ୍ରମ ବା ଏମ୍‌ପିଓପି ଏସବୁ ସାମଗ୍ରୀର ଘରୋଇ ଓ ରପ୍ତାନୀ ବଜାରକୁ ଅନୁଧ୍ୟାନକରି ଏହାର କାରବାର ପାଇଁ ଆବଶ୍ୟକ ସହାୟତା ଓ ପରାମର୍ଶ ଯୋଗାଉଛି । ଜୈବିକ ଖାଦ୍ୟ ନିରାପତ୍ତା ଓ ମାନ ନିୟମ ୨୦୧୭ ଏନ୍‌ପିଓପିଜିଏସ୍‌ର ମାନକୁ ବିଚାରକୁ ନେଇ ଏହି ସାମଗ୍ରୀର ମାନକୀକରଣ ମଧ୍ୟ କରିଥାଏ । ଏହିସବୁ ଉତ୍ପାଦିତ ସାମଗ୍ରୀ ପ୍ୟାକେଟ ଉପରେ ଏଫ୍‌ଏସ୍‌ଏସ୍‌ଏଆଇ, ଜୀବିକା ଭାରତ/ପିଜିଏସ୍ ଅର୍ଗାନିକ୍ ଇଣ୍ଡିଆ ଆଦି ଲୋଗୋ ଲଗାଯାଇଥାଏ । ଏହି ଲୋଗୋରୁ ସାମଗ୍ରୀର ମାନ, ଗୁଣ ଏବଂ ଜୈବିକିତା ସଂପର୍କରେ ପ୍ରମାଣ ମିଳେ । ରସାୟନ ମୁକ୍ତ କୃଷିଜାତ ସାମଗ୍ରୀକୁ ମଧ୍ୟ ପିଜିଏସ୍ ଗ୍ରୀନ୍ ସାର୍ଟିଫିକେଟ ଦିଆଯାଉଛି, ଯାହା ଅର୍ଗାନିକ ନାମରେ ପରିଚିତ ।

ପିକେଭିୱାଇ ସହାୟତାରେ ଦେଶର ପ୍ରାୟ ୪୦ ହଜାର ଚକଡା ବା କ୍ଲଷ୍ଟରରେ ଏବେ ଜୈବିକ କୃଷି କାର‌୍ୟ୍ୟ କରାଯାଉଛି । ଏହିସବୁ ଚାଷ ଜମିର ମୋଟ ପରିମାଣ ୭ ଲକ୍ଷ ହେକ୍ଟର । ଏମ୍‌ଓଭିସିଡି ଏବେ ତା ଅଧୀନକୁ ୧୬୦ଟି ଚାଷୀ ଉତ୍ପାଦକ ସଂଘକୁ ଆଣିଛି । ଏହି ଚାଷୀମାନେ ପ୍ରାୟ ୮୦ ହଜାର ହେକ୍ଟର ଜମିରେ ଜୈବିକ ଚାଷ କରୁଛନ୍ତି । ଏହିସବୁ ଚକଡାରେ ଜୈବିକ କୃଷିକୁ ନିରନ୍ତର ଆଗେଇ ନେବାପାଇଁ କଣ୍ଟ୍ରାକ୍ଟ ଫାର୍ମିଂ ଭିତ୍ତିରେ ଚାଷ କାର‌୍ୟ୍ୟ ଆରମ୍ଭ ହୋଇଛି ।

ଏହା ଫଳରେ ବଜାର ଚାହିଦା ଓ ଆବଶ୍ୟକତାକୁ ଦେଖି ଚାଷୀମାନେ ଜୈବିକ ଚାଷ କରୁଛନ୍ତି। ଫଳରେ ସେମାନେ ଏକ ନିଶ୍ଚିତ ବଜାର ପାଉଛନ୍ତି ଏବଂ ଉଦ୍ୟୋଗ ମଧ୍ୟ ସେମାନଙ୍କ ଚାହିଦା ଓ ମାନ ଅନୁସାରେ ସାମଗ୍ରୀ ପାଇପାରୁଛନ୍ତି । ଏଥିରେ ମଧ୍ୟ ବିଭିନ୍ନ ଶିଳ୍ପସଂସ୍ଥାକୁ ସଂଲଗ୍ନ କରାଯାଇଛି। ସେମାନେ ଅଧିକ ଚାହିଦା ଥିବା ଅଦା, ହଳଦୀ, କଳାଧାନ, ମସଲା, ପୁଷ୍ଟିକର ଖାଦ୍ୟଶସ୍ୟ, ସପୁରୀ, ଔଷଧୀୟ ବୃକ୍ଷଲତା, ବକ୍ ଗହମ (ଏକ ପ୍ରକାର ଗହମ), ବାଉଁଶ କରଡି ଆଦିକୁ ତୁରନ୍ତ କିଣି ନେଇ ସେ ସବୁର ପ୍ରକ୍ରିୟାକରଣ କରି ବଜାରକୁ ଛାଡୁଛନ୍ତି। ଉତ୍ତର ପୂର୍ବାଞ୍ଚଳର ବିଭିନ୍ନ ଅଞ୍ଚଳରୁ ଏଥିପାଇଁ ଜୈବିକ ପ୍ରଣାଳୀରେ ଉତ୍ପାଦିତ ସାମଗ୍ରୀ ସଂଗୃହୀତ ହୋଇଛି।

ମେଘାଳୟର ମଦର ଡାଏରୀ, ରେଭଣ୍ଟା ଫୁଡ୍ସ ଏବଂ ମଣିପୁରର ବିଗ୍ ବାସ୍କେଟ ସଂସ୍ଥା ମଧ୍ୟ ଏସବୁ ସାମଗ୍ରୀ କିଣୁଛନ୍ତି। ଆହୁରି ମଧ୍ୟ କେତେକ ଜାଗାରେ ଚାଷୀ ଗୋଷ୍ଠୀମାନେ ନିଜର ବଜାର ତିଆରି କରି ଏସବୁ କୃଷିଜାତ ଦ୍ରବ୍ୟ ଖାଉଟି ଏବଂ ବେପାରିକୁ ବିକୁଛନ୍ତି । ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଏହା ବେଶ୍ ସଫଳ ହୋଇଛି । ଖାଉଟିମାନେ ସିଧାସଳଖ ଚାଷୀଙ୍କଠାରୁ ଏହା କିଣୁଛନ୍ତି ଏବଂ ଏଥିରେ ମଧ୍ୟସ୍ଥ କିମ୍ବା ଦଲାଲଙ୍କର କୌଣସି ଭୂମିକା ରହୁନାହିଁ ।

କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ଲାଭ ଯୋଗାଇ ଦେବାପାଇଁ ଏହି ପ୍ରକ୍ରିୟାରେ ଆଗ୍ରିଗେଟରଙ୍କ ଆବଶ୍ୟକତା ପଡୁଛି । ଏହାକୁ ଦୃଷ୍ଟିରେ ରଖି ଗୋଟିଏ ଗୋଟିଏ ଜିଲାରେ ଗୋଟିଏ ପ୍ରକାର ଫସଲର ଜୈବିକ ଚାଷ ଉପରେ ଗୁରୁତ୍ୱ ଦିଆଯାଉଛି । ଏହାଛଡା ବଡ ବଡ ସହରରେ ଯେଉଁଠି ଜୈବିକ ଉତ୍ପାଦିତ ସାମଗ୍ରୀ ପ୍ରତି ଅଧିକ ଆଗ୍ରହ ରହିଛି, ତାହାର ଆଖପାଖ ଅଞ୍ଚଳରେ ଛୋଟ ଛୋଟ ଜୈବିକ କୃଷି ଉତ୍ପାଦନ ଚକଡାମାନ ତିଆରି କରାଯାଉଛି।

ଭାରତରେ ଯେତେବେଳେ କରୋନା ସଂକ୍ରମଣ ଆରମ୍ଭ ହେଲା ସେତେବେଳେ ଦେଶରେ ଉନ୍ନତ ମାନର ଖାଦ୍ୟର ଚାହିଦା ବଢିଲା ଏବଂ ଲୋକେ ଅଧିକ ସ୍ୱାସ୍ଥ୍ୟ ସଚେତନ ହେଲେ। ଏହି ଅବସରରେ ଚାଷୀଙ୍କୁ ସିଧାସଳଖ ସାମଗ୍ରୀ ବିକ୍ରୟର ସୁବିଧା ଦେବାପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ମଣ୍ଡିଗୁଡିକର ଗହଳି ଭାଙ୍ଗିବା ପାଇଁ ପରାମର୍ଶ ଦେଇଥିଲେ। ଏଥିପାଇଁ ମଧ୍ୟ ଆଇନର ସଂଶୋଧନ କରାଗଲା। ଫଳରେ ଚାଷୀମାନଙ୍କୁ ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରିବଟା ପାଇଁ ବିକଳ୍ପ ମିଳିଲା। ଏହାର ସୁଯୋଗ ନେଇ ବିଭିନ୍ନ ରାଜ୍ୟ ସରକାର ଚକଡା ବିପଣନ ବ୍ୟବସ୍ଥା ସୃଷ୍ଟି କଲେ। ଯାହାଫଳରେ ଅସୁବିଧା ସମୟରେ ଚାଷୀଙ୍କଠାରୁ ସାମଗ୍ରୀ କ୍ରୟ, ତାହାର ପରିବହନ ଓ ବିକ୍ରିବଟା ବ୍ୟବସ୍ଥା କରିବାକୁ ପ୍ରୋତ୍ସାହନ ମିଳିଲା।

କୋହିମାର ଗ୍ରୀନ୍ କାରାଭାନ୍ ସଂସ୍ଥା ରାଜ୍ୟର ସବୁ ଗାଁ ସହିତ ବଜାର ସଂପର୍କ ସ୍ଥାପନ କରି ପନିପରିବା, ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ଆଦି କ୍ରୟ ବ୍ୟବସ୍ଥା କଲା। ମହାରାଷ୍ଟ୍ର ସରକାର ସେମିତି ଚାଷୀ ଉତ୍ପାଦକ ସଂଗଠନଗୁଡିକ ଦ୍ୱାରା ଫଳ ଓ ପନିପରିବା ବିକ୍ରିବଟା ପାଇଁ ଅନ୍‌ଲାଇନ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ପଞ୍ଜାବରେ ମଧ୍ୟ ସ୍ୱତନ୍ତ୍ରଭାବେ ନିର୍ମିତ ଇଲେକ୍ଟ୍ରିକ ଭ୍ୟାନ ଦ୍ୱାରା ଚାଷୀଙ୍କଠାରୁ କ୍ରୟ କରାଯାଇଥିବା ସାମଗ୍ରୀକୁ କ୍ରେତାଙ୍କ ଦ୍ୱାରମୁହଁରେ ଯୋଗାଇ ଦିଆଯାଉଛି।

ମଣିପୁରରେ ସେଠାକାର ଅର୍ଗାନିକ ଏଜେନ୍ସି ୧୫ଟି ଯାକ କୃଷି ଉତ୍ପାଦକ କେନ୍ଦ୍ରଠାରୁ ସାମଗ୍ରୀ କିଣି ଜୈବିକ ହୋଲସେଲ୍ କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିଛି । ସାନ୍‌ଜେନଥଙ୍ଗ୍ ଏବଂ ଚିଙ୍ଗମେରିୟଙ୍ଗ୍ (ଇମ୍ଫାଲ)ରେ ଏଭଳି ଦୁଇଟି ହୋଲସେଲ କେନ୍ଦ୍ର ରହିଛି। ଏହି ଦୁଇ କେନ୍ଦ୍ରରୁ ଖାଉଟିଙ୍କୁ ଏସବୁ ସାମଗ୍ରୀ ଯୋଗାଇ ଦିଆଯାଉଛି ।

ଅର୍ଗାନିକ ଇ-କମର୍ସ ପ୍ଲାଟଫର୍ମ www.jaivikkheti.in କୁ ଅଧିକ ସୁଦୃଢ କରାଯାଇ ଚାଷୀଙ୍କୁ ଉଭୟ ପାଇକାରୀ ଓ ଖୁଚୁରା କ୍ରେତାଙ୍କ ସହ ଯୋଡାଯାଉଛି । ମହାମାରୀ ସମୟରେ ଡିଜିଟାଲ ଟେକ୍‌ନୋଲଜିର ପ୍ରୟୋଗ ଏ କ୍ଷେତ୍ରରେ ବିଶେଷ ସହାୟକ ହୋଇଛି । ଏହାଫଳରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ଓ ଧାଁଧପଡ କରିବା ଆଦି ଝାମେଲାରୁ କେତୋକାଂଶରେ ପରିତ୍ରାଣ ମିଳିଛି ।

ଟେକ୍‌ନୋଲଜି ସହାୟତରେ ଉଭୟ ଚାଷୀ ଓ କ୍ରେତା ଗୋଟିଏ ଜାଗାରେ ବସି ସାମଗ୍ରୀ କାରବାର ସଂପର୍କରେ କଥାବାର୍ତ୍ତାର ସୁଯୋଗ ପାଇଛନ୍ତି ଏବଂ ତଦନୁସାରେ ସେ ସବୁର ଯୋଗାଣ ପ୍ରକ୍ରିୟା ସୁରୁଖୁରୁରେ ସଂପନ୍ନ ହୋଇଛି । ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସମୂହ ଏକ ୱେବିନାର ମାଧ୍ୟମରେ ସମନ୍ୱିତ ଜୈବିକ କୃଷିର ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ କଳକୌଶଳ ସଂପର୍କରେ ଆଲୋଚନା କରିଥିଲେ ।

ଜୈବିକ କୃଷିରେ ସମନ୍ୱିତ ପୋଷକ ତତ୍ତ୍ୱର ଉପଯୋଗ, ରୋଗ, ପୋକ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ବିଷୟରେ ଏଥିରେ ଆଲୋଚନା କରାଯାଇ ଚାଷୀଙ୍କ ଆୟ କିପରି ବୃଦ୍ଧି ପାଇବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଭାରତୀୟ କୃଷି ଗବେଷଣା ପରିଷଦ ଏଥିପାଇଁ କେତେକ ଚାଷ ପ୍ରଣାଳୀ ବିକଶିତ କରିଛି । ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଚାଷୀମାନେ ତାହାକୁ ଦେଖିବାକୁ ସୁଯୋଗ ପାଇଛନ୍ତି ।

ଭାରତରେ ପ୍ରାକୃତିକ କୃଷି ଏକ ନୂଆ ବିଚାର ନୁହେଁ। କେଉଁ ଅନାଦି କାଳରୁ ଚାଷୀମାନେ ନିଜ ଜମି ଚାଷ କଲାବେଳେ ରାସାୟନିକ ସାର ପରିବର୍ତ୍ତେ ଗୋବର, କମ୍ପୋଷ୍ଟ ଖତ, ଜୈବିକ ପଦାର୍ଥର ଅବଶେଷ ଭଳି ପ୍ରାକୃତିକ ଖତ, ସାର ପ୍ରୟୋଗ କରୁଥିଲେ। ଏଥିରେ ମୃତ୍ତିକା, ଜଳ, ଅଣୁଜୀବ ଏବଂ କେତେକ ବର୍ଜ୍ୟ ପଦାର୍ଥକୁ ବ୍ୟବହାର କରାଯାଉଥିଲା।

ପ୍ରାକୃତିକ ସଂପଦର କିପରି ନିରନ୍ତର ବ୍ୟବହାର କରିହେବ କୃଷି ଓ ଜଙ୍ଗଲରୁ ତାହାର ଶିକ୍ଷା ମିଳେ। ଏବେ ଉଭୟ ଭୂମି ଏବଂ ଜଙ୍ଗଲ ଜନସଂଖ୍ୟା ବୃଦ୍ଧି ଯୋଗୁଁ ପ୍ରଚଣ୍ଡ ଚାପର ସମ୍ମୁଖୀନ। ତେଣୁ ଚାଷବାସ କରିବାବେଳେ ଅଧିକ ଉତ୍ପାଦନ ଲକ୍ଷ୍ୟରେ ଚାଷ ଜମିକୁ ରାସାୟନିକ ସାର ଓ ଔଷଧ ଦ୍ୱାରା କ୍ଷତି ପହଞ୍ଚାଇବା ଏକ ବିପଜ୍ଜନକ ପ୍ରକ୍ରିୟା। ତେଣୁ ମାଟିକୁ ଏବଂ ପରିବେଶକୁ ସୁହାଉଥିବା ସବୁଜ ଓ ପ୍ରାକୃତିକ ସାର ପ୍ରୟୋଗର ଗୁରୁତ୍ୱ ବୃଦ୍ଧି ପାଇଛି। ଏହା ହେଲେ କୃଷି ଉତ୍ପାଦନ ବଢିବା ସହ ପରିବେଶ ଠିକ୍‌ଠାକ୍ ରହିବ।

ସମସ୍ତଙ୍କ ପାଇଁ ଖାଦ୍ୟ ନିରାପତ୍ତା, ପୁଷ୍ଟିସାଧନ ଏବଂ ନିରନ୍ତର କୃଷି ଏହି ୩ଟି ବିଷୟ ଉପରେ ଜାତିସଂଘର ନିରନ୍ତର ବିକାଶ ଯୋଜନା-୨ରେ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ଏହାଦ୍ୱାରା ପୂରଣ ହୋଇପାରିବ। ଏ ଦିଗରେ ଅଧିକ ସଚେତନତା ଓ ଦକ୍ଷତା ବିକାଶ ଦ୍ୱାରା ଭାରତର ଚାଷୀ ଜୈବିକ ଚାଷଦ୍ୱାରା ଆନ୍ତର୍ଜାତିକ ମାନର ସାମଗ୍ରୀ ଉତ୍ପାଦନ କରି ଦେଶୀ ଓ ବିଦେଶୀ ଉଭୟ ଖାଉଟିଙ୍କ ଆବଶ୍ୟକତା ପୂରଣ କରିପାରିବେ। ଏହା ମଧ୍ୟ ଭାରତୀୟ ରପ୍ତାନୀ ବାଣିଜ୍ୟକୁ ବିଶ୍ୱରେ ଉଚିତ ସ୍ଥାନ ଦେବ ବୋଲ ଆଶା କରାଯାଏ।

Share. Facebook Twitter LinkedIn Email WhatsApp Copy Link

Related Posts

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026
Latest News

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.