ରାଜ୍ୟଗୁଡିକୁ କେନ୍ଦ୍ର ସରକାର 3 କୋଟିରୁ ଅଧିକ ଏନ-95 ମାସ୍କ ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି

Published: Aug 14, 2020, 12:30 pm IST

ନୂଆଦିଲ୍ଲୀ, କରୋନା ମହାମାରୀର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଯେଉଁ ଅବିଶ୍ରାନ୍ତ ଲଢେଇ ଲଢୁଛନ୍ତି ସେଥିରେ କେନ୍ଦ୍ର ସରକାର ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଆବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗାଇ କରୋନାର ସଫଳ ମୁକାବିଲା ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଚିକିତ୍ସା ବ୍ୟବସ୍ଥା ସୁବିଧା ଯୋଗାଣ ସହ କେନ୍ଦ୍ର ସରକାର ମଧ୍ୟ ମାଗଣାରେ ରାଜ୍ୟମାନଙ୍କୁ ଡାକ୍ତରୀ ସାମଗ୍ରୀ ଓ ଉପକରଣ ଯୋଗାଇ ଦେଉଛନ୍ତି।

କେନ୍ଦ୍ର ଦ୍ୱାରା ଯେଉଁସବୁ ସାମଗ୍ରୀ ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଉଛି ସେଥିମଧ୍ୟରୁ ଅଧିକାଂଶ ପୂର୍ବରୁ ଦେଶରେ ଉତ୍ପାଦିତ ହେଉ ନ ଥିଲା। ଆହୁରି ମଧ୍ୟ କରୋନା ମହାମାରୀ ସମଗ୍ର ବିଶ୍ୱରେ ବ୍ୟାପିବା ଫଳରେ ଏସବୁ ସାମଗ୍ରୀର ଗୁରୁତର ଅଭାବ ପରିଲକ୍ଷିତ ହେଉଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବୟନ ମନ୍ତ୍ରଣାଳୟ, ଭେଷଜ ମନ୍ତ୍ରଣାଳୟ, ଡିପିଆଇଆଇଟି, ଡିଆରଡିଓ ଏବଂ ଆଉ କେତେକ ଘରୋଇ ଉଦ୍ୟୋଗର ମିଳିତ ସହାଯୋଗରେ ଭାରତ କୋଭିଡ୍‌ ଚିକିତ୍ସାରେ ବ୍ୟବହୃତ ସାମଗ୍ରୀ ଉତ୍ପାଦନରେ ସଫଳତା ଲାଭ କରି ଏକ ପ୍ରକାର ଆତ୍ମନିର୍ଭରଶୀଳ ହୋଇଛି।

ପିପିଇ, ଏନ୍‌-95 ମାସ୍କ, ଭେଣ୍ଟିଲେଟର ଆଦି କ୍ଷେତ୍ରରେ ଭାରତ ଇତିମଧ୍ୟରେ ଆତ୍ମନିର୍ଭରଶୀଳ ହୋଇପାରିଛି। ଆତ୍ମନିର୍ଭର ଭାରତ ଯୋଜନା ଓ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଯୋଗୁଁ ଭାରତ ଏ କ୍ଷେତ୍ରରେ ସଫଳତା ପାଇଛି । ଚଳିତବର୍ଷ ମାର୍ଚ୍ଚ 11 ତାରିଖଠାରୁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ଅନୁଷ୍ଠାନକୁ 3.04 କୋଟି ଏନ୍‌-95 ମାସ୍କ, 1.28 କୋଟି ପିପିଇ କିଟ୍‌ ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି। ଏହାଛଡା ସେମାନଙ୍କୁ ମଧ୍ୟ 10.83 କୋଟିରୁ ଅଧିକ ହାଇଡ୍ରୋକ୍ସିକ୍ଲୋରୋକୁଇନ ବା ଏଚ୍‌ସିକ୍ୟୁ ଟାବଲେଟ ମାଗଣାରେ ଦିଆଯାଇଛି।

Related posts