ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟରେ ଆରମ୍ଭ ହେଲା ୨୨ଟି ବାଉଁଶ କ୍ଲଷ୍ଟର

Published: Sep 9, 2020, 8:00 am IST

ନୂଆଦିଲ୍ଲୀ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତି ରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ଓଡିଶା ସମେତ ଦେଶର ୯ଟି ରାଜ୍ୟ ଯଥା ଗୁରଜାଟ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଆସାମ, ନାଗାଲାଣ୍ଡ, ତ୍ରିପୁରା, ଉତ୍ତରାଖଣ୍ଡ ଓ କର୍ଣ୍ଣାଟକରେ ୨୨ଟି ବାଉଁଶ କ୍ଲଷ୍ଟରର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଜାତୀୟ ବାଉଁଶ ମିଶନର ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି । ଭର୍ଚୁଆଲ ମୋଡ଼ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖି ସେ କହିଲେଯେ ଦେଶ ଏବେ ବାଉଁଶରୁ ନିର୍ମିତ ବିଭିନ୍ନ ସୌଖିନ ସାମଗ୍ରୀକୁ ବିଦେଶକୁ ପ୍ରଚୁର ପରିମାଣରେ ରପ୍ତାନୀ ବୃଦ୍ଧି କରିବା ଦିଗରେ ନିଜକୁ ପ୍ରସ୍ତୁତ କରୁଛି ।

୨୦୧୮-୧୯ରେ ପୁନର୍ଗଠିତ ଜାତୀୟ ବାଉଁଶ ମିଶନର ଶୁଭାରମ୍ଭ କରାଯାଇଥିଲା ଏବଂ ଏଥିରେ ଏହି ସେକ୍ଟରରେ ଥିବା ସଂପୂର୍ଣ୍ଣ ଭାଲ୍ୟୁ ଚେନର ସାମଗ୍ରିକ ବିକାଶ ପାଇଁ ଲକ୍ଷ୍ୟ ଧାର‌୍ୟ୍ୟ କରାଯାଇଥିଲା । ଏହି ମିଶନକୁ ଏକ ହବ୍ (ଶିଳ୍ପ) ଏବଂ ସ୍ପୋକ୍ ମଡ଼େଲ ଭାବେ ରୂପାନ୍ୱିତ କରାଯାଉଛି । ଏହାର ମୂଳ ଉଦ୍ଦେଶ୍ୟ ହେଲା କୃଷକମାନଙ୍କୁ ବଜାର ସହିତ ପ୍ରତ୍ୟକ୍ଷ ଭାବେ ସଂଯୋଗ କରିବା ଯଦ୍ୱାରା ବାଉଁଶ କୃଷିକାରୀ ଉତ୍ପାଦନକାରୀମାନେ ବଜାରରେ ପ୍ରତ୍ୟକ୍ଷ ଭାବେ ପହଞ୍ଚିପାରିବେ । ଏହାଦ୍ୱାରା ଘରୋଇ ଶିଳ୍ପ ପାଇଁ ବାଉଁଶ ସଂପର୍କୀତ ଯାହାକିଛି କଞ୍ଚାମାଲ ଆବଶ୍ୟକ ହେଉଥିବ ତାହା ସ୍ଥାନୀୟ ଭାବେ ଉପଲବ୍ଧ ହୋଇପାରିବ । ଘରୋଇ ଚାହିଦା ମେଣ୍ଟି ପାରିବ ।

ଏହି ମିଶନକୁ ଏକ ପ୍ରାକୃତିକ ପରିଣାମ ଭାବେ ଆରମ୍ଭ କରାଯାଇଥିଲା ଯେଉଁଥିପାଇଁ ଐତିହାସିକ ଭାରତୀୟ ଜଙ୍ଗଲ ଆଇନକୁ ୨୦୧୭ ମସିହାରେ ସଂଶୋଧନ କରାଯାଇଥିଲା । ଏହା ଫଳରେ ବାଉଁଶକୁ ବୃକ୍ଷ ବୋଲି ପୂର୍ବରୁ ଯେଉଁଭଳି ଭାବେ ସଂଜ୍ଞା ନିରୂପଣ କରାଯାଉଥିଲା ତାହାକୁ ହଟାଯାଇ ଘାସ ବର୍ଗରେ ସ୍ଥାନୀତ କରାଯାଇଥିଲା । ଏହାଦ୍ୱାରା ଏବେ ଜଙ୍ଗଲ ବାହାରେ ଚାଷ କରାଯାଉଥିବା ବାଉଁଶ କାଟିବା ଏବଂ ଏହାର ଅନ୍ୟତ୍ର ସ୍ଥାନାନ୍ତରଣ ନିମନ୍ତେ ଆଉ ସରକାରଙ୍କ ଅନୁମତି ଆବଶ୍ୟକ ପଡ଼ିବନାହିଁ ।

ବାଉଁଶ ଚାଷ ଦେଶର ପ୍ରାୟ ୨୩ଟି ରାଜ୍ୟରେ ପରିଲକ୍ଷିତ ହୋଇଥାଏ ଏବଂ ସେଥି ମଧ୍ୟରେ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର ୮ଟି ରାଜ୍ୟ ରହିଛି । ଶିଳ୍ପ ସଂସ୍ଥା ପାଇଁ ଯେଉଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରଜାତିର ବୃକ୍ଷ ଆବଶ୍ୟକ ପଡ଼େ ସେଥି ମଧ୍ୟରୁ ବାଉଁଶ ଅନ୍ୟତମ । ବାଉଁଶ ଚାଷ ନିମନ୍ତେ ଗୁଣାତ୍ମକ ରୋପଣ ସାଧନ ଏବଂ ଚାରା କୃଷକମାନଙ୍କ ପାଇଁ ଉପଲବ୍ଧ । ଆସାମ ବାଉଁଶ ଚାଷ ପାଇଁ ଏଫପିଓମାନଙ୍କୁ ନିୟୋଜିତ କରିସାରିଛି ।

ନୂଆ ନୂଆ ଏଫପିଓମାନଙ୍କୁ ସଦ୍ୟ ସ୍ୱୀକୃତିପ୍ରାପ୍ତ ଡିଏସିଏଫଡବ୍ଲୁ ଯୋଜନା ମାଧ୍ୟମରେ ସାମିଲ କରାଯିବ । ଆଗାମୀ ୫ ବର୍ଷ ମଧ୍ୟରେ ଏଭଳି ୧୦,୦୦୦ ଏଫପିଓ ଗଠନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଅଧିକନ୍ତୁ ପ୍ରାଥମିକ ପ୍ରକ୍ରିୟାକରଣ ପାଇଁ ସିଏଫସିମାନ ବାଉଁଶ ଚାଷ ହେଉଥିବା ସ୍ଥାନ ନିକଟରେ ସ୍ଥାପନ କରାଯାଉଛି । ଏହାଦ୍ୱାରା ବାଉଁଶ ପରିବହନ ସକାଶେ ମୂଲ୍ୟ ହ୍ରାସ ଘଟିବ । ସ୍ଥାନୀୟ ଉଦ୍ୟୋଗୀମାନେ ସୃଷ୍ଟି ହୋଇପାରିବେ ଏବଂ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ଓ ଏହାଦ୍ୱାରା କୌଣସି ପ୍ରକାର ବର୍ଜ୍ୟ ସୃଷ୍ଟି ନହେବା ଭଳି କାର‌୍ୟ୍ୟପନ୍ଥା ଗ୍ରହଣ କରାଯାଇପାରିବ ।

ଏହିସବୁ ସଂସ୍ଥାମାନେ ନର୍ସରୀ ଠାରୁ ବାଉଁଶ ଚାରା ରୋପଣ ଏବଂ/ କିମ୍ବା ଉତ୍ପାଦ ବିକାଶ ଯଥା ବିଭିନ୍ନ ପ୍ରକାର ଉପକରଣ, ଅଗରବତୀ, ଭେନିସିଆନ ବ୍ଲାଇଣ୍ଡ୍, ଚୋପଷ୍ଟିକ୍, ଟୁଥବ୍ରଶ୍, ଲାଇଫ୍ ଷ୍ଟାଇଲ୍ ସାମଗ୍ରୀ, ଅଳଙ୍କାର, ବୋତଲ, ଯୋଗାସନ, ଅଙ୍ଗାର ଇତ୍ୟାଦି ଉତ୍ପାଦନ କରିପାରିବେ ।

ଏଭଳି ଶୈଳ୍ପିକ ଉତ୍ପାଦ ସହିତ, ଜାତୀୟ ବାଉଁଶ ମିଶନ ମଧ୍ୟ ପାରମ୍ପରିକ ବାଉଁଶ କାରିଗରମାନଙ୍କ କଳା କୌଶଳର ଉନ୍ନତି ସାଧନ କରିବା ନିମନ୍ତେ ତଥା ବର୍ତ୍ତମାନର ବଜାର ଚାହିଦାକୁ ଚାହିଁ ସେମାନଙ୍କୁ କୁଶଳୀ କରିବା ଲାଗି ପ୍ରୟାସ କରିବେ । ସେମାନଙ୍କୁ ବିଭିନ୍ନ ଉଦେ୍ଦ୍ୟାଗୀ ତଥା ପ୍ରମୁଖ ପ୍ରତିଷ୍ଠାନମାନଙ୍କ ସହିତ ଅନୁବନ୍ଧିତ କରାଯିବ ଯଦ୍ୱାରା ଆମର ସାଂସ୍କୃତିକ ଐତିହ୍ୟ ମଧ୍ୟ ଏହା ମାଧ୍ୟମରେ ବଜାୟ ରଖାଯାଇପାରିବ ।

ଜାତୀୟ କୌଶଳ ବିକାଶ ଏଜେନ୍ସି ଅଧୀନରେ ପ୍ରତିଷ୍ଠିତ ସେକ୍ଟର କୌଶଳ ପରିଷଦଗୁଡ଼ିକ କୌଶଳ ଆମଦାନୀ କରିବେ ଏବଂ ପାରମ୍ପରିକ ଶିଳ୍ପୀ ଓ କାରିଗରମାନଙ୍କ ଠାରୁ ପ୍ରାକ୍ ତାଲିମ ପାଇପାରିବ ଓ ଏହାକୁ ସ୍ୱୀକୃତି ପ୍ରଦାନ କରାଯିବ । ଏହା ଦ୍ୱାରା ଯୁବକଯୁବତୀମାନେ ସେମାନଙ୍କର ପରିବାରର କୌଳିକ ବୃତ୍ତିକୁ ଆଗକୁ ଆଗେଇ ନେବା ସକାଶେ ଅଧିକ ପ୍ରୟାସୀ ହେବେ।

ଏଥି ପାଇଁ ଆୟୋଜିତ ଲୋଗୋ ପ୍ରତିଯୋଗିତାରେ ତେଲଙ୍ଗାନାର ଶ୍ରୀ ସାଇ ରାମ ଗୌଡ଼ି ଇଡ଼ିଗି ବିଜୟୀ ହୋଇଛନ୍ତି । ଏଥିପାଇଁ ସାରା ଦେଶରୁ ସର୍ବମୋଟ ୨୦୩୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନେ ନିଜ ନିଜର ଏଣ୍ଟ୍ରି ମାଇଁଗଭ୍ ପ୍ଲାଟଫର୍ମରୁ ହାସଲ କରିଥିଲେ ।

ବିଜୟୀ ଲୋଗୋରେ ଏକ ବାଉଁଶ କରଡ଼ି ଗୋଟିଏ ବୃତ୍ତର ମଝିରେ ଅଙ୍କାଯାଇଛି । ଏହି ବୃତ୍ତଟିର ଅର୍ଦ୍ଧେକ ଏକ ଶିଳ୍ପ ଚକ୍ର ଭାବେ ଅଙ୍କା ଯାଇଥିବା ବେଳେ ଅନ୍ୟ ଅର୍ଦ୍ଧେକରେ କୃଷକମାନେ ରହିଛନ୍ତି ଯାହାକି ଏନବିଏମର ଉଦ୍ଦେଶ୍ୟକୁ ଉପଯୁକ୍ତ ଭାବେ ପ୍ରତିଫଳିତ କରୁଛି। ଲୋଗୋରେ ବ୍ୟବହୃତ ସବୁଜ ଓ ହଳଦିଆ ରଙ୍ଗ ବାଉଁଶକୁ ସୂଚାଉଛି ଯାହାକୁ କି ସବୁଜ ସୁନା ବୋଲି ଲୋକେ କହିଥାନ୍ତି ।

Related posts