ଥାନେ, ମହାରାଷ୍ଟ୍ର ଥାନେ ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ସେହି ଅଞ୍ଚଳର ଏକ ଜଙ୍ଗଲ ଭିତରୁ ମିଳିଛି 4 ଜଣଙ୍କ ଶବ। ସେହି ଚାରିଜଣଙ୍କ ମଧ୍ୟରୁ ଜଣେ ମହିଳା ହୋଇଥିବା ବେଳେ ଆଉ ତିନିଜଣ ଶିଶୁ ଅଛନ୍ତି। ଜଙ୍ଗଲରେ ଲୋକେ କାଠ କାଟିବାକୁ ଯାଇଥିବା ବେଳେ ସେଠାରେ ପ୍ରବଳ ଦୁର୍ଗନ୍ଧ ହୋଇଥିଲା। କେଉଁଠି ଏପରି ତୀବ୍ର ଦୁର୍ଗନ୍ଧ ହୋଇଛି ବୋଲି ସେମାନେ ଖୋଜିବାକୁ ଲାଗିଲେ। ପରେ ଦେଖିଲେ ଯେ, ଏକ ଗଛରେ ଚାରିଜଣଙ୍କ ଶବ ଝୁଲୁଛି। ଏହି ଘଟଣା ପ୍ରଘଟ ହେବା ପରେ ପୋଲିସକୁ ଖବର ଦିଆଯାଇଥିଲା।
ପୋଲିସ ଶବ ଚାରୋଟି ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି। ପରେ ଏମାନେ ଥାନେ ନିକଟସ୍ଥ ପଦବା ଗ୍ରାମର ବୋଲି ଜଣାପଡିଲା। ସେମାନେ ହେଲେ 30 ବର୍ଷିୟ ମହିଳା ରଂଜନା, 12 ବର୍ଷର ଝିଅ ଦର୍ଶନା, 6 ବର୍ଷର ଝିଅ ରୋହିଣୀ ଏବଂ 9 ବର୍ଷର ପୁଅ ରୋହିତ।
ଘଟଣାରୁ ଜଣାପଡିଛି ଯେ, ଏହି ମହିଳାଙ୍କ ସ୍ବାମୀ ଶ୍ରୀପାଟ ବଚ୍ଚୁ ଦ୍ବିତୀୟ ବିବାହ କରିଛନ୍ତି। ଫଳରେ ଏହାକୁ ନେଇ ପ୍ରଥମ ପତ୍ନୀ ରଂଜନାଙ୍କ ସହିତ ବରାବର ଝଗଡା ହେଉଥିଲା। ହେଲେ ଦୁଇମାସ ତଳେ ରଂଜନା ଏବଂ ତାଙ୍କର ତିନି ସନ୍ତାନ କୁଆଡେ ନିଖୋଜ ହୋଇଗଲେ। ଏ ନେଇ ସ୍ବାମୀ ଶ୍ରୀପାଟ ଥାନାରେ ଏକ ନିଖୋଜ ମାମଲା ମଧ୍ୟ କରିଛନ୍ତି। ହେଲେ ପୋଲିସ ଖୋଜାଖୋଜି କରିବା ପରେ ସେମାନଙ୍କ କୌଣସି ଖବର ମିଳି ନ ଥିଲା।
ଅନ୍ୟପଟେ ଏହି ଘଟଣା ଜଣାପଡିବା ପରେ ମହିଳାଙ୍କ ସ୍ବାମୀ ଏବଂ ତାଙ୍କର ଦ୍ବିତୀୟ ପତ୍ନା ବିଷ ପିଇ ଆତ୍ୟହତ୍ୟା କରିବାକୁ ଚେଷ୍ଠା କରିଥିଲେ। ଏହାକୁ ନେଇ ପୋଲିସ ସନ୍ଦେହ କରିଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ପୋଲିସ ବର୍ତ୍ତମାନ ତଦନ୍ତ କରୁଛି। ତେବେ ଗଛରେ ତିନୋଟି ପିଲାଙ୍କୁ କିପରି ଝୁଲାଇ ଦିଆଗଲା ତାହାକୁ ନେଇ ପୋଲିସ ଆଶ୍ଚର୍ଯ୍ୟ ହୋଇଛି।