
ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କେରଣ୍ଡାଟାଙ୍ଗୀ ଅଞ୍ଚଳର ରଞ୍ଜନ କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଦୀର୍ଘ ତିନି ମାସ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ପରିଶେଷରେ ଗିରଫ କରିଛି ଚାନ୍ଦପୁର ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ଅଞ୍ଚଳର ବିନୋଦ ପ୍ରଧାନ।
ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ମାସ ୨୭ ତାରିଖରେ ରଞ୍ଜନଙ୍କୁ ବିନୋଦ ଏବଂ ତାଙ୍କର ଚାରି ଜଣ ସହଯୋଗୀ ମିଶିକରି ଲୁହା ରଡ଼ ଏବଂ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଯାହା ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଭୁବନେଶ୍ୱରସ୍ଥିତ ସମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ପୂର୍ବରୁ ଏ ବାବଦରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଦୁଇ ଜଣ ଏପର୍ଯ୍ୟନ୍ତ ଫେରାର ଅଛନ୍ତି। ତେବେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଚାନ୍ଦପୁର ଥାନାରେ କେସ ନମ୍ବର ୪୫/୨୧ରେ ମାମଲା ରୁଜୁ କରାଯାଇ ଗତକାଲି କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଥାନାଧିକାରୀ ଶ୍ରୀ ଦାସଙ୍କ ସମେତ ଏସଆଇ ଅଞ୍ଜଳି ସା ଏବଂ ଏଏସଆଇ ରମେଶ ବେହରା ସାମିଲ ଥିଲେ।