
ମାଙ୍ଗାଲୁରୁ: ଏକ ମିଥ୍ୟା ଅଭିଯୋଗରେ କର୍ଣ୍ଣାଟକର ହରିଶ ବଙ୍ଗେରାଙ୍କୁ ସାଉଦୀ ଆରବ ଜେଲରେ ୧୯ ମାସ ବିତାଇବାକୁ ପଡିଥିଲା। ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ଏବଂ ମକ୍କାର ପବିତ୍ର ଦେଶ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ହରିଶଙ୍କ ଉପରେ ମିଥ୍ୟା ଅଭିଯୋଗ ହୋଇଥିଲା। ଉଦୁପି ପୋଲିସ ଏବଂ କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ ଉଦ୍ୟମ ଯୋଗୁଁ ତାଙ୍କୁ ସାଉଦୀ ଆରବ କାରାଗାରରୁ ମୁକ୍ତ କରାଯିବା ସହ ଭାରତକୁ ଫେରାଇ ଅଣାଯାଇଛି।
ଉଲ୍ଲେଖ ଯୋଗ୍ୟ ଯେ, କିଛି ଖଳ ପ୍ରକୃତିର ଲୋକ ବଙ୍ଗରାଙ୍କ ନାମରେ ସୋସିଆଲ ମିଡିଆରେ ଏକ ନକଲି ଆକାଉଣ୍ଟ ସୃଷ୍ଟି କରି ଆପତ୍ତିଜନକ ପୋଷ୍ଟ କରିଥିଲେ। ଏହା ପରେ ଉଦୁପି ଜିଲ୍ଲାର କୋଟେଶ୍ୱରର ବାସିନ୍ଦା ବଙ୍ଗେରାଙ୍କୁ ଡିସେମ୍ବର ୨୦୧୯ ମସିହାରେ ଏହି ଆପତ୍ତିଜନକ ପୋଷ୍ଟ ଯୋଗୁଁ ଗିରଫ କରାଯାଇଥିଲା। ଅଗଷ୍ଟ ୧୭ ତାରିଖରେ ତାଙ୍କୁ ସାଉଦି ଜେଲରୁ ମୁକ୍ତ କରାଯାଇଥିଲା। ଗତକାଲି ସେ ତାଙ୍କ ଘରକୁ ଫେରିଥିଲେ।