
ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତଥା ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ, ମିସା ଭାରତୀଙ୍କ ସମେତ ୬ ଜଣଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପାଟନା ସିଭିଲ କୋର୍ଟରେ ଦାଖଲ ହୋଇଥିବା ଅଭିଯୋଗ ପତ୍ର ମାମଲାରେ ମୁଖ୍ୟ ବିଚାରପତି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଅଭିଯୋଗ ଚିଠି କୋତୱାଲି ପୋଲିସ ଷ୍ଟେସନକୁ ଏଫଆଇଆର ପାଇଁ ପଠାଯାଇଛି। ଲୋକସଭା ନିର୍ବାଚନରେ ଟିକେଟ୍ ଦେବା ନାମରେ ପାଞ୍ଚ କୋଟି ଟଙ୍କା ଠକେଇ ମାମଲା ଓ ହତ୍ୟା କରିବାର ଧମକ ତେଜସ୍ୱୀ ଯାଦବଙ୍କ ଉପରେ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, କଂଗ୍ରେସ ନେତା ତଥା ଓକିଲ ସଞ୍ଜୀବ କୁମାର ସିଂ ଗତ ମାସରେ ଅଗଷ୍ଟ ୧୮ ତାରିଖରେ ପାଟଣାର ସିଜେଏମ୍ କୋର୍ଟରେ ଅଭିଯୋଗ ପତ୍ର ଦାଖଲ କରିଥିଲେ। ଏଥିରେ ସଞ୍ଜୀବ କୁମାର ସିଂ ତେଜସ୍ୱୀ ଯାଦବ, ରାଜ୍ୟସଭା ସାଂସଦ ମିସା ଭାରତୀ ଏବଂ ବିହାର ବିଧାନସଭା ରାଜ୍ୟ ସଭାପତି ମଦନ ମୋହନ ଝାଙ୍କ ସମେତ ୬ ଜଣଙ୍କୁ ଅଭିଯୋଗ କରିଛନ୍ତି। ଏହା ପରେ, ସେପ୍ଟେମ୍ବର ୧୬ ତାରିଖରେ, ପାଟନା ଏସଏସପି ଉପେନ୍ଦ୍ର ଶର୍ମାଙ୍କ ମାଧ୍ୟମରେ କୋତୱାଲି ପୋଲିସ ଷ୍ଟେସନକୁ ଏକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
କଂଗ୍ରେସ ନେତା ତଥା ଓକିଲ ସଞ୍ଜୀବ କୁମାର ସିଂ ଅଭିଯୋଗରେ କହିଛନ୍ତି ଯେ, ଗତ ଲୋକସଭା ନିର୍ବାଚନରେ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ଟିକେଟ୍ ଦେବା ନାମରେ ତାଙ୍କଠାରୁ ପାଞ୍ଚ କୋଟି ଟଙ୍କା ନେଇଥିଲେ। ହେଲେ ଟଙ୍କା ନେଇଥିଲେ ମଧ୍ୟ ତାଙ୍କୁ ଟିକେଟ ଦିଆଯାଇ ନଥିଲା। ଏହା ପରେ ତାଙ୍କୁ ଆଶ୍ୱାସନା ଦିଆଯାଇଥିଲା ଯେ, ତାଙ୍କୁ ବିଧାନସଭା ନିର୍ବାଚନରେ ଟିକେଟ୍ ଦିଆଯିବ, କିନ୍ତୁ ସେତେବେଳେ ମଧ୍ୟ ସେ ଟିକେଟ ପାଇ ନଥିଲେ। ବର୍ତ୍ତମାନ ଏହି ମାମଲାରେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଦେଶ ଆସିବା ପରେ ଅଭିଯୁକ୍ତମାନଙ୍କଠାରୁ ସ୍ପଷ୍ଟୀକରଣ ମଧ୍ୟ ଆରମ୍ଭ ହୋଇଯାଇଛି।