
ନିରାକରପୁର: ଖୋର୍ଦ୍ଧା ନିରାକାରପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ବଡ ପୋଖରିଆ ଛକରେ ଆଜି ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକଙ୍କ ନେତୃତ୍ୱରେ ଚଢାଉ କରାଯାଇଛି। ଏହି ଚଢାଉ ସମୟରେ ୫୨୦ ଲିଟର ଚୋରା ଡିଜେଲ ଜବତ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବଡ ପୋଖରିଆ ଗ୍ରାମର ପ୍ରକାଶ ଚନ୍ଦ୍ର ଚମ୍ପତ୍ତି ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ପୂର୍ବରୁ ଜାତୀୟ ରାଜପଥରେ ଟ୍ରକ ଗୁଡିକରୁ ଡିଜେଲ ଚୋରୀ ହେଉଥିବା ପୋଲିସ ନିକଟରେ ଅଭିଯୋଗ ହୋଇଆସୁଥିଲା। ତେଣୁ ଏହି ଅଭିଯୋଗ ପରେ ଚୋରକୁ ଧରିବା ପାଇଁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ତତ୍ପରତା ଦେଖାଇଥିଲେ। ସୁଯୋଗ ଦେଖି ଆଜି ଚଢାଉ କରାଯାଇଥିଲା। ଫଳରେ ଜାତୀୟ ରାଜପଥରୁ ୫୨୦ ଲିଟର ଚୋରା ଡିଜେଲ ଜବତ କରାଯାଇଥିଲା। ଯାହାର ମୂଲ୍ୟ ପ୍ରାୟ ୫୫ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ତେବେ ତେଲ ଚୋରି ଅଭିଯୋଗରେ ନିରାକାରପୁର ପୋଲିସ ଥାନାରେ ୧୬୫/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଉକ୍ତ ଚଢାଉରେ ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।