
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ଶାୟନୀ ଘୋଷଙ୍କୁ ତ୍ରିପୁରା ପୋଲିସ ଗିରଫ କରିଛି। ହତ୍ୟା ଅଭିଯୋଗରେ ଶାୟନୀଙ୍କୁ ଅଗରତାଲାରେ ଗିରଫ କରାଯାଇଛି। ଶାୟନି ଟିଏମସିର ଯୁବା ମୋର୍ଚ୍ଚାର ରାଜ୍ୟ ସଭାପତି। ପଶ୍ଚିମ ତ୍ରିପୁରାର ଅତିରିକ୍ତ ଏସପି ବିଜେ ରେଡ୍ଡୀ କହିଛନ୍ତି ଯେ, ପ୍ରାଥମିକ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଆଇପିସିର ଧାରା ୩୦୭, ୧୫୩ ଅନୁଯାୟୀ ଏକ ମାମଲା ପଞ୍ଜିକରଣ କରାଯାଇଛି।
ଏହାସହ ଶନିବାର ରାତିରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ଏକ ବୈଠକରେ ଶାୟନୀ ଘୋଷ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ସଭାସ୍ଥଳରେ ଶାୟନୀ ଘୋଷ ପହଞ୍ଚି ‘ଖେଲା ହୋବେ’ର ସ୍ଲୋଗାନ ଦେଇଥିଲେ। ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଗସ୍ତର ୨୪ ଘଣ୍ଟା ପୂର୍ବରୁ ଘୋଷଙ୍କୁ ଗିରଫ କରାଯାଇଛି।
ତ୍ରିପୁରାରେ ଟିଏମସି ନେତାଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଯେତେବେଳେ ଦଳର ନେତା କୁନାଲ ଘୋଷ ସାମ୍ବାଦିକଙ୍କ ସହ କଥା ହେବାକୁ ଆସିଥିଲେ, ସେତେବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଏହି ସମୟରେ କିଛି ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ପରେ ଗିରଫ ହୋଇଥିବା ଟିଏମସି ନେତା ଶାୟାନୀ ଘୋଷଙ୍କୁ ପୋଲିସ ଷ୍ଟେସନରେ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
ସେପଟେ ୧୫ରୁ ଅଧିକ ଟିଏମସି ସାଂସଦଙ୍କ ଏକ ପ୍ରତିନିଧୀ ଦଳ ଆଜି ରାତିରେ ଦିଲ୍ଲୀରେ ପହଞ୍ଚିବେ। ତ୍ରିପୁରାରେ ପୋଲିସର ଅତ୍ୟାଚାରକୁ ନେଇ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଏକ ସମୟ ମାଗିଛନ୍ତି। ଟିଏମସି ସୂତ୍ର ଅନୁଯାୟୀ ଆସନ୍ତାକାଲି ଠାରୁ ସାଂସଦମାନେ ଦିଲ୍ଲୀରେ ଧାରଣାରେ ବସିବେ।