
ଜଙ୍କିଆ: ପ୍ରେମିକକୁ ପାଇବା ପାଇଁ ଅପହରଣ ନାଟକ ରଚିଥିବା ବିବାହିତ ଯୁବକଙ୍କୁ ପୋଲିସ ଗିରଫ କରିଛି। ଏହା ସହ ତାଙ୍କର ଦୁଇ ସହଯୋଗୀଙ୍କୁ ମଧ୍ୟ ପୋଲିସ ଧରିଛି।
ସୂଚନାରୁ ପ୍ରକାଶ ଯେ, ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଳବାଇ ତଳସାହିର କୈଳାସ ବେହେରାଙ୍କୁ କେତେଜଣ ଦୁର୍ବୃତ୍ତ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା। ତୋଫାନ ଦୁଇଜଣ ସହଯୋଗୀଙ୍କ ସହିତ ମୁଣ୍ଡରେ ପଥର ଥୋଇ ନିଜ ପତ୍ନୀଙ୍କ ପାଖକୁ ଅପହରଣ ହୋଇଥିବାର ଏକ ଫଟୋ ପଠାଇଥିଲେ। ଏବଂ ଏହାପରେ ସହଯୋଗୀମାନଙ୍କ ଦ୍ଵାରା ତାଙ୍କ ସ୍ୱାମୀଙ୍କୁ ମାରିଦେବାର ଧମକ ଦେବା ସହ ଛାଡିଦେବା ପାଇଁ ଟଙ୍କା ମଧ୍ୟ ମାଗିଥିଲେ।
ତେଣୁ ଗତ ୨୫ତାରିଖରେ ସ୍ୱାମୀଙ୍କୁ କେହି ଗୋଳବାଇରୁ ଅପହରଣ କରିନେଇଛନ୍ତି ବୋଲି ତାଙ୍କ ସ୍ତ୍ରୀ ଜଙ୍କିଆ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ହେଲା ପରେ ପୋଲିସ ମୋବାଇଲ ଟ୍ରାକିଂ କରି ନାଚୁଣୀ ଜଙ୍ଗଲରୁ ତୋଫାନଙ୍କୁ ଉଦ୍ଧାର କରି ଦୁଇ ସହଯୋଗୀଙ୍କୁ ଥାନାରେ ପଚରାଉଚରା କରିଥିଲା। ପଚରାଉଚରା ପରେ ତୋଫାନ ନିଜେ ଅପହରଣର ନାଟକ କରିଥିବା ପୋଲିସ ଜାଣିପାରିଥିଲା।
ତେବେ ତୋଫାନ ଜଣେ ଡାନ୍ସ ମାଷ୍ଟର। ତୋଫାନ ନାଚୁଣୀରେ ଡାନ୍ସ ଶିଖାଇବାକୁ ଯାଇ ସେଠାରେ ଜଣେ ଯୁବତୀକୁ ଭଲପାଉଥିଲେ। ତାଙ୍କୁ ବିବାହ କରିବା ପାଇଁ ତୋଫାନ ନିଜେ ଏକ ନାଟକ ରଚନା କରିଥିଲେ ବୋଲି ପୋଲିସ ଜାଣିପାରିଥିଲା।
ତୋଫାନଙ୍କ ବିରୋଧରେ ଜଙ୍କିଆ ପୋଲିସ ୨୭୩/୨୧ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ବେଳେ ଦୁଇ ନାବାଳକକୁ ଛାଡିଦେଇଛି।