
ନୂଆଦିଲ୍ଲୀ: ଗତ ୧୨ ଘଣ୍ଟା ମଧ୍ୟରେ କେରଳରେ ଦୁଇଜଣ ବଡ ନେତାଙ୍କୁ ହତ୍ୟା କରାଯାଇଛି। ଏହା ପରେ ଆଲପୁଡାରେ ଧାରା ୧୪୪ ଲାଗୁ କରାଯାଇଛି। ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ରଣଜିତ୍ ଶ୍ରୀନିବାସନଙ୍କୁ ତାଙ୍କ ଘରେ ପ୍ରବେଶ କରି ହତ୍ୟା କରାଯାଇଛି। ଏହାପୂର୍ବରୁ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (SDPI) ନେତା ଶାନଙ୍କୁ ହତ୍ୟା କରାଯାଇଛି। ଏହି ଦୁଇଟି ହତ୍ୟାକୁ ନେଇ କେରଳରେ ଏକ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଛି।
ଏହି ହତ୍ୟାକାଣ୍ଡକୁ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଶୋକବ୍ୟକ୍ତ କରିଛନ୍ତି। ଏହି ସମୟରେ ହତ୍ୟାକାଣ୍ଡ ପରେ କେରଳର ୧୪ ଟି ଜିଲ୍ଲାର ସମସ୍ତ ଜିଲ୍ଲା ଅଧୀକ୍ଷକଙ୍କୁ ପୋଲିସ ମହାନିର୍ଦ୍ଦେଶକ ସତର୍କ ସୂଚନା ଜାରି କରିଛନ୍ତି।
ରବିବାର ସକାଳେ ରଞ୍ଜିତ ଶ୍ରୀନିବାସନଙ୍କୁ ତାଙ୍କ ବାସଭବନରେ ତାଙ୍କ ମା’ ଏବଂ ପତ୍ନୀଙ୍କ ସମ୍ମୁଖରେ ହତ୍ୟା କରାଯାଇଥିଲା। ରଞ୍ଜିତଙ୍କ ମାଙ୍କ କହିବାନୁସାରେ, ତାଙ୍କ ବାସଭବନରେ ଆଠ ଜଣିଆ ଗ୍ୟାଙ୍ଗ ଦ୍ୱାରା ଆକ୍ରମଣ କରାଯାଇଥିଲା।
ଏସଡିପିଆଇ ରାଜ୍ୟ ସଚିବ କେ ଏସ ଶାନଙ୍କୁ ଘର ନିକଟରେ ଗୋଟିଏ ଗ୍ୟାଙ୍ଗ ଆକ୍ରମଣ କରିଥିଲେ। ଶନିବାର ବିଳମ୍ବିତ ରାତିରେ ଏର୍ନାକୁଲାମର ଏକ ଘରୋଇ ଡାକ୍ତରଖାନାରେ ଶାନଙ୍କ ମୃତ୍ୟୁ ଘଟିଛି।