
ସୀତାରାମ ଅଗ୍ରୱାଲ
ଚିଲିକା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସଦାବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ହେଉ ଅବା ଦଳୀୟ ସଭାରେ ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର ହେଉ। ଏଭଳି ଅନେକ ଘଟଣାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଚର୍ଚ୍ଚାକୁ ଆସୁଛନ୍ତି। ତେବେ ନିଜର ଚିରାଚରିତ ପ୍ରକୃତି ଲାଗି ବିଜେଡିରୁ ନିଲମ୍ବିତ ହୋଇଥିଲେ ମଧ୍ୟ ବିଧାୟକ ନିଜକୁ କାବୁ ରଖିପାରୁନାହାନ୍ତି।
ଗତକାଲି ରାତିରେ ପୁଣି ବିଧାୟକ ଜଗଦ୍ଦେବ ବାଣପୁର ବ୍ଲକ ତୁମୁରାପୁଟ ପଞ୍ଚାୟତର ଆଶାୟୀ ସରପଞ୍ଚ ପ୍ରାର୍ଥୀନୀ ମିନା ବେହେରାଙ୍କ ସ୍ୱାମୀ ବାବୁଲା ବେହେରାଙ୍କୁ ପ୍ରାର୍ଥୀପତ୍ର ଦାଖଲ ନକରିବା ପାଇଁ ଧମକାଉଥିବାର ଏକ ଅଡ଼ିଓ ଭାଇରଲ ହେବାରେ ଲାଗିଛି। ତେବେ ଉକ୍ତ ଘଟଣା ବର୍ତ୍ତମାନ ଆହୁରି ଭୟଙ୍କର ମୋଡ଼ ନେବାରେ ଲାଗିଛି।
ଆଜି ସଂନ୍ଧ୍ୟାରେ ବାଣପୁର ଥାନାରେ ହାଜର ହୋଇ ତାଙ୍କର ଏବଂ ତାଙ୍କ ପରିବାର ସଦସ୍ୟ ମାନଙ୍କ ଜୀବନର ସୁରକ୍ଷା ପ୍ରଦାନ ପାଇଁ ଆଇଆଇସିଙ୍କୁ ମିନା ବେହେରା ଏକ ଲିଖିତ ନିବେଦନ କରିଛନ୍ତି। ଉକ୍ତ ଅନୁରୋଧ ପତ୍ରରେ ମିନା ଲେଖିଛନ୍ତି କି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗତକାଲି ସଂନ୍ଧ୍ୟାରେ ତାଙ୍କ ସ୍ୱାମୀଙ୍କୁ ଫୋନ ମାଧ୍ୟମରେ ଧମକାଇଥିଲେ। ଯଦି ମିନା ପ୍ରାର୍ଥୀପତ୍ର ଦାଖଲ କରନ୍ତି ତେବେ ସୁବିଧା ଦେଖିକି ତାଙ୍କ ବ୍ୟବସ୍ଥା କରିବେ ବୋଲି ବିଧାୟକ ଧମକାଇଥିଲେ।
ଏହାପରେ ମିନା ଏବଂ ତାଙ୍କ ପରିବାରବର୍ଗ ଭୟଭୀତ ଅବସ୍ଥାରେ ଥିବା ବେଳେ ଗତକାଲି ରାତି ଦୁଇ ଟା ରେ କେତେଜଣ ବିଜେଡି ନେତା ମାନେ ପୁନଶ୍ଚ ମିନାଙ୍କୁ ଧମକାଇଥିବା ଉଲ୍ଲେଖ କରିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମିନା ସରପଞ୍ଚ ଆଶାୟୀ ପ୍ରାଥୀ ଥିବା ବେଳେ ତାଙ୍କୁ ସୁରକ୍ଷା ଦେବା ପୋଲିସର ନୈତିକ ଦାଇତ୍ୱ ବୋଲି ମିନା କହିଛନ୍ତି।