
ଲକ୍ଷ୍ମୀପୁର ଖେରୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ଅକ୍ଟୋବର ୩ ତାରିଖରେ ଘଟିଥିବା ତିକୁନିୟା ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଜାମିନ ମିଳିଛି। କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରୁ ଜାମିନ ପାଇଛନ୍ତି। ଜଷ୍ଟିସ ରାଜୀବ ସିଂଙ୍କ ଏକକ ବେଞ୍ଚ ଦ୍ୱାରା ଏହି ନିର୍ଦ୍ଦେଶ ଦିଆଯାଇଛି। ଆଶିଷଙ୍କ ଜାମିନ ଆବେଦନ ଶୁଣିବା ପରେ ଜାନୁଆରୀ ୧୮ ତାରିଖ ୨୦୨୨ରେ କୋର୍ଟ ଏହାର ଆଦେଶ ସଂରକ୍ଷଣ କରିଥିଲେ।
କିଛି ଦିନ ପୂର୍ବେ, ଟିକୁନିୟା ହିଂସା ସମୟରେ ଚାଷୀଙ୍କ ମୃତ୍ୟୁ ମାମଲାରେ ଏସଆଇଟି ୫ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା। ଯେଉଁଥିରେ ଏସଆଇଟି ୧୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କରିଥିଲା। ଚାର୍ଜସିଟ ଅନୁଯାୟୀ, ଏକ ଯୋଜନାବଦ୍ଧ ଷଡଯନ୍ତ୍ରରେ ଆନ୍ଦୋଳନରତ କୃଷକମାନଙ୍କୁ ଗାଡି ଚଢାଇଦେଇଥିଲେ।
ସୂଚନାଯୋଗ୍ୟ ଯେ ଅକ୍ଟୋବର ୩ ତାରିଖରେ ଏହି ଘଟଣାରେ ଚାରିଜଣ କୃଷକ ଏବଂ ସ୍ଥାନୀୟ ସାମ୍ବାଦିକଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଅକ୍ଟୋବର ୪ ତାରିଖ ଦିନ ଆଶିଷ ମିଶ୍ର ଏବଂ ଅନ୍ୟାନ୍ୟଙ୍କ ବିରୋଧରେ ଥାନାରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା। ତେବେ, ପରେ ଏସଆଇଟିର ଅନୁସନ୍ଧାନରୁ ଏହା ଜଣାପଡିଥିଲା ଯେ, ଏହା ଏକ ଦୁର୍ଘଟଣା ନୁହେଁ ବରଂ ଏକ ସୁଚିନ୍ତିତ ଷଡଯନ୍ତ୍ରରେ ହତ୍ୟା।