
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସ ଆଜି ଏକ ଜଙ୍ଗଲରୁ ଚୋରା ବାଇକ ସହ ଜୀବନ୍ତ ବୋମା ଏବଂ ଅନ୍ୟାନ ଆପତ୍ତିଜନକ ଜିନିଷ ଜବତ କରିଛି। ଏସପି ଅଲେଖ ଚନ୍ଦ୍ର ପହି, ଖୋର୍ଦ୍ଧା ଏସଡିପିଓ ସୁଶୀଲ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏସଆଇ ପଦ୍ମଲୋଚନ ବେହରାଙ୍କ ନେତୃତ୍ୱରେ ଜରିପୁଟ ଜଙ୍ଗଲ ମଧ୍ୟରେ ଚଢ଼ାଉ କରାଯାଇଥିଲା।
ଚଢ଼ାଉ ସମୟରେ ପୋଲିସ ଜଙ୍ଗଲ ମଧ୍ୟରେ ଏକ ଗୃହରୁ ଦୁଇ ଗୋଟି ଜାଲ ନମ୍ବରପ୍ଲେଟ ଥିବା ବାଇକ ଓ ସ୍କୁଟି, ପାଞ୍ଚ ଗୋଟି ଜୀବନ୍ତ ବୋମା ଏବଂ ୫୦୦ ଗ୍ରାମ ଗନ ପାଉଡର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଉକ୍ତ ଘଟଣାରେ ଜରିପୁଟ ଅଞ୍ଚଳର କାଳୁ ସାମନ୍ତରାୟ ଏବଂ ଅନ୍ୟ ବ୍ୟକ୍ତିମାନେ ଜଡ଼ିତ ଥିବାର ପୋଲିସ ଜାଣିବାକୁ ପାଇଛି।
ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଟାଉନ ଥାନାରେ କେଶ ନମ୍ବର ୧୬୦/୨୨ ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିବାର ଜଣାପଡିଛି।