
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ମିଳିଛି ଆଉ ଏକ ବଡ ସଫଳତା। ୨୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।
ସୂଚନା ମୁତାବକ ଅରାଙ୍ଗ ଗ୍ରାମର ଅଁଳେଇ ମନ୍ଦିର ସମ୍ମୁଖରେ ଆଜି ବ୍ରାଉନ ସୁଗାର କାରବାର ଚାଲିଥିବାର ଏସପି ସିଦ୍ଧାର୍ଥ କଟାରିଆଙ୍କୁ କୌଣସି ଏକ ସୂତ୍ରରୁ ଖବର ମିଳିଥିଲା। ବିଳମ୍ବ ନକରି ଟାଉନ ଥାନା ପୋଲିସକୁ ଏସପି ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଏବଂ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ସ୍କ୍ୱାର୍ଡର ସହଯୋଗରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥଲା।
ଚଢ଼ାଉ ସମୟରେ ପୋଲିସ ଉକ୍ତ ସ୍ଥାନରୁ ୨୬୦ ଗ୍ରାମ ବ୍ରାଉନ ସୁଗାର ଓ ଗୋଟେ ଟିଭିଏସ ଆପାଚି ମଟରସାଇକେଲ ଜବତ କରିବା ସହ ଅଭିଯୁକ୍ତ ପ୍ରକାଶ ନାୟକ ଏବଂ ସୁରେଶ କୁମାର ସାହୁଙ୍କୁ ଗିରଫ କରିଥିଲା। ଜବତ ବ୍ରାଉନସୁଗାର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।
ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏନଡ଼ିପିଏସ ଅଧିନିୟମ ୨୧(ଗ)/୨୯ ଅନୁଯାୟୀ ଟାଉନ ଥାନା କେଶ ନମ୍ବର ୨୪୯/୨୨ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି। ଉକ୍ତ ଚଢ଼ାଉରେ ଏସଆଇ ସୁକାନ୍ତ ଦଳାଇ, ପଦ୍ମଲୋଚନ ବେହେରା, ସସ୍ମିତା ବେହେରା, ଏଏସଆଇ ରାମଚନ୍ଦ୍ର ମିଶ୍ର ଏବଂ ସ୍ୱତନ୍ତ୍ର ସ୍କ୍ୱାର୍ଡ ଆଦି ସାମିଲ ଥିଲେ।