
ମୁମ୍ବାଇ: ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ନୁପୁର ଶର୍ମାଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି। ସେ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏକ ନ୍ୟୁଜ୍ ଚ୍ୟାନେଲ କାର୍ଯ୍ୟକ୍ରମରେ ଭବିଷ୍ୟଦ୍ବକ୍ତା ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ମୁମ୍ବାଇ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଧାର୍ମିକ ଭାବନାକୁ ଆଘାତ ଦେବା, ଘୃଣା ବିସ୍ତାର କରିବା ଏବଂ ଅନ୍ୟ ଧର୍ମ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ପାଇଁ ନୁପୁରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।
ପୋଲିସ କହିଛି ଯେ, ସୁନ୍ନି ବରେଲଭି ସଂଗଠନ ରଜା ଏକାଡେମୀ ନୁପୁର ଶର୍ମାଙ୍କ ବିରୋଧରେ ଅଭିଯୋଗ ଆଣିଛି। ପ୍ରକୃତରେ ନୁପୁର ଶର୍ମା ଜ୍ଞାନବ୍ୟାପୀ ମସଜିଦ ଉପରେ ଚାଲିଥିବା ବିତର୍କରେ ଭାଗ ନେବାକୁ ଯାଇଥିଲେ। ଏଥି ସହିତ ସେ ମହମ୍ମଦଙ୍କ ବିରୋଧରେ ବିବାଦୀୟ ଶବ୍ଦ ବ୍ୟବହାର କରିଥିଲେ। ଏହା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଥିଲା।
ନୁପୁର ଶର୍ମା କ’ଣ କହିଥିଲେ?:
ବାସ୍ତବରେ, ବିତର୍କ ସମୟରେ ନୁପୁର ଶର୍ମା କହିଥିଲେ ଯେ, ଯଦି ଲୋକମାନେ କ୍ରମାଗତ ଭାବରେ ହିନ୍ଦୁ ଧର୍ମକୁ ପରିହାସ କରୁଛନ୍ତି, ତେବେ ସେ ଇସଲାମ ସହିତ ମଧ୍ୟ କରିପାରିବେ। ଏହା ପରେ ସେ ମହମ୍ମଦଙ୍କ ସହ ଜଡିତ ଏକ ଘଟଣାକୁ ମଜାଳିଆ ଢଙ୍ଗରେ ଉଲ୍ଲେଖ କରିଥିବା ଅଭିଯୋଗ ହୋଇଛି। ତାଙ୍କ ବିବୃତ୍ତିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା ଏବଂ ହଙ୍ଗମା ମଧ୍ୟ ଆରମ୍ଭ ହେଲା।
ଏହି ମାମଲା ପରେ ନୁପୁର ଶର୍ମାଙ୍କୁ ମଧ୍ୟ ଅନେକ ଧମକ ମିଳିଛି। ଏବଂ ଟ୍ୱିଟରରେ ଯେଉଁ ଧମକ ମିଳିଥିଲା, ସେ ସମ୍ପର୍କରେ ଦିଲ୍ଲୀ ପୋଲିସକୁ ନୁପୁର ସୂଚନା ଦେଇଥିଲେ। ତାଙ୍କୁ ଇସଲାମିକ କଟ୍ଟରପନ୍ଥୀମାନେ ଧମକ ଦେଇଥିବା ସେ ଦିଲ୍ଲୀ ପୋଲିସକୁ କହିଛନ୍ତି। ଅଭିଯୋଗରେ ନୁପୁର କହିଛନ୍ତି ଯେ, କିଛି ଲୋକ ତାଙ୍କ ମୁଣ୍ଡ କାଟିଦେବାକୁ ମଧ୍ୟ ଧମକ ଦେଉଛନ୍ତି।