ଟାଙ୍ଗୀ: ଏକ୍ସପାଏରୀ ଇଂଜେକସନ ନେଇ ନାବାଳକ ଗୁରୁତର, ଭୁବନେଶ୍ବର ସ୍ଥାନାନ୍ତରିତ

Published: Jul 19, 2022, 2:57 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅସୁସ୍ଥ ନାବାଳକ ଏକ୍ସପାଏରୀ ଇଂଜେକସନ ନେବାରୁ ଗୁରୁତର ହୋଇପଡିଛନ୍ତି। ପରେ ତାଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ନାବାଳକଜଣଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ଝରିଆ ଗ୍ରାମର ରଶ୍ମି ରଂଜନ ପଲେଇ (୧୨ ବର୍ଷ) ପେଟ ରୋଗରେ ଆକ୍ରାନ୍ତ ଥିଲେ। ତେଣୁ ସେ ଚିକିତ୍ସା ପାଇଁ ଟାଙ୍ଗୀରେ ଶିଶୁରୋଗୀ ବିଶେଷଜ୍ଞଙ୍କ ପରାମର୍ଶ ନେଇଥିଲେ। ଆବଶ୍ୟକୀୟ ବିଶ୍ଳେଷଣ କରିବା ପରେ ନାବାଳକଜଣଙ୍କୁ ଡାକ୍ତର ଜୋନ୍ ୫୦୦ ନାମକ ଇଂଜେକସନ ସହ ଅନ୍ୟାନ୍ୟ ଔଷଧ ଲେଖିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ନୟାଗଡ ଜିଲ୍ଲା ଚାନ୍ଦପୁରରେ ଥିବା ଘରୋଇ କ୍ଲିନିକ୍ ରୁ ସେ ଇଂଜେକସନ ଏବଂ ଔଷଧ କିଣିଥିଲେ। କିନ୍ତୁ ସେଠାରେ ଜୋନ୍ ୫୦୦ ବଦଳରେ ନାବାଳକଙ୍କୁ ଓଡିଶେଫ୍ ୫୦୦ ଗ୍ରାମ୍ ର ଇଂଜେକସନ୍ ଦିଆଯାଇଥିଲା, ଯାହା ୬ ମାସ ତଳେ ଏକ୍ସପାଏରୀ ହୋଇଯାଇଥିଲା। ଫଳରେ ନାବାଳକ ଜଣକ ଏକ୍ସପାରୀ ଇଂଜେକସନ ପ୍ରଭାବରେ ଗୁରୁତର ହେବାରୁ ତାକୁ ପରିବାର ଲୋକେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ତେବେ ସେଠାରେ ନାବାଳକର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରି ଦେଇଛନ୍ତି। ଏସଂପର୍କରେ ଘରୋଇ ମେଡିକାଲ ମାଲିକ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ଘରୋଇ କ୍ଲିନିକ ସମ୍ମୁଖରେ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ଦେଖାଦେଇଥିଲା।

Related posts