
ସୀତାରାମ ଅଗ୍ରୱାଲ
ବାଣପୁର: ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନାର ଆଇଆଇସି ମାନେ ଚୋରା ବାଇକ ଉଦ୍ଧାର ଅଭିଯାନ ଗତ ତିନି ଦିନ ହେବ ଜାରି ରଖିଛନ୍ତି। ତେବେ ଏହି ଅଭିଯାନ ମଧ୍ୟରେ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ଗତ ୨ ଦିନ ମଧ୍ୟରେ ୧୪ ଗୋଟି ଚୋରା ବାଇକ ଓ ସ୍କୁଟି ଉଦ୍ଧାର କରିଛି ନୟାଗଡ଼ ଜିଲ୍ଲା ପୋଲିସ।
ଗତକାଲି ଚାନ୍ଦପୁର ଆଇଆଇସି ମୁକେଶ ବେହରା ରାତ୍ରକାଳିନ ଚଢ଼ାଉ କରି ବାଣପୁର ଥାନା କୋଷରଡ଼ା ଅଞ୍ଚଳରୁ ୪ ଗୋଟି ଚୋରା ବାଇକ ଉଦ୍ଧାର କରିଥିବା ବେଳେ ଆଜି ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ବୈଦ୍ୟନାଥ ଭୋଇ ପୁନଶ୍ଚ ଉକ୍ତ ଅଞ୍ଚଳରେ ଚଢ଼ାଉ କରି ଆଉ ୧୦ ଚୋରା ବାଇକ ଓ ସ୍କୁଟି ଉଦ୍ଧାର କରିଛନ୍ତି ।
ତେବେ କୋଷରଡ଼ା ଅଞ୍ଚଳର ପାହାଡ଼ ଓ ନଦୀକୁ ଅତିକ୍ରମ କରି ଅକ୍ଲାନ୍ତ ପରିଶ୍ରମ କରି ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉକ୍ତ ବାଇକ ଗୁଡିକୁ ଠାବ କରିବାରେ ସଫଳ ହୋଇଛନ୍ତି।
ଅନୁରୂପ ଭାବେ ଗତକାଲି ନୟାଗଡ଼ ଟାଉନ ଥାନା ଆଇଆଇସି ପ୍ରଜ୍ଞା ପାରମିତା ମିଶ୍ର ମଧ୍ୟ ଗଞ୍ଜାମ ଜିଲ୍ଲା ମା ନାରାୟଣୀ ମନ୍ଦିର ରୋଡରୁ ୫ ଗୋଟି ଚୋରା ବାଇକ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ତେବେ ବାଣପୁର ଅଞ୍ଚଳରୁ ଏତେ ସଂଖ୍ୟକ ଚୋରା ବାଇକ ଉଦ୍ଧାର ଘଟଣା ସମସ୍ତଙ୍କୁ ଚକିତ କରଦେଇଛି।
ଏ ନେଇ ନୟାଗଡ ଏସପିଙ୍କୁ ପଚାରିବାରୁ ଏଯାବତ ଜିଲ୍ଲା ପୋଲିସ ଦ୍ୱାରା ବିଭିନ୍ନ ଅଞ୍ଚଳରୁ ସମୁଦାୟ ୪୦ ରୁ ଉର୍ଦ୍ଧ୍ଵ ଚୋରା ବାଇକ ଓ ସ୍କୁଟି ଉଦ୍ଧାର ହୋଇଥିବା ବେଳେ ଆଗକୁ ଆହୁରି ବହୁତ ଚୋରା ବାଇକ ଉଦ୍ଧାର ହେବ ବୋଲି କହିଛନ୍ତି ଏବଂ ଏ ନେଇ ଖୁବ ଶୀଘ୍ର ଏସପି ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ଦେଇଛନ୍ତି।
ତେବେ ନୟାଗଡ଼ ଏସପିଙ୍କ ଉକ୍ତ ପ୍ରୟାସକୁ ଉଭୟ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ଜନସାଧାରଣ ମାନେ ଭୁରି ପ୍ରଶଂସା କରିଛନ୍ତି, ତତସହିତ ଏପରି ସ୍ୱତନ୍ତ୍ର ଅଭିଯାନ ସମସ୍ତ ଜିଲ୍ଲାରେ କରାଗଲେ ବହୁ ନିରୀହ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।