ମଦ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ବଡ କାର୍ଯ୍ୟାନୁଷ୍ଠାନ, ୬ ଟି ରାଜ୍ୟର ୪୦ ଟି ସ୍ଥାନରେ ଚଢାଉ

Published: Sep 16, 2022, 11:44 am IST

ନୂଆଦିଲ୍ଲୀ: ଦିଲ୍ଲୀରେ ମଦ ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଟିମ୍ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୬ ଟି ରାଜ୍ୟରେ ୪୦ ଟି ସ୍ଥାନରେ ଇଡି ଚଢାଉ କରିଛି। ବେଙ୍ଗାଲୁରୁ, ହାଇଦ୍ରାବାଦ, ନେଲୋର, ଚେନ୍ନାଇ ସମେତ ୪୦ ରୁ ଅଧିକ ସ୍ଥାନରେ ଚଢାଉ କରାଯାଉଛି। ଦିଲ୍ଲୀ-ଏନସିଆର, ପଞ୍ଜାବ, ହରିୟାଣା ଏବଂ ୟୁପିରେ ମଧ୍ୟ ତଲାସି ଚାଲିଛି।

କୁହାଯାଉଛି ଯେ, ଦିଲ୍ଲୀର ନୂତନ ଏକ୍ସାଇଜ୍ ପଲିସିରେ ହୋଇଥିବା ଅନିୟମିତତା ଅଭିଯୋଗରେ ମନି ଲଣ୍ଡରିଂ ମାମଲାର ତଦନ୍ତ ସଂପର୍କରେ ଇଡି ପ୍ରାୟ ୪୦ ଟି ସ୍ଥାନରେ ଚଢାଉ କରିଛି।

ଏହାପୂର୍ବରୁ ଦିଲ୍ଲୀ ସରକାରଙ୍କ ଏକ୍ସାଇଜ୍ ପଲିସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ସେପ୍ଟେମ୍ବର ୬ ତାରିଖରେ ଅନେକ ସ୍ଥାନରେ ଚଢାଉ କରିଥିଲା। ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରର ୩୦ ଟି ସ୍ଥାନରେ ଇଡି ଚଢାଉ କରିଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଦିଲ୍ଲୀର ମଦ ନୀତି ସଂପର୍କରେ ଶାସକ ଆମ୍ ଆଦମୀ ପାର୍ଟି (AAP) ବିରୋଧରେ ବିଜେପି ଦୁର୍ନୀତି ଅଭିଯୋଗ ଆଣିଛି। ଏହି ମାମଲାରେ ସିବିଆଇ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଚଢାଉ କରିଥିଲା। ଏହି ଚଢାଉ ପରେ ମନୀଷ ସିସୋଦିଆ କହିଥିଲେ ଯେ, ଏହି ଚଢାଉରେ କିଛି ମିଳିନଥିଲା। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଅସ୍ୱୀକାର କରିଥିଲେ। ବିଜେପି ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ, ଦିଲ୍ଲୀର ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଉତ୍କୃଷ୍ଟ କାର୍ଯ୍ୟରେ ଏହି ଲୋକମାନେ ହଇରାଣରେ ପଡ଼ିଛନ୍ତି।

Related posts