୫ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ଧଳା ଜହର ଜବତ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ, ତିନି ଗିରଫ

Published: Dec 5, 2022, 10:38 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ଆଜି ଟାଉନ ଥାନା ଅନ୍ତର୍ଗତ ବଡ଼ ସହରସାହିର ଏକ ପରିତ୍ୟକ୍ତ ଗୃହରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପୋଲିସ ପାଇଥିଲା।

ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ ଦାସ ଓ ଟାଉନ ଥାନା ଆଇଆଇସି ତାରିକ ଅହମଦଙ୍କ ତତ୍ୱାବଧାନରେ ଏସଆଇ ସୁକାନ୍ତ ଦଳାଇଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୫୩ ଗ୍ରାମ ବ୍ରାଉନ ସୁଗାର ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୩୦ ହଜାର ଟଙ୍କା ହେବ ଏବଂ ଏକ ମୋବାଇଲ ଜବତ କରାଯାଇଥିଲା। ଏଥିସହିତ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳର ଅମିତ କୁମାର ସାହୁ (୩୫) ଏବଂ ଟାଉନ ଥାନା ଅଞ୍ଚଳର ବିଜୟ ମହାନ୍ତି (୩୩) ଏବଂ ଆକାଶ ସେଠି (୨୧)। ସମସ୍ତ ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଟାଉନ ଥାନାରେ ଏନଡିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୬୫୪/୨୨ ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ମିଳିଛି।

Related posts