ନକଲି ବନ୍ଧୁକ କାରଖାନା ଠାବ, ପ୍ରସ୍ତୁତ ବନ୍ଧୁକ ସହ ସରଞ୍ଜାମ ଜବତ

Published: Mar 14, 2023, 12:50 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଡିମିରିପଲୀ ଗ୍ରାମର ମୋହନ ମଲିକ ନାମକ ଜଣେ ବନ୍ଧୁକ ପ୍ରସ୍ତୁତକାରୀକୁ ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଗିରଫ କରିଛି ଓ ୪ଟି ବନ୍ଧୁକ ସହ କିଛି ବନ୍ଧୁକ ପ୍ରସ୍ତୁତି ସରଞ୍ଜାମ ଜବତ କରିଛି।

ଘଟଣାରୁ ପ୍ରକାଶ ଯେ, ଜଗନ୍ନାଥପ୍ରସାଦ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗତ ଫେବୃଆରୀ ମାସ ୨୬ ତାରିଖରେ ଖଇରପୁଟ ଗ୍ରାମର ସୁଶାନ୍ତ କୁମାର ନାୟକଙ୍କ ଘରେ ଅଚାନକ ଚଢ଼ାଉ କରିଥିଲା। ଏହି ସମୟରେ ଗୋଟିଏ ଦେଶୀ ବନ୍ଧୁକ ଜବତ କରି ସୁଶାନ୍ତକୁ ଜେରା କରିବା ବେଳେ ସେ ଉକ୍ତ ବନ୍ଧୁକ ଟି ୯ ହଜାର ଟଙ୍କାରେ ମୋହନ ମଲିକଙ୍କ ଠାରୁ କିଣି ଥିବା ପ୍ରକାଶ କରିଥିଲେ।

ଏହି ତଥ୍ୟକୁ ଆଧାର କରି ପୋଲିସ ମୋହନ ମଲିକ ଘରେ ଅଚାନକ ଚଢ଼ାଉ କରି ଉକ୍ତ ବନ୍ଧୁକ, ସରଞ୍ଜାମ ଜବତ କରିବା ସହ ମୋହନଙ୍କ ବିରୋଧରେ ଧାରା ୨୫/୧ ଏ, ମାମଲା ନଂ ୧୨୬/୨୩ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି।

ପୋଲିସ ପ୍ରସ୍ତୁତକାରୀ ମୋହନଙ୍କୁ ଜେରା ବେଳେ ସେ ଆଜକୁ ୩୦ ବର୍ଷ ହେଲା ଏହି କାରଖାନା ଚଳାଇଛନ୍ତି ଓ ତିନି ହଜାରରୁ ଉର୍ଦ୍ଧ୍ବ ବନ୍ଧୁକ ତିଆରି କରି ଥିବା ପୋଲିସ ନିକଟରେ ପ୍ରକାଶ କରିଛନ୍ତି।

Related posts