ଉପଜିଲ୍ଲାପାଳଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା, ଗଣତି ପାଇଁ ଲୋକ ଖୋଜୁଛି ଭିଜିଲାନ୍ସ, ଦେଖନ୍ତୁ Video

Published: Jun 23, 2023, 6:05 pm IST

ଭୁବନେଶ୍ବର: ସେ ହେଉଛନ୍ତି ଉପଜିଲ୍ଲାପାଳ, ହେଲେ ତାଙ୍କ ଘରୁ ବାହାରିଲା ଖାଲି ବିଡାବିଡା ୫୦୦ ଟଙ୍କିଆ ନୋଟ। ଯାହାକୁ ଗଣିବା ପାଇଁ ଭିଜିଲାନ୍ସ ଅଫିସର ନୟାନ୍ତ ହେଲେଣି। ବର୍ତ୍ତମାନ ସୁଦ୍ଧା ବାହାରିଲାଣି ଦୁଇ କୋଟିରୁ ଅଧିକ। ତଥାପି ଆହୁରି ବାହାରୁଛି। ଶେଷରେ ଭିଜିଲାନ୍ସ ଅଫିସର ଟଙ୍କା ଗଣତି ପାଇଁ ଲୋକ ଓ ମେସିନ ଖୋଜୁଥିବାର ଜଣାପଡିଛି।

ଏହି ଘଟଣାଟି ନବରଙ୍ଗପୁର ଜିଲ୍ଲାରେ ଘଟିଛି। ସେଠାକାର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ବାସଭବନ ଭିଜିଲାନ୍ସ ଚଢାଉ ପରେ ଏହି ଟଙ୍କା ମିଳିଛି। ଭିଜିଲାନ୍ସ ବିଭାଗ ପୂର୍ବରୁ ସୂଚନା ଅନୁଯାଇ ଆଜି ସକାଳେ ଏହି ଚଢାଉ କରିଥିଲା। ଏଥିରେ ଶ୍ରୀ ରାଉତଙ୍କର 9 ଟି ସ୍ଥାନରେ ଏହି ଚଢାଉ କରାଯାଇଛି।

ଏଥିରେ ଶ୍ରୀ ରାଉତଙ୍କ ନବରଙ୍ଗପୁରରେ ଥିବା ବାସଭବନ, ନବରଙ୍ଗପୁର ଜିଲ୍ଲାପାଳ ଅଫିସରେ ଥିବା ତାଙ୍କର ଚ୍ୟାମ୍ବର, ଭଦ୍ରକ ବାହୁଦରଦା ଗାଁରେ ଥିବା ତାଙ୍କର ପୈତୃକ ଘର। ସେହିପରି ଭୁବନେଶ୍ବରରେ କାନନ ବିହାରରେ ଥିବା ଦୁଇ ମହଲା କୋଠା ଉପରେ ଏହି ଚଢାଉ ଚାଲିଥିଲା।

ଏହି ପୁଳାପୁଳା ଟଙ୍କା ତାଙ୍କର ଭୁବନେଶ୍ବରର କାନନବିହାରରେ ଥିବା କୋଠାରୁ ମିଳିଛି। ସେଠାରେ ଏହି ୫୦୦ ଟଙ୍କିଆ ନୋଟ ୬ଟି ପେଟିରେ ସିଲ ହୋଇ ରଖାଯାଇ ଥିଲା। ଏତେ ପେଟି କଣ ପାଇଁ ଥୁଆ ଯାଇଛି ବୋଲି ଭିଜିଲାନ୍ସ ଦେଖି ଚକିତ ହୋଇଥିଲେ। ଗୋଟିଏ ପେଟି ଖୋଲିବା ପରେ ସେଥିରେ କେବଳ ୫୦୦ ଟଙ୍କିଆ ନୋଟ ଦେଖି ତାଙ୍କର ମୁଣ୍ଡ ଘୁରିଯାଇଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ପେଟି ଖୋଲିବା ପରେ ସେଥିରୁ କେବଳ ପୁଳାପୁଳା ଟଙ୍କା ମିଳିଥିଲା।

ତେବେ ମଜାର କଥା ହେଲା ଯେ, ଭିଜିଲାନ୍ସ ଚଢାଉ ଜାଣିବା ପରେ ଶ୍ରୀ ରାଉତ ଏହି ପେଟିଗୁଡିକ ପଡୋଶୀ ଛାତ ଉପରକୁ ଫିଙ୍ଗି ଦେଇ ଥିଲେ। ଯାହାକୁ ଭିଜିଲାନସ ଦେଖି ଜବତ କରିବାରେ ସକ୍ଷମ ହୋଇ ପାରିଥିଲା। ପଡୋଶୀ ଛାତ ଉପରକୁ ଟଙ୍କା ପେଟି ସହିତ ସୁନା ଅଳଙ୍କାର, ବ୍ୟାଙ୍କ ପାସବୁକ, ଜମି କାଗଜପତ୍ର ସବୁ ଫିଙ୍ଗି ଦେଇଥିଲେ। ଯାହାକୁ ଭିଜିଲାନସ ଜବତ କରିଛି।

ଭୁବନେଶ୍ବର ଘରୁ ମିଳିଥିବା ଟଙ୍କାର ପରିମାଣ ପ୍ରାୟ ୨ କୋଟି ୨୫ ଲକ୍ଷ ହେବ ବୋଲି ଜଣାପଡିଛି। ସେହିପରି ନବରଙ୍ଗପୁର ଘରୁ ମଧ୍ୟ ପେଟିରେ ବନ୍ଧାଯାଇଥିବା ଟଙ୍କା ମିଳିଛି। ସେଥିରେ ଗୋଟିଏ ପେଟିରୁ ୫୬ ଲକ୍ଷ ଓ ଆଉ ଗୋଟିଏରୁ ୨୧ ଲକ୍ଷ ଟଙ୍କା ମିଳିଛି। ସେହିପରି ଆଉ ଏକ ଆଲମିରାରୁ ୧୨.୫ ଲକ୍ଷ ଟଙ୍କା ମିଳିଛି।

Related posts