
କୁଜଙ୍ଗ: କୁଜଙ୍ଗ ଥାନା ବଡଙ୍ଗ ଗ୍ରାମକୁ ହଳଦୀ ପାଣି ନଦୀ ଉପରେ ଅସ୍ଥାୟୀ ରାସ୍ତା ନିର୍ମାଣକୁ ବିରୋଧକରି ସେହି ଗ୍ରାମର ଜଣେ ଯୁବକକୁ ଆଜି ଜେଲ ଯିବାକୁ ପଡିଛି। ପ୍ରକାଶ ଯେ, ନଦୀ ଉପରେ ଥିବା ପୋଲ ଅଣ ଓସାରିଆ ହୋଇଥିବାରୁ ଭାରିଯାନ ଯିବା କଷ୍ଟକର ହୋଇପଡୁଥିଲା। ଯାହା ଫଳରେ କି ୨୦୨୨ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଉକ୍ତ ପୋଲକୁ ଭଙ୍ଗା ଯାଇ ନୂତନ ପୋଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା। ମାତ୍ର ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏହି ପୋଲ ନିର୍ମାଣ ହୋଇପାରନଥିଲା।
୨୦୨୨ ମସିହା ବର୍ଷା ଋତୁରେ ଉକ୍ତ ପୋଲ ଉପରେ ନିର୍ଭର କରୁଥିବା ୩ଟି ଗ୍ରାମର ୩ ହଜାରରୁ ଉର୍ଦ୍ଧ୍ୱ ଜନ ସାଧାରଣଙ୍କୁ ଯାତାୟତ କରିବା ପାଇଁ ଅସୁବିଧା ହେଉଥିଲା। ଏ ସମ୍ପର୍କରେ ଗତ ୨୯ ତାରିଖରେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ କୁଜଙ୍ଗ ଗସ୍ତ ଅବସରରେ ଘଟଣା ସମ୍ପର୍କରେ ସ୍ଥାନିୟ ଜଣେ ଛାତ୍ରୀ ଆଦ୍ୟାଶା ପ୍ରଧାନ ଅବଗତ କରାଇଥିଲେ। ସ୍ଥଳକୁ ନେଇ ଦେଖାଇବା ସହ କାମର ବିଳମ୍ବତା ନେଇ ଅଭିଯୋଗ କରିଥିଲେ।
୫-ଟି ସଚିବଙ୍କ ନିର୍ଦ୍ଦେଶମତେ ଅସ୍ଥାୟୀ ରାସ୍ତାକୁ ମଜଭୁତ କରିବା ସହ ପୋଲ ନିର୍ମାଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ମାତ୍ର ଠିକାଦାର ପ୍ରହଲ୍ଲାଦ ଚନ୍ଦ୍ର ସ୍ୱାଇଁ ଏହି ରାସ୍ତାଟିକୁ କାର୍ଯ୍ୟକରୁଥିବା ବେଳେ ସେହି ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ପୁଅ ବବୁଲ ପ୍ରଧାନ (୩୦) ଓ ବିଚିତ୍ର ପରିଡାଙ୍କ ପୁଅ ପ୍ରକାଶ ପରିଡା (୪୦) ଦାଦା ବଟି ମାଗିବା ସହ ଧମକ ଚମକ ଦେଇଥିଲେ। ଯାହା ଫଳରେକି ଠିକାଦାର ଶ୍ରୀଯୁକ୍ତ ସ୍ୱାଇଁ ଏସଂକ୍ରାନ୍ତରେ କୁଜଙ୍ଗ ଥାନାରେ ଅଭିଯୋଗକରିଥିଲେ।
ଅଭିଯୋଗକୁ ଭିତ୍ତିକରି କୁଜଙ୍ଗ ଥାନା କେସ ନଂ.୩୫୧/୨୩ରେମାମଲା ରୁଜୁକରି ସୋମବାରଦିନ ବବୁଲକୁ ଗିରଫକରି କୋର୍ଟ ଚାଲଣ କରିଥିଲେ। ଜାମିନ ନାମାଞ୍ଜୁର ହେବାରୁ କୁଜଙ୍ଗ ଉପକାରାଗାରକୁ ପଠାଇ ଦିଆଯାଇଛି। ଅନ୍ୟ ପକ୍ଷରେ ପ୍ରକାଶ କେଉଁଆଡେ ଫେରାର ହୋଇଯାଇଥିବା ଥାନା ଅଧିକାରୀ ରଶ୍ମି ରଂଜନ ଦାସ କହିଛନ୍ତି।