
ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ଅଂଚଳରେ ଦିନକୁଦିନ ଜନ୍ତୁ ଶିକାର ବଢ଼ିବାରେ ଲାଗିଛି। ବନବିଭାଗ ଶିକାରୀ ମାନଙ୍କୁ ମଧ୍ୟ ଧରିବାରେ ସଫଳ ହେଉଛି।
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ହୀରାଲୋଇ ଗ୍ରାମରେ ସୋମବାର ରାତିରେ ଚଢାଉ କରାଯାଇ ଏକ କଲରାପତରିଆ ବାଘର ଚମଡା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ବନ ବିଭାଗ। ଏଥିରେ ସମ୍ପୃକ୍ତ ୩ ଜଣ ଶିକାରୀଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ ହୀରାଲୋଇ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ କଲରାପତରିଆ ବାଘ ଶିକାର କରାଯାଇ ହୀରାଲୋଇ ଗ୍ରାମର କିଛି ଶିକାରୀ ଘରେ ମୃତ ବାଘର ଚମଡା ରଖିଥିଲେ। ଏ ସମ୍ପର୍କରେ ସୂଚନା ପାଇ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଏବଂ ଫରେଷ୍ଟର ପ୍ରବୀଣ କୁମାର ସାହୁ ପ୍ରମୁଖ ସଦଳବଳେ ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ହୀରାଲୋଇ ଗ୍ରାମର ସମ୍ପୃକ୍ତ ଶିକାରୀମାନଙ୍କ ଘରେ ଚଢାଉ କରିଥିଲେ।
ଚଢାଉ ବେଳେ ସେମାନଙ୍କ ଠାରୁ ଏକ କଲରାପତରିଆ ବାଘ ଚମଡା ସହ ଗୋଟିଏ ଦେଶୀ ବନ୍ଧୁକ,୪ଟି ଗୁଳି ଓ ସମ୍ବର ଶିଙ୍ଘ ଜବତ କରିଥିଲେ। ଅନ୍ୟ ପକ୍ଷରେ ଏହି ଘଟଣାରେ ଗ୍ରାମର ତିନି ଜଣ ବ୍ୟକ୍ତିଙ୍କୁ ଅଟକ ରଖି ଅଧିକ ପଚରା ଉଚୁରା କରାଯାଉଛି। ଏସିଏଫ ମାଳତୀ ଲତା ହାଁସଦା ଅଧିକ ତଦନ୍ତ କରୁଛନ୍ତି ବୋଲି ରେଢ଼ାଖୋଲ ଡ଼ିଏଫଓ ଅରବିନ୍ଦ ମହାନ୍ତି ପ୍ରକାଶ କରିଅଛନ୍ତି।