
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଆଡପଡା ଫାଣ୍ଡି ଅନ୍ତର୍ଗତ ବାଲିଆ ଗ୍ରାମର ବିକ୍ରମ ପାତ୍ର ନାମକ ଜଣେ ଯୁବକକୁ ହିଞ୍ଜିଳି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଉକ୍ତ ଗ୍ରାମର ହେମଲତା ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କୁ ଗିରଫ ଯୁବକଜଣଙ୍କ ଲୁଟ୍, ଅସାଦାଚାରଣ ଓ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଭୋଜି କାର୍ଯ୍ୟରେ ଯୋଗ ଦେଇ ଘରକୁ ଫେରିଲା ବେଳେ ମହିଳାଙ୍କୁ ବାଟରେ ଅଟକାଇ ଟଣାଓଟରା କରି ସୁନା ଚେନ କାନଫୁଲ ଲୁଟିବା ସହ ମହିଳା ଜଣଙ୍କ ପାଟି କରିବାରୁ ତାଙ୍କୁ ଅଭିଯୁକ୍ତଜଣଙ୍କ ମାରଧର କରିଥିଲା। ଯାହା ଫଳରେ ମହିଳା ଜଣଙ୍କ ସ୍ବାମୀ ବଲ୍ଲଭ ପ୍ରଧାନକୁ ଫୋନ ଯୋଗେ ଜଣାଇଥିଲେ।
ସ୍ବାମୀ ବଲ୍ଲଭ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ବିକ୍ରମକୁ ପଚାରିବାରୁ ସେ ତାଙ୍କ ଅନ୍ୟ ଦୁଇ ଭାଇକୁ ଡକାଇ ବଲ୍ଲଭଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲା। ଏହି ସମୟରେ ଗାଁର ଜଣେ ଭଦ୍ରବ୍ୟକ୍ତି ସାଧୁ ପ୍ରଧାନ ମଧ୍ୟସ୍ଥି ସାଜି ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ଉକ୍ତ ୩ ଯୁବକ ସାଧୁଙ୍କୁ ମଧ୍ୟ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।
ଆହତ ବଲ୍ଲଭ ଓ ସାଧୁ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆସି ଥାନାରେ ଅଭିଯୋଗ କରିଥିଲେ। ଏତଲା ନଂ ୧୧୩, ୧୧୪/୨୫ ଅନୁଯାୟୀ ପୋଲିସ ମକଦ୍ଦମା ରୁଜୁ କରିଛି। ଅଭିଯୋଗ ଗ୍ରହଣ କରି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ବିକ୍ରମକୁ ଗିରଫ କରି କୋର୍ଟ ଚାଲାଣ କରିଛି।