ନୂଆଦିଲ୍ଲୀ: ଆଜି ଦିଲ୍ଲୀର ସ୍କୁଲଗୁଡ଼ିକୁ ପୁଣି ଥରେ ବୋମା ଧମକ ମିଳିଛି। ମୋଟ ୨୦ ଟି ସ୍କୁଲକୁ ବୋମା ଧମକ ମିଳିଛି। ପ୍ରଥମେ ରୋହିଣୀ ସେକ୍ଟର ୩ରେ ଥିବା ଅଭିନବ ପବ୍ଲିକ୍ ସ୍କୁଲ, ତା’ପରେ ପଶ୍ଚିମ ବିହାରର ରିଚ୍ ମୋଣ୍ଡ ସ୍କୁଲ ଏବଂ ତା’ପରେ ରୋହିଣୀ ସେକ୍ଟର ୨୪ରେ ଥିବା ସୋଭରେନ୍ ସ୍କୁଲକୁ ବୋମା ଧମକ ମେଲ୍ ମିଳିଛି। ଅଗ୍ନିଶମ ବିଭାଗ ଏବଂ ଦିଲ୍ଲୀ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବମ୍ ସ୍କ୍ୱାଡ୍ ଦଳ ମଧ୍ୟ ତଦନ୍ତରେ ନିୟୋଜିତ ଅଛି।
ପ୍ରକାଶ ଯେ, ବୁଧବାର ସକାଳେ ଦକ୍ଷିଣ ଦିଲ୍ଲୀର ବସନ୍ତ ଭ୍ୟାଲି ସ୍କୁଲ ଏବଂ ଦ୍ୱାରକାର ସେଣ୍ଟ ଥମାସ ସ୍କୁଲକୁ ଇମେଲ୍ ମାଧ୍ୟମରେ ଧମକ ମେସେଜ୍ ମିଳିଥିଲା। ମୋଟ ଦିଲ୍ଲୀର ନଅଟି ସ୍କୁଲକୁ ଲଗାତାର ତିନି ଦିନରେ ୧୦ଟି ବୋମା ଧମକ ଇମେଲ୍ ମିଳିଥିଲା।
୭ ଫେବୃଆରୀରେ ମଧ୍ୟ ଅନେକ ସ୍କୁଲକୁ ଧମକ ମିଳିଥିଲା
ଏହି ବର୍ଷ ୭ ଫେବୃଆରୀରେ ମଧ୍ୟ ପୂର୍ବ ଦିଲ୍ଲୀର ମୟୂର ବିହାର ଫେଜ୍-୧ରେ ଥିବା ଆଲକନ୍ ପବ୍ଲିକ୍ ସ୍କୁଲକୁ ବୋମା ଧମକ ମିଳିଥିଲା। ତଥାପି ସମ୍ପୂର୍ଣ୍ଣ ତଲାସୀ ପରେ ଏବଂ କିଛି ସନ୍ଦେହଜନକ ନପାଇବା ପରେ ଅଧିକାରୀମାନେ ଏହାକୁ କେବଳ ଗୁଜବ ବୋଲି ଘୋଷଣା କରିଥିଲେ।
ତେବେ ଗତ ତିନି ଦିନ ଧରି ଦିଲ୍ଲୀ ସ୍କୁଲ ଏବଂ କଲେଜଗୁଡ଼ିକୁ ମିଳୁଥିବା ବୋମା ଧମକ ପୋଲିସର ଚିନ୍ତା ବଢାଇଦେଇଛି। ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ, ଏହି ଧମକପୂର୍ଣ୍ଣ ଇମେଲଗୁଡ଼ିକ ‘ଏନକ୍ରିପ୍ଟେଡ୍ ନେଟୱାର୍କ’ (ଏକ ସିଷ୍ଟମ୍ ଯେଉଁଥିରେ କୌଣସି ତୃତୀୟ ପକ୍ଷ ପ୍ରବେଶ କରିପାରିବ ନାହିଁ) ମାଧ୍ୟମରେ ପଠାଯାଇଛି, ଯାହା ଫଳରେ ସେମାନଙ୍କର ଉତ୍ସକୁ ଖୋଜିବା ବହୁତ କଷ୍ଟକର ହୋଇଯାଇଛି।
ଦିଲ୍ଲୀ ପୋଲିସର ସାଇବର ବିଶେଷଜ୍ଞ ଏବଂ ଧମକର ତଦନ୍ତ କରୁଥିବା ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ, ଧମକ ପଠାଉଥିବା ଲୋକମାନେ ‘ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱାର୍କ’ (VPN) ଏବଂ ‘ଡାର୍କ ୱେବ୍’ ବ୍ୟବହାର କରୁଛନ୍ତି। ‘ଡାର୍କ ୱେବ୍’ ସାଧାରଣତଃ ଗୁଗୁଲ୍, ବିଙ୍ଗ୍ ଭଳି ସର୍ଚ୍ଚ ଇଞ୍ଜିନ୍ ରୁ ଦେଖାଯାଏ ନାହିଁ ଏବଂ ଏହାକୁ କେବଳ ସ୍ୱତନ୍ତ୍ର ସଫ୍ଟୱେର୍ ମାଧ୍ୟମରେ ଆକ୍ସେସ୍ କରିବା ସମ୍ଭବ, ଯେତେବେଳେ ‘VPN’ ର ବ୍ୟବହାରରେ ଅନଲାଇନ୍ କାର୍ଯ୍ୟକଳାପ ଲୁଚି ରହିଯାଏ।