ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛିନ୍ଦୱାଡ଼ାରେ କଫ ସିରପ ଖାଇବା ପରେ କିଡନୀ ସଂକ୍ରମଣରେ ଶିଶୁଙ୍କ ମୃତ୍ୟୁ ମାମଲାରେ ଏମପି ସ୍ୱତନ୍ତ୍ର ତଦନ୍ତ ଦଳ (SIT) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶ୍ରୀସାନ ଫାର୍ମାସ୍ୟୁଟିକାଲର ମାଲିକ ରଙ୍ଗନାଥନ ଗୋବିନ୍ଦନଙ୍କୁ ହେପାଜତକୁ ନିଆଯାଇଛି। ଛିନ୍ଦୱାଡ଼ା ଏସପି ଅଜୟ ପାଣ୍ଡେ କହିଛନ୍ତି ଯେ, ଅକ୍ଟୋବର ୮ ତାରିଖ ରାତିରେ ଚେନ୍ନାଇରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଗିରଫ ହେବା ପରେ ଏମପି ଏସଆଇଟି ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ମଧ୍ୟପ୍ରଦେଶ ଆଣିବ। ଦୂଷିତ କଫ ସିରପ ଖାଇବା ପରେ ଛିନ୍ଦୱାଡ଼ାରେ ମୋଟ ୨୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। କମ୍ପାନୀର ମାଲିକ ରଙ୍ଗନାଥନ ଗୋବିନ୍ଦନଙ୍କୁ ଗିରଫ କରିବା ପାଇଁ କୋଡ଼ିଏ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।
କଫ ସିରପ ସମ୍ବନ୍ଧୀୟ ମୃତ୍ୟୁ ପ୍ରଥମେ ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଏବଂ ବୈତୁଲ ଜିଲ୍ଲାରେ ସାମ୍ନାକୁ ଆସିଥିଲା, ଯେଉଁଠାରେ ଗତ ଦୁଇ ସପ୍ତାହ ମଧ୍ୟରେ ଅନେକ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ସମୟରେ ରାଜସ୍ଥାନର କିଛି ଅଞ୍ଚଳରେ ସମାନ ସିରପ ସହ ଜଡିତ ଘଟଣା ରିପୋର୍ଟ ହୋଇଥିଲା। ଛିନ୍ଦୱାଡା ପ୍ରଶାସନ ଅନୁଯାୟୀ, କୋଲଡ୍ରିଫ୍ ସିରପ୍ ଖାଇବା ପରେ ପିଲାମାନେ ବାନ୍ତି, ପରିସ୍ରା କରିବାରେ କଷ୍ଟ ଏବଂ ଉଚ୍ଚ ଜ୍ୱର ଭଳି ଲକ୍ଷଣ ଅନୁଭବ କରିଥିଲେ। ଡାକ୍ତରମାନେ ନିର୍ଣ୍ଣୟ କରିଥିଲେ ଯେ, ପିଲାମାନଙ୍କର କିଡନୀ ଫେଲ୍ ହୋଇଯାଇଛି। ସମସ୍ତ ମୃତ ଶିଶୁ ଦୁଇରୁ ପାଞ୍ଚ ବର୍ଷ ବୟସ ମଧ୍ୟରେ ଥିଲେ। ଅନେକଙ୍କୁ ନାଗପୁର ଏବଂ ଭୋପାଳର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ପରୀକ୍ଷାରୁ ସେମାନଙ୍କ ଶରୀରରେ ଡାଇଥାଇଲିନ୍ ଗ୍ଲାଇକଲ୍ ଉପସ୍ଥିତି ଜଣାପଡ଼ିଥିଲା।