ନୂଆଦିଲ୍ଲୀ: ପଞ୍ଜାବର ହୋସିଆରପୁରରେ ପୋଲିସ ଗଣତନ୍ତ୍ର ଦିବସ ପୂର୍ବରୁ ଏକ ବଡ଼ ଯୋଜନାକୁ ପଣ୍ଡ କରିଛି। ପାକିସ୍ତାନୀ ISI ସମର୍ଥିତ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ (BKI) ସହ ଜଡିତ ଏକ ଆତଙ୍କବାଦୀ ମଡ୍ୟୁଲକୁ ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଅପରେସନରେ ଚାରି ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କଠାରୁ ପ୍ରାୟ ୨.୫ କିଲୋଗ୍ରାମ RDX ଭର୍ତ୍ତି ଏକ IED ଜବତ କରାଯାଇଛି।
ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ (DGP) ଗୌରବ ଯାଦବ କହିଛନ୍ତି ଯେ, ଗିରଫ ଆତଙ୍କବାଦୀମାନେ ଦିଲଜୋତ ସିଂହ, ହରମନ ସିଂହ, ଅଜୟ ଓରଫ ମହିରା ଏବଂ ଅର୍ଶଦୀପ ସିଂହ ଓରଫ ଅର୍ଶ କଣ୍ଡୋଲା ଭାବରେ ଚିହ୍ନଟ ହୋଇଛନ୍ତି, ସମସ୍ତେ SBS ନଗର ଜିଲ୍ଲାର ରାହୋନ ଅଞ୍ଚଳର ବାସିନ୍ଦା। ପୋଲିସ ସେମାନଙ୍କ କବଜାରୁ ଦୁଇଟି ପିସ୍ତଲ ମଧ୍ୟ ଜବତ କରିଛି।
ଡିଜିପି ଗୌରବ ଯାଦବ କହିଛନ୍ତି ଯେ, ଏହି ଆତଙ୍କବାଦୀ ମଡ୍ୟୁଲ ଆମେରିକାରେ ଅବସ୍ଥିତ ବବର ଖାଲସା ଇଣ୍ଟରନ୍ୟାସନାଲ ହ୍ୟାଣ୍ଡଲରମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଉଦ୍ଧାର ହୋଇଥିବା IED ଗୁଡ଼ିକୁ ଆଗାମୀ ଗଣତନ୍ତ୍ର ଦିବସ ପାଳନକୁ ଦୃଷ୍ଟିରେ ରଖି ଏକ ଯୋଜନାବଦ୍ଧ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ବ୍ୟବହାର କରାଯିବାର ଥିଲା।


