ସାଲଓ୍ବାର ସୁଟ୍‌ ପିନ୍ଧି ବାନ୍ଧବୀକୁ ଦେଖା କରିବାକୁ ଯାଇଥିଲେ ଯୁବକ, କିନ୍ତୁ ଦେଖା ନ କରି ପାଇଲେ ଏହି ଦଣ୍ଡ

Published: Mar 1, 2020, 3:31 pm IST

ରାଜସ୍ଥାନ : ବିଗତ କିଛି ବର୍ଷ ଧରି ଦେଶରେ ପିଲା ଚୋର ନାମରେ ମବ୍‌ ଲିଚିଂ ଘଟଣା ସାମ୍ନାକୁ ଆସୁଛି। ସଚେତନତା କରାଯିବା ପରେ ବି ଏହି ମାମଲାଗୁଡିକ କମିବାର ନାଁ ନେଉନାହିଁ। ରାଜସ୍ଥାନରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ଜଣେ ଟ୍ୟାକ୍ସି ଚାଳକ ନିଜ ବାନ୍ଧବୀଙ୍କୁ ଦେଖାକରିବାକୁ ଯାଇ ଭିଡ ହିଂସାର ଶିକାର ହୋଇଛନ୍ତି। ତେବେ ଟ୍ୟାକ୍ସି ଚାଳକ ଜଣକ ସାଲ୍‌ଓ୍ବାର ସୁଟ୍‌ ପିନ୍ଧି ନିଜ ବାନ୍ଧବୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। କିନ୍ତୁ ସ୍ଥାନୀୟ ଲୋକେ ତାକୁ ପିଲା ଚୋର ଭାବି ମାଡ ମାରିଛନ୍ତି। ଏହି ମାଡ ମାରିବାର ଭିଡିଓଟି ଇଣ୍ଟରନେଟ୍‌ରେ ଏବେ ବେଶ୍‌ ଭାଇରାଲ୍‌ ହୋଇଛି ।

ଏହି ଘଟଣାଟି ରାଜସ୍ଥାନର ପାଲୀ ଜିଲ୍ଲାରେ ଘଟିଛି । ଏଠାରେ ଗଣେଶନଗର ଅଞ୍ଚଳରେ ଏକ ଶୂନଶାନ୍‌ ଜାଗାରେ ନିଜ ଟାକ୍ସିକୁ ଠିଆ କରି ଟାକ୍ସି ଚାଳକ ଜଣକ ସାଲଓ୍ବାର ସୁଟ୍‌ ପିନ୍ଧି ଚାଲୁଥିଲେ । ଚାଲିବା ସମୟରେ ମହିଳାମାନେ ତାଙ୍କ ଚାଲିକୁ ନେଇ ସନ୍ଦେହ ସୃଷ୍ଟି କରି ଚିଲାଇବା ଆରମ୍ଭ କଲେ । ମହିଳାମାନଙ୍କ ଚିତ୍କାର ଶୁଣି ଲୋକ ଏକାଠି ହୋଇଗଲେ । ଏବେ ଟ୍ୟାକ୍ସି ଚାଳକକୁ ଏ ସମ୍ପର୍କରେ ପଚାରିବାକୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ପରେ ଲୋକମାନେ କିଛି ନ ଶୁଣି ଉତ୍ତମ ମଧ୍ୟମ ଦେବା ଆରମ୍ଭ କରିଦେଲେ । ତା’ପରେ ଟ୍ୟାକ୍ସି ଚାଳକଙ୍କ ତଲାସି ନେଇଥିଲେ କିନ୍ତୁ ତାଙ୍କଠାରୁ କିଛି ମିଳିନଥିଲା। ପରେ ଟ୍ୟାକ୍ସି ଚାଳକ ଜଣକ ତାଙ୍କ ମହିଳା ବନ୍ଧୁଙ୍କୁ ଦେଖା କରିବାକୁ ସାଲ୍‌ଓ୍ବାର ସୁଟ୍‌ ପିନ୍ଧି ଆସିଥିଲେ ବୋଲି କହିଲେ । ତେବେ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ସମ୍ପୃକ୍ତ  ଟ୍ୟାକ୍ସି ଚାଳକକୁ ଭିଡ କବଳରୁ ଉଦ୍ଧାର କରିଥିବାବେଳେ ଗଳି ତଥା ମହୋଲ୍ଲାର ଶାନ୍ତି ଭଙ୍ଗ କରିବା ଅଭିଯୋଗରେ ଟ୍ୟାକ୍ସି ଚାଳକଙ୍କୁ ଗିରଫ କରିଛି।

ତେବେ ଏହି ଘଟଣାର ଭିଡିଓଟି ଇଣ୍ଟରନେଟ୍‌ରେ ବେଶ୍‌ ଭାଇରାଲ୍‌ ହୋଇଛି। ଯେଉଁଥିରେ କିଛି ଲୋକ ସଲ୍‌ଓ୍ବାର ସୁଟ୍‌ ପିନ୍ଧା ଜଣେ ଯୁବକକୁ ଘେରିକରି ମାରୁଥିବାର ନଜର ଆସିଛି। ପୋଲିସ୍‌ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। (ଏଜେନ୍ସି)

Related posts