ହସ୍ପିଟାଲ ବେଡରୁ  ଖସି ପଡି ଛଟପଟ ହୋଇ ପ୍ରାଣ ହାରିଲେ କରୋନା ଆକ୍ରାନ୍ତ

Published: Jul 27, 2020, 11:21 am IST

ତେଲେଙ୍ଗାନା : ତେଲେଙ୍ଗାନାର କରିମନଗରଠାରେ କରୋନା ଆକ୍ରାନ୍ତଙ୍କ ସହ ହସ୍ପିଟାଲର ଦାୟିତ୍ବହୀନତା ସାମ୍ନାକୁ ଆସିଛି। କରିମନଗରରର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ଆକ୍ରାନ୍ତଙ୍କର ହସ୍ପିଟାଲ ବେଡରୁ ପଡି ଯିବା ଯୋଗୁଁ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ସରକାରୀ ଜିଲ୍ଲା ହସ୍ପିଟାଲରେ ଜଣେ 70 ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଆକ୍ରାନ୍ତଜଣକ ଜୁଲାଇ 22 ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ମୃତକ ଜଣକ ଗଙ୍ଗାଧାର ମଣ୍ଡଳର ଭେଙ୍କଟେୟାପଲ୍ଲୀର ବାସିନ୍ଦା ବୋଲି ସୂଚନା ରହିଛି । ମୃତକ ଜଣକଙ୍କୁ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିଲା । ତାଙ୍କୁ ଅକ୍ସିଜେନ୍‌ ସର୍ପୋଟ୍‌ରେ ରଖାଯାଇଥିଲା । ରବିବାର ଦିନ ଆକ୍ରାନ୍ତ ଜଣକ ବେଡ୍‌ରୁ ଖସି ପଡିବା ପରେ ଅକ୍ସିଜେନ୍‌ ସପ୍ଲାଏ ବନ୍ଦ ହୋଇଯିବା ପରେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

ତେବେ ଓ୍ବାର୍ଡରେ ଭର୍ତ୍ତି ହୋଇଥିବା ଅନ୍ୟ ଜଣେ ଆକ୍ରାନ୍ତ ଅଭିଯୋଗ କରିଛନ୍ତି ଯେ, 70 ବର୍ଷୀୟ ବୃଦ୍ଧ ଜଣକ ବେଡ୍‌ରୁ ଖସି ପଡିବା ପରେ ସଙ୍ଗେ ସଙ୍ଗେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏନେଇ ସୂଚନା ଦିଆଯାଇଥିଲା  । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି କର୍ତ୍ତୃପକ୍ଷ ନେଇନଥିବାରୁ ବୃଦ୍ଧ ଜଣକ ଛଟପଟ ହୋଇ ମୃତ୍ୟୁବରଣ କରିଛନ୍ତି । ଏତଦ୍‌ବ୍ୟତୀତ ଆକ୍ରାନ୍ତ ଜଣକ ହସ୍ପିଟାଲରୁ ତଳେ ପଡୁଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ହସ୍ପିଟାଲ ପ୍ରଶାସନର ଦାୟିତ୍ବହୀନତା ସଫା ସଫା ଦେଖାଯାଉଛି । ଏହା ପରେ ହସ୍ପିଟାଲ ପ୍ରଶାସନ ଏହି ଘଟଣାକୁ ସ୍ବୀକାର କରିବା ସହିତ ମେଡ଼ିକାଲ ଷ୍ଟାଫ୍‌ଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ।

ସୂଚନାଯୋଗ୍ୟ, ରବିବାର ଦିନ କରିମନଗରରେ 51ଟି ନୂତନ ମାମଲା ସାମ୍ନାକୁ ଆସିଛି । ସେହିପରି ତେଲେଙ୍ଗାନାରେ ରବିବାର ଦିନ 1500ରୁ ଉର୍ଦ୍ଧ୍ବ ମାମଲା ସାମ୍ନାକୁ ଆସିଥିବାବେଳେ ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 54 ହଜାର ପାର୍‌ କରିଛି । ସେହିପରି ରାଜ୍ୟରେ 463ଜଣଙ୍କ ମୃତ୍ୟୁ ହୋଇଛି । (ଏଜେନ୍ସି)

Related posts