ରମେଶ ମହାନ୍ତି
ଜଗତସିଂହପୁର: କରୋନା ମହାମାରୀ ପାଇଁ ଲାଗୁ ହୋଇଥିବା ଲକଡାଉନ୍ ଓ ସଟଡାଉନ ଯୋଗୁଁ ଲୋକ ପଦାକୁ ବାହାରୁ ନଥିବା ବେଳେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ଗୋରୁଚୋର ମାତିଥିବା ଅଭିଯୋଗ ହେଉଛି।
ଅଭିନବ ଉପାୟରେ ବୁଲାଗୋରୁ, ଷଣ୍ଢ ଗୁଡିକୁ ଚୋରିକରି ଚାଲାଣ କରୁଥିବା ଏକ ରାକେଟକୁ ଧରି ସ୍ଥାନୀୟ ଲୋକେ ନିସ୍ତୁକ ମାଡମାରି ଅଟକ ରଖିବା ଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କରୋନା କଟକଣା ପାଇଁ ଲୋକେ ପଦାକୁ ବାହାରୁନଥିବା ବେଳେ ଏହାର ଫାଇଦା ନେଉଛନ୍ତି ଗୋରୁ ଚୋର।
ସୂଚନା ମୁତାବକ ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହାନଦୀପଠା ଗୋପିଆକୂଦର ଆଖପାଖ ଅଞ୍ଚଳର ଶତାଧିକ ବୁଲା ଗୋରୁଗାଈ ଓ ଷଣ୍ଢ ଚରାବୁଲା କରିଥାନ୍ତି। କରୋନା ସଟଡାଉନ ପାଇଁ ଲୋକେ ପଦାକୁ ବାହାରୁନଥିବା ବେଳେ ନିର୍ଜନତାର ସୁଯୋଗ ନେଇ ଗୋରୁଚୋର ଦୈନିକ ଏକାଧିକ ଗୋରୁ ଓ ଷଣ୍ଢ ଚୋରିକରୀ ବାହାରକୁ ଚାଲାଣ କରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି।
ସୂଚନାନୁଯାୟୀ ରବିବାର ବିଳମ୍ବିତ ରାତିରେ କେତେକ ଗାଈଗୋରୁ ଷଣ୍ଢକୁ ଚୋରମାନେ ପିକ୍ଅପ ଗାଡିରେ ଭର୍ତ୍ତିକରି ଚାଲାଣ କରୁଥିବା ବେଳେ ସ୍ଥାନୀୟ ଲୋକମାନେ ଜାଣିପାରି ସେମାନଙ୍କୁ ପିଛାକରିଥିଲେ।ଚୋରମାନଙ୍କ ମଧ୍ୟରୁ ତିନିଜଣଙ୍କୁ ସ୍ଥାନୀୟ ଲୋକେ କାବୁକରିବା ପରେ ଗୋଟିଏ ଗଛରେ ବାନ୍ଧି ନିସ୍ତୁକ ଛେଚିବା ସହ ଛଅଘଣ୍ଟା ଧରି ଗୋରୁଚୋରମାନେ ଅଟକ ରହିବା ପରେ ଶାସକ ବିଜେଡି ଦଳର ଜଣେ ଛାମୁଆଁ ନେତା ଓ ଜଣେ ସରପଞ୍ଚଙ୍କ ପାଞ୍ଚହଜାର ଟଙ୍କାର ମୂଲଚାଲ ପରେ ଚୋରମାନେ ଖସିଯାଇଥିବା ଖବର ଏବେ ତିର୍ତ୍ତୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ଉକ୍ତ ଘଟଣା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବୀ ହେଉଛି।