ପୁଅକୁ ଜେଲ୍‌ରୁ ବାହାର କରିବା ପାଇଁ 35 ଫୁଟ୍‌ର ସୁଡଙ୍ଗ ଖୋଳିଲା ମା’, ଶେଷରେ କ’ଣ ହେଲା ଜାଣନ୍ତୁ

Published: Aug 4, 2020, 1:08 pm IST

ୟୁକ୍ରେନ୍ : ଦୁନିଆର ସର୍ବଶ୍ରେଷ୍ଠ ଯୋଦ୍ଧା ହେଉଛି ମା’ । ସେ ନିଜ ସନ୍ତାନ ପାଇଁ ଯେକୌଣସି ବିପଦର ବି  ସାମ୍ନା କରିପାରେ । ନିଜକୁ ସନ୍ତାନକୁ ବଞ୍ଚାଇବା ପାଇଁ ଅସମ୍ଭବ କାମକୁ ମଧ୍ୟ ସମ୍ଭବ କରିଥାଏ ଜଣେ ମା’ । ନିଜ ସନ୍ତାନ ପାଇଁ ମା’ କ’ଣ କରିପାରେ, ଏହାର ଏକ ସଦ୍ୟ ଉଦାହରଣ ୟୁକ୍ରେନ୍‌ରେ ଦେଖିବାକୁ ମିଳିଛି । ନିଜ ପୁଅକୁ ଜେଲରୁ ବାହାର କରିବା ନିମନ୍ତେ ଜଣେ ମହିଳା ଏକ 35 ଫୁଟର ସୁଡଙ୍ଗ ଖୋଳିଛନ୍ତି । କିନ୍ତୁ ମହିଳାଙ୍କ ଏହି ପ୍ରୟାସ ବ୍ୟର୍ଥ ସାବ୍ୟସ୍ତ ହୋଇଛି । ମହିଳା ଜଣଙ୍କ ମଧ୍ୟ ଏବେ ଜେଲ୍‌ରେ ଅଛନ୍ତି । ସେ ଏପରି କାର୍ଯ୍ୟ କରୁଥିବା ସମୟରେ ଜେଲ୍‌ କର୍ତ୍ତୃପକ୍ଷଙ୍କ ହାତରେ ଧରାପଡିଯାଇଥିଲେ ।

ମିଳିଥିବା ସୂଚନା ଅନୁସାରେ ୟୁକ୍ରେନର ଜାପୋରିଝିଆ ଅଞ୍ଚଳରେ ଅବସ୍ଥାନ କରୁଥିବା ଏହି ମହିଳାଙ୍କ ପୁଅ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ନିଜ ପୁଅକୁ ଜେଲ୍ରୁ ମୁକ୍ତ କରିବା ପାଇଁ ଏହି 51 ବର୍ଷୀୟ ମହିଳା ଜଣକ ଏକ 35 ଫୁଟର ସୁଡଙ୍ଗ ଖୋଳିଥିଲେ । ତେବେ ଜେଲ ଅଧିକାରୀଙ୍କୁ ଏହି ଘଟଣା ସମ୍ପର୍କରେ ଜଣା ପଡିବା ପରେ ମହିଳାଙ୍କୁ ଗିରଫ କରାଯାଇଛି ।

ମହିଳା ଜଣଙ୍କ ଜେଲ୍ ନିକଟରେ ଏକ ଘର ଭଡା ନେଇଥିଲେ । ଦିନ ଯାକ ଘରେ ରହିବା ସହିତ ସନ୍ଧ୍ୟା ସମୟରେ ସେ ସୁଡଙ୍ଗ ଖନନ କାର୍ଯ୍ୟ ଆରମ୍ଭ କରୁଥିଲେ । ଏପରି କରିବା ସହିତ ମହିଳା ଜଣକ ଜେଲ୍ ନିକଟରେ ପହଞ୍ଚି ଯାଇଥିଲେ । ତେବେ ଜେଲ୍ କାନ୍ଥ ପୂର୍ବରୁ ମହିଳାଙ୍କୁ ଗିରଫ କରାଯାଇଥିଲା । ନିଜ ସନ୍ତାନକୁ ଜେଲରୁ ମୁକ୍ତ କରିବା ପାଇଁ ମହିଳାଙ୍କ ଏହି ଉଦ୍ୟମକୁ ସୋସିଆଲ ମିଡିଆରେ ବେଶ ପ୍ରଶଂସା କରାଯାଇଛି । ଜଣେ ମା’ର ପ୍ରେମ ଅନ୍ଧ ହୋଇଥାଏ । ସେ ନିଜ ସନ୍ତାନ ପାଇଁ ଯେକୌଣସି ବିପଜ୍ଜନକ କାର୍ଯ୍ୟ ମଧ୍ୟ କରିଥାଏ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଶେଷରେ ନିଜ ସନ୍ତାନକୁ ଜେଲ୍‌ରୁ ଉଦ୍ଧାର କରିବାକୁ ଯାଇ ନିଜେ ଜେଲ୍‌ରେ ପହଞ୍ଚିଲେ ମା’ । (ଏଜେନ୍ସି)

Related posts