
ରମେଶ ମହାନ୍ତି
ଜଗତସିଂହପୁର : ତିର୍ତ୍ତୋଲ ଥାନା ଅଞ୍ଚଳରେ ଛତୁ ଫୁଟିଲା ପରି ଚୋରା ମଦବେପାର ଚାଲିଥିବା ବେଳେ ଅବକାରୀ ବିଭାଗର କାଁ ଭାଁ ଧରପକଡକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଚୋରା ମଦ ବେପାରୀଙ୍କ ଉପରେ ତିର୍ତ୍ତୋଲ ପୋଲିସ୍ ଚଢାଉକରି ମଦ ଧରୁଥିବା ବେଳେ ଶୋଇଛି ଅବକାରୀ ବିଭାଗ। ସୂଚନାନୁଯାୟୀ ତିର୍ତ୍ତୋଲ ଥାନା ଅଧିନସ୍ଥ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ବାଲିପାଟଣା ଛକ ନିକଟରେ ଅନେକ ଦିନ ହେଲା ବିପୁଳ ପରିମାଣର ଚୋରାମଦ ବ୍ୟବସାୟ ହେଉଥିବା ଖବର ପାଇ ଜଗତସିଂହପୁର ଏସ୍.ପି ଙ୍କ ନିର୍ଦ୍ଦେଶରେ ଗତକାଲି (ମଙ୍ଗଳବାର) ସଂନ୍ଧ୍ଯାରେ ଜିଲ୍ଲା ସ୍ପେଶାଲସ୍କ୍ୱାର୍ଡ ଓ ତିର୍ତ୍ତୋଲ ପୋଲିସ୍ ପକ୍ଷରୁ ଅଚାନକ ଚଢାଉ କରାଯାଇ ୭୫ ଲିଟର ଚୋରା ବିଦେଶୀ ମଦ ଜବତ କରାଯିବା ସହିତ ୨ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି ।ବିପୁଳ ପରିମାଣର ଚୋରାମଦ ସହିତ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ରଞ୍ଜନ ସାହୁ ଓ ତାଙ୍କ ପୁତୁରା ଦିପ୍ତି ରଂଜନ ସାହୁଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।
ବାଲିପାଟଣା ସ୍ଥିତ ଦୋକାନ ଉପରେ ପ୍ରଥମେ ଚଢାଉ କରାଯାଇ ୪୦ ପ୍ରତିଶତ ଚୋରାମଦ ଜବତ ହେବା ପରେ ତାଙ୍କ ବାସଗୃହ ଉପରେ ଚଢାଉ କରାଯାଇ ଅବଶିଷ୍ଟ ୬୦ ପ୍ରତିଶତ ଜବତ କରାଯାଇଥିଲା ବୋଲି ତିର୍ତ୍ତୋଲ ଥାନା ସୂତ୍ରରୁ ସୂଚନା ମିଳିଛି। ଏହି ଚଢାଉରେ ଜଗତସିଂହପୁର ସ୍ପେଶାଲସ୍କ୍ୱାର୍ଡ ସହିତ ତିର୍ତ୍ତୋଲ ଥାନାର ଏସ୍.ଆଇ ଅନିରୁଦ୍ଧ ନାୟକଙ୍କ ସମେତ କନେଷ୍ଟବଳ ପ୍ରବୋଧ ଦାସ, ପ୍ରଭାତ ବିଶ୍ୱାଳ, କୁନା ନନ୍ଦ, ଆଲୋକ ଖଟୁଆ ପ୍ରମୁଖ ଯୋଗଦେଇଥିଲେ।