ନୂଆଦିଲ୍ଲୀ : ମାତ୍ର କୋଡିଏ ଟଙ୍କା ପାଇଁ ବ୍ୟକ୍ତିଙ୍କ ହତ୍ୟା ହୋଇଥିବାର ଘଟଣା ସାମ୍ନାକୁ ଆସିଛି । ରାଜଧାନୀ ଦିଲ୍ଲୀଠାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଏଠାର ବୁରାଡି ଅଞ୍ଚଳରେ କିଛି ବଦମାସ ଜଣେ ବ୍ୟକ୍ତିକୁ ତାଙ୍କର 13 ବର୍ଷର ପୁଅ ସାମ୍ନାରେ ବାଡିରେ ପିଟି ପିଟଇ ମାରି ଦେଇଛନ୍ତି । ଏହି ଘଟଣା ସେପ୍ଟେମ୍ବର 24 ତାରିଖରେ ଘଟିଥିବାର ସୂଚନା ରହିଛି । ଏହି ମାମଲାରେ ପୋଲିସ୍ ଦୁଇଜଣଙ୍କୁ ଗିରଫ କରିଛି ।
ମିଳିଥିବା ସୂଚନା ଅନୁସାରେ ମୃତକ ବ୍ୟକ୍ତିଜଣକ ହେଉଛନ୍ତି 38 ବର୍ଷୀୟ ରୂପେଶ୍ ସନ୍ତ । ରୂପେଶ୍ ସେପ୍ଟେମ୍ବର 24 ତାରିଖରେ ନିଜ ଘର ନିକଟରେ ଥିବା ଏକ ଭଣ୍ଡାରୀ ଦୋକାନକୁ ବାଳ କାଟିବାକୁ ଯାଇଥିଲେ । ଦୋକାନ ମାଲିକ ସନ୍ତୋଷ ବାଳ କାଟିବା ଲାଗି ରୂପେଶଙ୍କୁ ପଚାଶ ଟଙ୍କା ମାଗିଥିଲେ । କିନ୍ତୁ ରୂପେଶ ମାତ୍ର 20 ଟଙ୍କା ଦେଇ ଆଉ ଟଙ୍କା ପରେ ଦେବେ ବୋଲି କହିଥିଲେ। ଏହାପରେ ଦୋକାନରେ ପଇସାକୁ ନେଇ ଦୋକାନ ମାଲିକ ସନ୍ତୋଷ ଓ ସରୋଜ ଓ ରୂପେଶଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଲା । ବିବାଦ ଏତେ ଉଗ୍ର ରୂପ ଧାରଣ କଲଶ ଯେ ସନ୍ତୋଷ ଓ ସରୋଜ ରୂପେଶକୁ ଏକ ବାଡି ସାହାଯ୍ୟରେ ବାଡେଇବା ଆଣମ୍ଭ କଲେ। ଏହି ସମୟରେ ଦୋକାନରେ ରୂପେଶର 13 ବର୍ଷୀୟ ପୁତ୍ର ମଧ୍ୟ ରହିଥିଲା । ସେ ନିଜ ପିତାକୁ ବଞ୍ଚାଇବାକୁ ଅନେକ ଚେଷ୍ଟା କରି ମଧ୍ୟ ବିଫଳ ହେଲା । ଗୁରୁତର ଅବସ୍ଥାରେ ରୂପେଶକୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । (ଏଜେନ୍ସି)