ଜଣେ କୋଟିପତିଙ୍କ ପୁଅ କୋଡିଏ ଲକ୍ଷ ଟଙ୍କାର କାରରେ ଆସି ସାଇକେଲ କଲେ ଚୋରୀ

Published: Nov 8, 2020, 11:38 pm IST

ଭୋପାଳ, କୋହିଫିଜା ଥାନା ଅଞ୍ଚଳର ଏକ କୋଲନୀରୁ ଚୋରୀ ହୋଇଥିବା ଏକ ସାଇକେଲ ଜବତ କରିବାରେ ପୋଲିସ ସଫଳ ହୋଇଛି। ତେବେ ଏହି ଚୋରୀ ଯେତେ ଗୁରୁତ୍ବ ପୂର୍ଣ୍ଣ ନୁହେଁ ହେଲେ ଚୋରୀର ତରିକା ଏବଂ କାରଣ ସବୁଠାରୁ ଆଶ୍ଚର୍ଯ୍ୟ ଜନକ। ପୋଲିସର ସୂଚନା ଅନୁସାରେ ନଅ ହଜାର ଟଙ୍କାର ଏକ ସାଇକେଲ ଚୋରୀ ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ଉଭୟ ହେଉଛନ୍ତି ଗୋଟିଏ ଇଂଜିନିୟରିଂ କଲେଜର ଛାତ୍ର। ଉଭୟ ନିଶା ଖାଇବା ପାଇଁ ଜଣଙ୍କଠାରୁ 3 ହଜାର ଟଙ୍କା ଧାର ଆଣିଥିଲେ। ତାଙ୍କ ଟଙ୍କା ଫେରାଇବା ପାଇଁ ସେମାନେ ନଅ ହଜାର ଟଙ୍କାର ସାଇକେଲକୁ ଚୋରୀ କରିଥିଲେ। ଏହାକୁ ସେମାନେ ଓଏଲଏକ୍ସ ମାଧ୍ୟମରେ ସାଢେ ତିନି ହଜାର ଟଙ୍କାରେ ବିକ୍ରି କରିଥିଲେ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ସାଇକେଲ ଚୋରୀ କରିବା ପାଇଁ ସେମାନେ ଗୋଟିଏ 20 ଲକ୍ଷ ଟଙ୍କାର କାର ବ୍ୟବହାର କରିଥିଲେ। ସାଇକେଲ ଚୋରୀ ଅଭିଯୋଗ ପରେ ପୋଲିସ ନିକଟରେ ଥିବା ସିସି କ୍ୟାମେରାକୁ ଯାଞ୍ଚ କରିଥିଲା। ସେଥିରେ ଜଣାପଡିଥିଲା ଯେ ଚୋରମାନେ ଏକ ଦାମୀ କାରରେ ସାଇକେଲକୁ ଉଠାଇ ନେଉଛନ୍ତି। ସେହି କାର ନମ୍ବର ଆଧାରରେ ସେମାନଙ୍କ ଧରାଯାଇଥିଲା। ପରେ ଜଣାପଡିଥିଲା ଯେ ଦୁଇଜଣଙ୍କ ଚୋର ମଧ୍ୟରୁ ଜଣେ ଏହି ଦାମୀ କାର ବ୍ୟବହାର କରୁଛି। ତାଙ୍କର ବାପା ହେଉଛନ୍ତି ସେହି ଅଞ୍ଚଳର ଜଣେ କୋଟିପତି। ତେବେ ପୋଲିସ ସାଇକେଲ ଜବତ କରିବା ସହ ଉଭୟଙ୍କୁ ଜେଲ ପଠାଇ ଦିଆଯାଇଛି।

Related posts