Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେବଦାସ ଛୋଟରାୟ ଙ୍କ ସିନେମା ଗୀତ, ଜୀବନକୁ ନେଇ ଗୋଟେ ରୋମାଣ୍ଟିକ ଖେଳ
ବିଶେଷ ଖବର

ଦେବଦାସ ଛୋଟରାୟ ଙ୍କ ସିନେମା ଗୀତ, ଜୀବନକୁ ନେଇ ଗୋଟେ ରୋମାଣ୍ଟିକ ଖେଳ

May 4, 2022No Comments6 Mins Read
Share Facebook Twitter LinkedIn Email WhatsApp Copy Link
ଦେବଦାସ ଛୋଟରାୟ ଙ୍କ ସିନେମା ଗୀତ, ଜୀବନକୁ ନେଇ ଗୋଟେ ରୋମାଣ୍ଟିକ ଖେଳ

ସୁମନ ଦାଶ

ଜୀବନ ରେ ଯେଉଁ କେତୋଟି ହାତଗଣତି ସୁଖ ହାତ ପାହାନ୍ତା ରେ ଥାଏ,ଯାହା ସିଧା ସଳଖ ମଗଜ ପଟେ ପଶି ହୃଦୟକୁ ଦ୍ରଵିଭୂତ କରି ପାରେ,ସିଧା ପାର୍ଥିବ ପୃଥିବୀ ରୁ ନେଇ କେଉଁ ଏକ ଅପାର୍ଥିବ ଜଗତ ରେ ପହଞ୍ଚେଇ ଦେଇ ପାରେ,ଯେ କୌଣସି ସମୟରେ ଭାରାକ୍ରାନ୍ତ ମନ କୁ ଶାନ୍ତ କରିଦେଇପାରେ , ସେଇ ଭିତରେ ପ୍ରିୟ ବହି ପଢିବା,ପ୍ରିୟ ଗୀତ ଶୁଣିବା ଓ ପେଟପୁରା ସୁଖାଦ୍ୟ ଖାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯନ୍ତ ସୁଖ ନିଦ୍ରା ମୋ ଦୃଷ୍ଟି ରେ ନିଶ୍ଚୟ ରହିବ।

(ଏ ତାଲିକା ର ଚୟନ,କ୍ରମାଙ୍କ ବ୍ୟକ୍ତି ବିଶେଷ ରେ ପରିବର୍ତ୍ତନଶୀଳ,ପରୀକ୍ଷା ପ୍ରାର୍ଥନୀୟ !)
ଆଉ ସୌଭାଗ୍ୟକୁ ଯଦି ନିଜ ଭାଷା ରେ ନିଜର କିଛି ପ୍ରିୟ ଗୀତ ର ସୁଦୃଶ୍ୟ ମର୍ଯ୍ୟାବନ୍ତ ସଂକଳନ ଟିଏ ହାତ ରେ ପଡେ,ସେଥିରେ ପୁଣି ମାର୍ଚ୍ଚ ମାସର ଆକାଶ ରେ ଘୋଟି ଥାଏ ଅଦିନିଆ କଳା ମେଘ ଓ ଅଫିସ ଛୁଟି ଥାଏ ,ଓ ତା ସାଙ୍ଗରେ ଯଦି ବହି ର ପ୍ରତି ଗୀତ କୁ ୟୁଟୁବ ରେ ଖୋଜି ବଜେଇ ,ନିରୋଳା ରେ ଗୁଣୁଗୁଣେଇ ହୁଏ (ସେ ସ୍ୱର ହେଉ ପଛେ କର୍କଶ) ତାହେଲେ ୟା ଠାରୁ ଆଉ ପ୍ରାଣ ଉଲୁସା ସୁଖ କଣ ହେଇପାରେ !

ହାତରେ ଏବେ “ଦେବଦାସ ଛୋଟରାୟ ଙ୍କ ସିନେମା ଗୀତ”। ବହି ର ପ୍ରଚ୍ଛଦରେ ରହିଛି ସୁତା ଛିଣ୍ଡି ଯାଇଥିବା କଳା,ଧଳା ,ନାଲି ଗୁଡ଼ି। ପଛ ପଟ ଫ୍ଲିପ କଭର ରେ ଗୀତିକାରଙ୍କ ମୁହଁ କୁ ଲୁଚେଇ ଦେଇଛି ଗୋଟେ ହଳଦିଆ ଗୁଡ଼ି। ବହି ରେ ଅଛି ଗୀତିକାରଙ୍କ ରଚିତ,ଗତ ଚାରି ଦଶନ୍ଧି ଧରି ବିଭିନ୍ନ ଓଡ଼ିଆ ସିନେମା ରେ ବାଜିଥିବା ଶହେଟି ଓଡ଼ିଆ ସିନେମା ଗୀତ। ପ୍ରତି ଗୀତ ତଳେ ଲିପିବଦ୍ଧ ରହିଛି ସମ୍ପୃକ୍ତ ସିନେମା ର ନାଁ ଓ ମସିହା। ଶହେ ଏକାନବେ ପୃଷ୍ଠା ର ଏଇ ବହି ଖୋଲିଲେ ଏକ ଅନ୍ତରଙ୍ଗ ଉତ୍ସର୍ଗ ସହ ପଢିବାକୁ ମିଳିବ “ଗୀତ ର ନିଜ ନିଜ ଭାଗ୍ୟ” ଶୀର୍ଷକ ରେ ଗୀତ,ଜୀବନ ଓ ଅକ୍ଷୟ ମହାନ୍ତି ଙ୍କୁ ନେଇ ଦେବଦାସ ଛୋଟରାୟ ଙ୍କ ରଚିତ ଏକ ନିବିଡ ସ୍ମୃତି ଚାରଣ।

ତାପରେ ବହି ଖୋଲିଲେ ଆସିଯାଏ ସେଇ ସବୁ ଗୀତ ଯାହା କୁ ଆମେ ଶୁଣି ଶୁଣି ବଡ ହେଇଚୁ,ଯୋଉ ଗୀତ ମାନେ କେତେ ଭଙ୍ଗି ରେ …କେତେ ବାଗ ରେ ଏ ଲୋଚାକୋଚ। ଜୀବନ ର ଭାଙ୍ଗ ସଜାଡ଼ିଛନ୍ତି ..କେତେ ଗୀତ ର ଧାଡ଼ିମାନ କେତେ ନିରବି ଆସୁଥିବା ସ୍ମୃତି ମାନଙ୍କର ମୁଖର ସାକ୍ଷୀ ରହିଛନ୍ତି। କୋଉ କୋଉ ଗୀତ କେବେ କେମିତି ଛିଡାହେଇଛନ୍ତି ମନ୍ତ୍ର ପରି,ଅଭୟ ବାଣୀ ପରି ..ପୁଣି କୋଉ କୋଉ ଗୀତ ସୁଦୁ ଖୁସିବେଳର, ଉତ୍ଫୁଲ୍ଲ ମୁହୂର୍ତ୍ତର ,ଚଟୁଳ ରସିକତା ର ସାକ୍ଷୀ ହେଇ ଆଜି ଯାଏ ଜୀବନ କୁ ଟାଣି ଆଣିଛନ୍ତି ସୁରୁଖୁର ରେ।

ଏ ବହି ରେ “ମନ ଖରାପ ର ଫୁଲ”,”ହେ ମୋର ଜୀବନ” କିମ୍ୱା “ହଜାର ଆଶା ” ପରି ସିରିୟସ ଗୀତ ଅଛି,”ପରଦେଶୀ ବନ୍ଧୁ ତୁମେ”,”ସାଇକେଲ ନାଗର”,”ବଗିଚା ର ନାଁ ତିନିକୋଣିଆ” ପରି ଲୋକଗୀତ ର ଅତର ଛିଞ୍ଚା ସିନେମା ଗୀତ ବି ଅଛି ଓ “ମୁଁ ଯିବି ମୁଁ ଯିବି”, “ଜ୍ୟୋସ୍ନା ଆଣେ ପ୍ରଜାପତି”,”ହଜାରେ ଏଇ ମଣିଷ ଭିଡ ଭିତରେ ” ପରି ବି କିଛି ଗୀତ ଅଛି ଯାହାର ତାରକସି ଗୀତ ଓ କବିତାର ବିଭାଜନ ରେଖାଟିକୁ ନ୍ୟୁନ କରିଦେଇଛି।
ଯେମିତି କିଛି ବହି ,କିଛି ନିର୍ଦ୍ଧିଷ୍ଟ ବାସ୍ନା ଅନୁଭବ କରିବାବେଳ ର ବା ପଢିବା ବେଳ ର ସମୟ କୁ ସ୍ମୃତି କୋଠରୀ ରେ ସାଇତି ରଖନ୍ତି ,ସେମିତି କିଛି ଗୀତ ବି ଅଛି ଯାହାର ଧାଡିମାନେ ମନ ଭିତରେ ଯୋଉ ଗାର ଟାଣନ୍ତି,ସେଇ ସମୟ କୁ,ଅବସ୍ଥା କୁ ଲିପିବଦ୍ଧ କରିବାର ଯୋଉ କ୍ଷମତା ରଖନ୍ତି ତାକୁ ସାରା ଜୀବନ ମଣିଷ ନିଜ ସାଙ୍ଗେ ନିଏ। ଯୌବନ ରେ ଭଲ ଲାଗିଥିବା ଗୀତ ..ବୁଢା ବେଳେ ବି ଯୌବନ ର ପୁଲକ ଆଣିଦେବାର ପ୍ରତିଶୃତି ରଖେ।

ମୋଟାମୋଟି କହିବାକୁ ଗଲେ ଭଲ ଗୀତ ର ଧାଡି,ଭଲ ଗୀତ ର ସୁର ଯୋଉ ବାସ୍ନା ତିଆରି କରେ, ଯୋଉ ଅନୁଭବ ତିଆରି କରେ ତାହା ସମୟ ଦାଢ଼ ରେ ଏତେ ଶୀଘ୍ର ଘୋରି ହୁଏ ନାଇଁ। ଏଇ ଯେମିତି “କିଛି ଲୋକ ଦେଇ ଜାଣନ୍ତି ଖାଲି ଦୁଃଖ” ଗୀତ ର ସେଇ ଧାଡି

“ଯାହା ଥିଲା ସବୁଠାରୁ ବଡ ସୁଖ
ଏବେ କେହି ନାଇଁ ନାଇଁ
ବୁଝିବା ପାଇଁ
ମନ ତଳ ସବୁ ଦୁଃଖ ”

ଏ କେଇ ଧାଡି,ଅକ୍ଷୟ ମହାନ୍ତି ଙ୍କ ସ୍ୱର ..ଏ ଗୀତ ମୁଁ ଯେବେ ବି ଶୁଣେ ,ଲାଗେ ଗୋଟେ ଉଣେଇଶ ବର୍ଷ ର ଗୋଟେ କଲେଜ ପଢୁଆ ପିଲା ଯାହା ର କୈଶୋର ଚାଲିଯାଇଛି ,ଯୌବନ ଏଇ ଏବେ ଆସି ବାରଣ୍ଡା ରେ ଚେୟାର ପକେଇ ବସିଛି, ସେ ଢେଙ୍କାନାଳ ର କୋଉ ଗୋଟେ ମେସ ବାହାରେ ଗୋଟେ ଅଧା ତିଆରି ଘର ର ପଥର କାନ୍ଥ ଉପରେ ବସିଛି, ଚାରିପାଖେ ବିଛେଇ ହେଇ ପଡିଛି ଆଉଟା ସୁନା ପରି ଖରା ଓ ସେ କୋଉ ଏକ ଅଜଣା ଦୁଃଖ ରେ ଆଉଟୁ ପାଉଟୁ ହେଇଯାଉଛି ତା ପୁଣି ସେଇ ଝିଅ ପାଇଁ ଯିଏ ତାର ଫୋନ କୁ ହଠାତ କାଟି ଦିଏ ଓ ମେସେଜ ଦେଇଥାଏ “ଆମେ ବରଂ ଦୁରେଇ ରହିବା ଭଲ”।

ସେମିତି ” ଝିଅ ଦେଖିଲି ତିନିଟି …” ଗୀତ ଶୁଣିଲେ ମତେ ଆଜକୁ ପନ୍ଦର ବର୍ଷ ତଳେ କଟକ ର କୌଣସି ଏକ ଶୀତାର୍ତ୍ତ ସନ୍ଧ୍ୟା ମନେପଡେ ଯେବେ ଅରୁଣୋଦୟ ମାର୍କେଟ ପାଖରେ ଆମେ ମାନେ ମୁଁ ଓ ମୋ ସିନିଅର ବାନା ଭାଇ ଛିଡା ହେଇଥାଉ ସାଇକେଲ ଧରି .. ଦଳ ଦଳ ହେଇ ମେଡିକାଲ କୋଚିଙ୍ଗ ନେଉଥିବା ଝିଅ ବାହାରି ଆସୁଥାନ୍ତି …ବାନା ଭାଇ ବଡ ପାଟି କରି ଗାଉଥାଏ “ଝିଅ ଦେଖିଲି ତିନିଟି “, ସେଇ ନିର୍ଦ୍ଧିଷ୍ଟ ଝିଅ ଯିଏ ତିନି ନମ୍ବର ଥାଏ …ତାକୁ ଛାଡି ବାକିମାନଙ୍କର ମୁହଁ ରେ ଚଟୁଳ ପ୍ରତିକ୍ରିୟା ଦିଶେ
ହଳଦିଆ ଷ୍ଟ୍ରୀଟ ଆଲୁଅ ରାସ୍ତାସାରା ବିଛେଇଇ ହେଇ ପଡିଥାଏ ..ହଠାତ ଏ ଆର ସି ଚୌଦ୍ୱାର ର ଗୋରେ ଟାଉନ ବସ ଆସି ଛିଡା ହୁଏ …ସେ ଝିଅ ବସ ଚଢ଼େ … “ପ୍ରେମ ଗୋଟେ ଟାଉନ ବସ” କହି ବନା ଭାଇ ହସିଦିଏ….. ବସ ଧୂଳି ଉଡେଇ ଚାଲିଗଲା ପରେ ଆମେ ସାଇକେଲ ବୁଲାଉ ଖାନ୍ନଗର ଆଡେ ବାନା ଭାଇ ବାଟ ଯାକ ନୂଆ ନୂଆ ଜୋକ କହେ ଓ ରାତି ବଢୁଥାଏ।

ମୁଁ ଯେବେ ବି ଏଇ ଗୀତ ଶୁଣେ..ପବନ ରେ ସେଇ ପରିଚିତ ବାସ୍ନା ଆସେ …ସେଇ ସବୁ ଦିନ ମୁହଁ ଲେଉଟାଏ ..ବାନା ଭାଇ କଥା ମନେ ପଡେ …ଲାଗେ ଏବେ ବି କଣ କେହିଜଣେ ସେମିତି ସାଇକେଲ ସିଟ ଉପରେ ଗୋଡ ଢିରା ଦେଇ ରାସ୍ତା କଡା ରେ ଗୀତ ଗାଉଥିବ ଆଉ …ସାମ୍ନା ରେ ଗୋଟେ ପ୍ରେମ କୁ ଲଦି ଦେଇ ବସ ଟିଏ କଟକ ର ସନ୍ଧ୍ୟା ରେ ଧୂଳି ଉଡେଇ ଚାଲିଯାଉଥିବ!

ପ୍ରିୟ ଗୀତର ଧାଡି କୁ ଟିପି ପକେଇବାର ଅଭ୍ୟାସ ଟି ହେତୁ ପାଇବା ଦିନରୁ ‘ଆଜନ୍ମ’|ଯଦିଓ ବେଳେ ବେଳେ କୋଉ କୋଉ ଗୀତ ର ସୁରଟି ଏତେ ପ୍ରାଣବନ୍ତ ଥାଏ ଯେ ,ଗାଇଲା ବେଳେ ତାର ଶବ୍ଦ ମାନେ ଅପଭ୍ରଂଶ ହେଇ ଗୀତ ର ଅର୍ଥ କୁ କଦର୍ଥ କରିପକାନ୍ତି |କିନ୍ତୁ ଏମିତି ବି କିଛି ଗୀତ ଅଛନ୍ତି ଯାହାର ଶବ୍ଦ ମାନେ ହାତ ଧରାଧରି ହେଇ ,ଏମିତି ଆକସ୍ମିକ ପରିଣତି ଆଣନ୍ତି ,ଏମିତି ଭାବ କୁ ପରିପ୍ରକାଶ କରନ୍ତି ତାହା ସଂଗୀତକାର,ବାଦ୍ୟଯନ୍ତ୍ର, କଣ୍ଠଶିଳ୍ପୀଙ୍କୁ ମାତ ଦିଏ ଓ ଗୀତିକାର ବାଜିମାରିନିଏ। ଏ ଥିରେ ଦେବଦାସ ଛୋଟରାୟ ଓ ଅକ୍ଷୟ ମହାନ୍ତି ଙ୍କ ଗୀତ ଲେଖା ର ପ୍ରାବଲ୍ୟ ବହୁତ ବେଶୀ। ଏଇ ଯେମିତି କଣ୍ଢେଇ ଗୀତ ର ଧାଡି

“ତତେ ସିନା ମିଳିଗଲା
ପାଟଲୁଗା,କମକୁଟ ଆଇନା
ମୋ ପାଖରୁ ହଜିଗଲା
ଜିଇଁ ବାର ଥିଲା ଯେତେ ବାହାନା
ତୁ ଏଠି ଝଟକୁ ଆଜି ବିଜୁଳି ପରିକା ସିନା
ମତେ ଦେଲୁ ମେଘ ପରି କନ୍ଦେଇ ”
ଏଇ ‘ମେଘ ପରି କନ୍ଦେଇ’ ଦେବା ….ଯୋଉ ଚିତ୍ର କଳ୍ପ ତିଆରି କରେ ..ସୁରର ପ୍ରାବଲ୍ୟ ରେ ଶବ୍ଦ ବସାଣ ର ଗାରିମା କ୍ଷୁର୍ଣ୍ଣ ନହେଇ ତାହା ଗୀତ କୁ ଆଉରି ଉଜ୍ଜ୍ୱଳ କରିଦିଏ ..
ସେମିତି ‘ଚୁପ କରି ଶୁଣୁଛି ବୋଲି ମୁଁ
ଦୁନିଆ ଯାଉଛି କହି
ମୁଁ କହିଲେ ସାରା ଦୁନିଆ ର ମୁହଁ
ରହିଯିବ ଚୁପ ହେଇ ”

ଏଇ ଗୀତ ରେ ଦୁନିଆ କୁ ଚୁପ କରି ଦେବା ର ଠାଣି ଶ୍ରୋତା କୁ ଆଚମ୍ବିତ କରି ପକାଏ।
ଦେବଦାସ ଙ୍କ ଗୀତ ମାନଙ୍କ ରେ କବିତ୍ଵ ଅଛି, ଲାଳିତ୍ୟ ବି ଅଛି ,ପ୍ରଚୁର ଆକସ୍ମିକତା ସହ ଛାତି କୋରି ଦେଉଥିବା ବିଷାଦ କୁ ଫୁ କରି ଉଡେଇଦେବାର ପୌରୁଷ ବି ଅଛି। ଆଉ ସବୁଠୁ ଲକ୍ଷଣିୟ ଦିଗ ଟି ହେଲା

ସାଧାରଣ ସରଳ ଭାଷା ରେ ଗାଉଁଲି ଚଳଣି କୁ ,ମଧ୍ୟବିତ ମଣିଷ ର ସୁଖ, ଦୁଃଖ ,ପ୍ରେମ ,ଲୁହ କୁ ,ଲୋକକଥା କୁ ଗୀତ ରେ ଫୁଟେଇ ପାରିବାର ଅନନ୍ୟ କଳା ବି ଅଛି| “ବାଲମା”,”ନୟେନା”,”ଇସ୍କ ସୁଫିଆନା”,”mad for you ” ,”crazy dil ” ପରି ଅନେକ ହିନ୍ଦୀ ଓ ଇଂରାଜୀ ଶବ୍ଦ ମାନଙ୍କର ଓଡ଼ିଆ ଗୀତ ଭିତରକୁ ଅନୁପ୍ରବେଶ ସମୟ ରେ ମୌଳିକ ଓଡ଼ିଆ ଗୀତ ର ଏଭଳି ସଂକଳନ ଟିଏ ର ପ୍ରଚୁର ଆବଶ୍ୟକତା ଥିଲା।
ସେଥିପାଇଁ “କେତକୀ” ଫାଉଣ୍ଡେସନ ଆମର ଧନ୍ୟବାଦ।

ବେଶ କିଛି ବର୍ଷ ଧରି ପ୍ରକାଶନ ଶିଳ୍ପ ରେ ଜଡିତ ଥିବା ଜ୍ୟୋତି ରଞ୍ଜନ ସ୍ୱାଇଁ ଙ୍କ କେତକୀ ଫାଉଣ୍ଡେସନ ୟା ଭିତରେ ଜୟନ୍ତ ମହାପାତ୍ର,ଗୋପାଳ ଛୋଟରାୟଙ୍କ ପରି ବିଶିଷ୍ଟ ସାରସ୍ୱତ ସାଧକ ମାନଙ୍କର କୃତିକୁ ପୁନଃମୁଦ୍ରଣ କରିଛି ..ତାଙ୍କର ସବୁ ବହି ପରି ଏଇ ବହିଟି ମଧ୍ୟ ପରିପାଟୀ,କାଗଜ ର ଗୁଣାତ୍ମକ ମାନ, ବନ୍ଧେଇ ସବୁଥିରେ ବହିଟି ସମ୍ଭ୍ରାନ୍ତ ଓ ରୁଚିପୂର୍ଣ୍ଣ ହେଇଚି। ପ୍ରକାଶନ ଶିଳ୍ପରେ ଏପରି ବହିମାନଙ୍କର ପ୍ରଡକ୍ସନ ସବୁବେଳେ ପ୍ରଶଂସନୀୟ ଓ ଉଲ୍ଲେଖଯୋଗ୍ୟ।
ବହି ର ଶେଷ ଆଡକୁ ଅଛି ବହି ରେ ଥିବା ଶହେଟି ଗୀତ ର ପ୍ରଥମ ଧାଡି , ଗୀତ ସମ୍ପର୍କ ରେ ଗୀତିକାର ଙ୍କ ତିନୋଟି ଚମତ୍କାର ଆଲେଖ୍ୟ ଓ ତା ସହ ଦେବଦାସ ଛୋଟରାୟ ଙ୍କ ଗୀତ ର ଗଢ଼ଣ,ସ୍ଥାପତ୍ୟ ଓ ମୌଳିକତା ସମ୍ପର୍କରେ ଅଛି ଗବେଷକ ସୂର୍ଯ୍ୟ ଦେଓ ଙ୍କ ଲିଖିତ ଏକ ମନନଶୀଳ ଗଦ୍ୟ। ବହିଟିର ପ୍ରଚ୍ଛଦ,ପରିପାଟୀ ସମ୍ଭ୍ରାନ୍ତ ଓ ରୁଚିପୂର୍ଣ୍ଣ ।
କିଛି ପ୍ରମାଦପୁର୍ଣ ତ୍ରୁଟି (ଯେମିତି ବହିର ଭିନ୍ନ ଭିନ୍ନ ସ୍ଥାନ ରେ ବହି ର ଭିନ୍ନ ଭିନ୍ନ ମୂଲ୍ୟ) କୁ ଏଡେଇ ଦିଅ ଯାଇପାରିଥାନ୍ତା। ବହିଟିକୁ ଯେକୌଣସି ସମୟରେ ଧରି ମାନେ ବସ ରେ ,ଟ୍ରେନ ରେ ବା ଘରେ ନିରୋଳା ରେ ପଢ଼ାଯାଇପାରେ ..
ଓ ବହି ର ମଜା ଆଉରି ଚାରିଗୁଣା କରାଯାଇପାରେ ଯଦି ସେଇସବୁ ଗୀତ କୁ ପାଖରେ କିଛି ଅଡିଓ ସିଷ୍ଟମ ରେ ବଜାଯାଉଥାଏ ଓ ସଂସାର ର ଗତାନୁଗତିକତା କୁ ଖାତିର ନକରି ନିଜ ସ୍ୱର ରେ ଗୂଂଗୁଣେଇ ଗୀତ କୁ ତଲ୍ଲିନତା ରେ ଭାସିଯିବାରେ।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 20, 2026

ହୀରାପଥର ଖଣି ଚିହ୍ନଟ ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ

March 20, 2026

ଆଜି ହେଉଛି ପଖାଳ ଦିବସ: ଜାଣନ୍ତୁ ଏହା କାହିଁକି ପାଳନ କରନ୍ତି ଓଡିଆ?

March 20, 2026

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026
Latest News

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

March 20, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 20, 2026

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ

March 20, 2026

SIR କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗ: ଜଣେ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

March 20, 2026

ହୀରାପଥର ଖଣି ଚିହ୍ନଟ ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.