ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ମାର୍ଚ୍ଚ ୧୩ ତାରିଖରୁ ଆରମ୍ଭ ହୋଇଥିବା ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ-୨୦୨୩ ଆଜି ଉଦ୍ଯାପିତ ହୋଇଯାଇଛି। ଏହି ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀରେ ଭାରତର ବିଭିନ୍ନ ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଗୁଜୁରାଟ, ଝାରଖଣ୍ଡ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ସମେତ ଓଡ଼ିଶାରୁ ଜନଜାତି କଳାବସ୍ତୁ କାରିଗରମାନେ ସେମାନଙ୍କ ପାରମ୍ପରିକ କଳାବସ୍ତୁ ପ୍ରଦର୍ଶନ କରି ବିିକି୍ରବଟା କରିଥିଲେ।
ଏହି ପ୍ରଦର୍ଶନୀ ସର୍ବଭାରତୀୟ ସ୍ତରର ଜନଜାତି ସମୂହଙ୍କର କଳାବସ୍ତୁକୁ କେବଳ ବିକ୍ରୟ କରିବା ପାଇଁ ଉଦ୍ଦିଷ୍ଟ ନଥିଲା ପରନ୍ତୁ ବିଭିନ୍ନ ଜନଜାତିଙ୍କ କଳାକୁଶଳତାକୁ ଚିହ୍ନିବା, ସେମାନଙ୍କୁ ଗୋଟିଏ ମଞ୍ଚରେ ଯୋଡ଼ିବା ତଥା କଳାକୌଶଳର ଭାବଗତ ଓ କୌଶଳଗତ ଜ୍ଞାନର ଆଦାନପ୍ରଦାନ କରିବା ମଧ୍ୟ ଅନ୍ୟତମ ପ୍ରମୁଖ ଉଦ୍ଦେଶ୍ୟ ଥିଲା। ଜନଜାତି କାରିଗରମାନେ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇ ସେମାନଙ୍କ ଦ୍ୱାରା ପ୍ରସ୍ତୁତ କଳାବସ୍ତୁକୁ ବିକ୍ରୟ କରିବା ସହ ପରସ୍ପର ମଧ୍ୟରେ ଜ୍ଞାନକୌଶଳ ଆଧାରିତ ଆଲୋଚନା କରିଥିଲେ। ପରିବେଶ ଅନୁକୂଳ କାଠ, ବାଉଁଶ, ପତ୍ର ଆଧାରିତ ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ କଳାବସ୍ତୁ ଉପରେ ସେମାନେ ମତ ରଖିଥିଲେ, ଯେପରିକି ଶୀତପ୍ରଧାନ ଅଞ୍ଚଳରେ କାଠ, ବାଉଁଶର ନମନୀୟତା ଓ ମସୃଣତା ଥିବାରୁ ଚିMଣ ସୁଦୃଶ୍ୟ କଳାବସ୍ତୁ ନିର୍ମାଣ ହେଉଥିବାବେଳେ ଗ୍ରୀଷ୍ମ ପ୍ରଭାବିତ ଅଞ୍ଚଳର କାଠ, ବାଉଁଶର ତନ୍ତୁ ପ୍ରଧାନ ଥିବାରୁ ଭାରି ବସ୍ତୁର ପ୍ରସ୍ତୁତି ସମ୍ଭବ ହେଉଥିବାର ସେମାନେ ମତ ପ୍ରଦାନ କରିଥିଲେ। ପୁଣି ଶୀତପ୍ରଧାନ ଅଞ୍ଚଳରେ ଉଲ୍ ନିର୍ମିତ ବସ୍ତ୍ରାଦିରେ ଗାଢ଼ ରଙ୍ଗର ପ୍ରଭାବ ଅଧିକ ରହୁଥିବାବେଳେ ଗ୍ରୀଷ୍ମପ୍ରଧାନ ପରିବେଶରେ କାର୍ପାସ ବସ୍ତ୍ରରେ ହାଲୁକା ରଙ୍ଗର ପ୍ରଭାବ ରହୁଥିବା ସେମାନଙ୍କ ମତ ଥିଲା। ବାସ୍ତବରେ ଏହି ଜନଜାତି କଳାବସ୍ତୁ କେବଳ ପ୍ରଦର୍ଶନୀ ହିସାବରେ ନୁହେଁ ବରଂ ସାଂସ୍କୃତିକ ସହାବସ୍ଥାନର ବାର୍ତ୍ତା ଦେଇଥିଲା।
ଉଦ୍ଯାପନୀ ସନ୍ଧ୍ୟାରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ପ୍ରାୟୋଜିତ ଦୁରୁଆମାନଙ୍କ ବିର୍ଲି, ଓମାନାତ୍ୟମାନଙ୍କ ଡାଣ୍ଡା ହୁଲିଆ, ପରଜାମାନଙ୍କର ରିଞ୍ଜୋଡ଼ି ତଥା ଗଦବାମାନଙ୍କର ଢେମ୍ସା ନାଚ ଦର୍ଶକମାନଙ୍କୁ ମନୋରଞ୍ଜନ ଯୋଗାଇଥିଲା। ଏହି ଅବସରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଇନ୍ଦ୍ରମଣି ତି୍ରପାଠୀ ଛଅଗୋଟି ନୃତ୍ୟଦଳ ଏବଂ କଳାବସ୍ତୁ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ଓଡ଼ିଶା ତଥା ଅନ୍ୟ ରାଜ୍ୟର ସମସ୍ତ କାରିଗରଙ୍କୁ ସାର୍ଟିଫିକେଟ୍ ଓ ମେମେଣ୍ଟୋ ପ୍ରଦାନ କରିଥିଲେ। ପରେ ନିର୍ଦ୍ଦେଶକ ଶ୍ରୀ ତି୍ରପାଠୀ ଆନୁଷ୍ଠାନିକ ଭାବେ ପ୍ରଦର୍ଶନୀ ଓ ନୃତ୍ୟ ଉତ୍ସବ ଉଦ୍ଯାପିତ ହୋଇଥିବା ଘୋଷଣା କରିବା ସହ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।